ଏବେଠୁ ଅସମ୍ଭାଳ, ଆଗକୁ…? କେଉଁଠି ଟ୍ୟାଙ୍କର‌ ତ କେଉଁଠି ଷ୍ଟାଣ୍ତ୍‌ପୋଷ୍ଟ୍ ସାହା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପାଣି ସମସ୍ୟା ଉତ୍କଟ ହୋଇଛି। ଜିଲ୍ଲାରେ ମୋଟ ୧୭ହଜାର ୩୧୮ନଳକୂପ ସଚଳ ଅଛି। ୧୪୫ ନଳକୂପ ଅଚଳ ଥିବା ତଥ୍ୟ ଦିଆଯାଉଥିଲେ ବି ବାସ୍ତବରେ କିନ୍ତୁ ଏହାଠୁ ବହୁତ ଅଧିକ ଏବେବି ଖରାପ ଅବସ୍ଥାରେ ପଡ଼ି ରହିଛି। ସେହିପରି ୩୩୫ଟି ସ୍ଥାନରେ ପାଇପ୍‌ ଜରିଆରେ ଲୋକଙ୍କୁ ପାଣି ଦିଆଯାଉଛି। ସବୁଠୁ ଉତ୍କଟ ପାଣି ସମସ୍ୟା କିନ୍ତୁ ମହାକାଳପଡ଼ା ଓ ରାଜନଗର ବ୍ଲକ୍‌ରେ ରହିଛି। ଏହି ଦୁଇ ବ୍ଲକ୍‌ରେ ଭୂତଳ ଜଳରେ ଲୁଣି ପାଣି ରହିଛି। ନଳକୂପ ଖନନ ହେଲେ ଅନେକ ସମୟରେ ଲୁଣି ପାଣି ଯୋଗୁ ପ୍ରକଳ୍ପ ଫେଲ୍‌ ମାରିଯାଏ। ଅତୀତରେ ଏହାର ଏକାଧିକ ଉଦାହରଣ ଦେଖିବାକୁ ମିଳିଛି। ମହାକାଳପଡ଼ାରେ ତ ଗୋଟିଏ ଗୋଟିଏ ନଳକୂପ ଉପରେ ଶତାଧିକ ଲୋକ ନିର୍ଭର କରିଥା’ନ୍ତି। ବାଲ୍‌ଟି, ଗରା ଲାଇନ୍‌ ଲଗାଇ ପାଣି ନିଅନ୍ତି। କେଉଁଠି କେଉଁଠି ଟ୍ୟାଙ୍କର‌୍‌ ଜରିଆରେ ପ୍ରଶାସନ ପାଣି ଯୋଗାଉଛି। ଫି’ସନ ଏହି ସମସ୍ୟା ଉତ୍କଟ ରୂପ ନେଉଥିବାରୁ ସରକାରଙ୍କ ପକ୍ଷରୁ ଦୁଇ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ୍‌ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ମଣିକୁଣ୍ତାରେ ୨୫୪କୋଟି ବ୍ୟୟରେ ଚାଲିଥିବା ଏହି ବୃହତ୍‌ ପ୍ରକଳ୍ପ ଜରିଆରେ ଉପରୋକ୍ତ ଦୁଇ ବ୍ଲକ୍‌ର ୨୦୦ଗାଁରେ ବିଶୁଦ୍ଧ ପାଣି ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି।

ଆଳି ଓ ରାଜକନିକା ବ୍ଲକ୍‌ରେ ବି ପାଣି ସମସ୍ୟା କିଛି କମ୍‌ ନୁହେଁ। ଭୂତଳ ଲୁଣି ପାଣି ସମସ୍ୟା ରହିଥିବାରୁ ଅନେକ ଜାଗାରେ ଲୋକମାନେ ସରକାରୀ ନଳକୂପ ଉପରେ ନିର୍ଭର କରିଥା’ନ୍ତି। ଅଥଚ, ସରକାର ସ୍ଥାନୀୟ ଦୁଇ ବ୍ଲକ୍‌ର ପାଣି ସମସ୍ୟାକୁ ଏଡ଼ାଇ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ଖରସ୍ରୋତାରେ ବୃହତ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିଲା। ମାତ୍ର ଦୁଇ ବ୍ଲକ୍‌ର ଲୋକମାନେ ଏହାକୁ ଦୃଢ଼ ବିରୋଧ କରିବା ପରେ ସରକାର ଆଳି ଓ କନିକା ପାଇଁ ଆଉ ମେଗା ପାନୀୟ ଜଳ ପ୍ରକଳ୍ପ ଭେଟି ଦେଇଛନ୍ତି। ମୋଟ୍‌ ୨୨୪କୋଟି ବ୍ୟୟରେ ଚାଲିଥିବା ଏହି ପ୍ରକଳ୍ପ ଜରିଆରେ ଦୁଇ ବ୍ଲକ୍‌ର ୧୭୬ଟି ଗାଁରେ ବିଶୁଦ୍ଧ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଳାର ପ୍ରାୟ ୯ଟି ଯାକ ବ୍ଲକ୍‌ରେ ପାଣି ସମସ୍ୟା ରହିଛି। ଖରିଦିନେ ଏହି ସମସ୍ୟା ଅଧିକ ଉତ୍କଟ ରୂପ ନେଉଥିବା ବେଳେ ପ୍ରଶାସନ ପକ୍ଷରୁ କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇପାରୁନାହିଁ। ଜିଲ୍ଲା ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କ କହିବା କଥା ହେଉଛି, ପୂର୍ବଭଳି ପାଣି ସମସ୍ୟା ନାହିଁ। ଯେଉଁସବୁ ଅ˚ଚଳରେ ସମସ୍ୟା ରହିଛି, ସେଠାରେ ଟ୍ୟାଙ୍କର‌୍‌ ଜରିଆରେ ଜଳ ଯୋଗାଣ ହେଉଛି। ପାଇପ୍‌ ଜରିଆରେ ପ୍ରତି ଘରକୁ ପାଣି ପହଞ୍ଚାଇବାକୁ ବସୁଧା ଯୋଜନାରେ ପ୍ରକଳ୍ପ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ୬୪ପ୍ରତିଶତ ଅ˚ଚଳରେ ପାଇପ୍‌ ପାଣି ସୁବିଧା ପହଞ୍ଚି ସାରିଛି। ଆଉ ଯେଉଁ ୩୬ପ୍ରତିଶତ ଅ˚ଚଳକୁ ଯାଇପାରିନାହିଁ, ତାହା ୨୦୨୪ମସିହା ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର