୮ ମେଗା ପାଇପଜଳ ଯୋଗାଣ ପ୍ରକଳ୍ପ: ୧୦ ବର୍ଷ ଧରି ପ୍ରତିଶ୍ରୁତି, ପ୍ରଚାରରେ ସୀମିତ

ଖୋର୍ଦ୍ଧା: ୨୦୧୩-୧୪ରୁ ପ୍ରତିଶ୍ରୁତି ମିଳିଥିଲା। ପ୍ରାୟ ୫ ବର୍ଷ ପରେ ୨୦୧୮-୧୯ରେ ଯୋଜନା ହୋଇ ଅନୁଦାନ ମିଳିଲା, ଟେଣ୍ଡର ହେଲା। କୁହାଗଲା ଯେ ୩ ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବ୍ଲକରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇଯିବ। ବର୍ତ୍ତମାନ ୩ ବର୍ଷ ପୂରଣ ହୋଇଯାଇଛି, କିନ୍ତୁ ଜିଲ୍ଲାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଅନୁଦିତ ହୋଇଥିବା ୮ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାମ ଆଗେଇ ପାରିନାହିଁ। ସରକାର ମାର୍ଚ୍ଚରୁ ମଇ ୨୦୨୩ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଥିଲେ ମଧ୍ୟ ଏହା ନିର୍ଦ୍ଧାରିତ ସମୟରେ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମିଶନରୁ ମିଳିଥିବା ତଥ୍ୟାନୁସାରେ, ଚିଲିକାର ୧୩୨ଟି ଗାଁ, ଟାଙ୍ଗୀ ବ୍ଲକର ୪୬ଟି ଓ ବାଣପୁରର ୩୬ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଫେବ୍ରୁଆରୀ-ମାର୍ଚ୍ଚ ୨୦୨୩ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏଲଆଣ୍ଡଟି କମ୍ପାନି ଦ୍ୱାରା ଚାଲୁଥିବା ଏହି କାର୍ଯ୍ୟର ଜଳଗ୍ରହଣ କୂଅ କାର୍ଯ୍ୟ କେବଳ ୧୫ ପ୍ରତିଶତ ଶେଷ ହୋଇଛି।

ଜଳ ବିଶୁଦ୍ଧିକରଣ କାରଖାନା (ଡବ୍ଲୁଟିପି) ପାଇଁ ଜମି ମଧ୍ୟ ମିଳିନାହିଁ। ସିଡବ୍ଲୁଆର୍ଏମର ୧୫୯ କିମି ପାଇପ ବିଛା କାମ ମଧ୍ୟରୁ ୬୪ କିମି ବଳକା ରହିଛି। ଗାଁକୁ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାପନ ହେବାକୁ ଥିବା ୬୫୨ କିମି ପାଇପ ଲାଇନରୁ ୪୩୩ କିମି ବର୍ତ୍ତମାନ ଯାଏଁ ପୂରଣ ହୋଇନାହିଁ। ସେହିଭଳି ଖୋର୍ଦ୍ଧା ଓ ଜଟଣୀ ବ୍ଳକର ୩୮ଟି ପଞ୍ଚାୟତର ୨୧୩ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଅନ୍ୟ ଏକ ପ୍ରକଳ୍ପ କାମ ମଧ୍ୟ ଏଲଆଣ୍ଡଟିକୁ ମିଳିଛି। ଜଳଗ୍ରହଣ କୂଅ ପାଇଁ ଜମି ଚିହ୍ନଟ ହୋଇ ସାରିଥିଲେ ମଧ୍ୟ କମ୍ପାନିକୁ ହସ୍ତାନ୍ତର ହୋଇ ନାହିଁ କି କାମ ଆରମ୍ଭ ହୋଇନାହିଁ। ଜଟଣୀ ବ୍ଳକରେ ଏଥିପାଇଁ ଘରୋଇ ଜମି କ୍ରୟ କରିବାକୁ ପଡ଼ୁଥିବା ବେଳେ ଏହା ଶେଷ ହୋଇନଥିବା ଜଣାଯାଇଛି। ସେହିଭଳି ପାଇପ ଜଳ ଯୋଗାଣ ପାଇଁ ୧୪୪୭ କିମି ପାଇପ ଲାଇନ ବିଛାଇବା ଯୋଜନା ଥିଲା, ଏହା ମଧ୍ୟରୁ ୯୩୪.୨୭ କିମି ପାଇପ ଲାଇନ ଏଯାଏଁ ବିଛା ଯାଇପାରିନାହିଁ।

ସେହିଭଳି ବେଣାପଞ୍ଜରୀ ଠାରେ ଜଳ ବିଶୁଦ୍ଧିକରଣ କାରଖାନା କାମ କେବଳ ୧୫ ପ୍ରତିଶତ ଶେଷ ହୋଇଛି। ଏହାକୁ ଜୁନ ୨୦୨୩ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ କାମର ଅଗ୍ରଗତିକୁ ଲକ୍ଷ୍ୟ କଲେ ଏହା ନିର୍ଦ୍ଧାରିତ ସମୟରେ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜେଏମସି ଦ୍ୱାରା ବୋଲଗଡ଼ ଓ ବେଗୁନିଆର ୩୩୭ଟି ଗାଁକୁ ପାଇପ ଜଳ ଯୋଗାଣ କାର୍ଯ୍ୟର ପାଇପ ବିଛା କାମ ୯୭୫.୧୮ କିମି ମଧ୍ୟରୁ ୧୪୫ କିମି ବଳକା ରହିଛି। ଜଳଗ୍ରହଣ କୂଅ, ଜଳ ବିଶୁଦ୍ଧୀକରଣ କାରଖାନା କାର୍ଯ୍ୟ ମଧ୍ୟ ପର୍ଯ୍ୟାପ୍ତ ମାନବସମ୍ବଳର ଅଭାବରୁ ପ୍ରାୟତଃ ବନ୍ଦ ରହିଛି। ଯଦିଓ ପୂର୍ବ ଦୁଇ ପ୍ରକଳ୍ପ କାର୍ଯ୍ୟ ଠାରୁ ବେଗୁନିଆ ଓ ବୋଲଗଡ଼ ପ୍ରକଳ୍ପ କାର୍ଯ୍ୟ କିଛି ପରିମାଣରେ ଆଗେଇଛି, କିନ୍ତୁ ବର୍ତ୍ତମାନ କାର୍ଯ୍ୟର ଅଗ୍ରଗତିକୁ ଲକ୍ଷ୍ୟ କରି ଏହାକୁ କାର୍ଯ୍ୟକ୍ଷମ କରିବା ତାରିଖ ମାର୍ଚ୍ଚ-ଅପ୍ରିଲ ୨୦୨୩ରୁ ଜୁନ-ଜୁଲାଇ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି। ସେହିଭଳି କେସିପିଏଲ କମ୍ପାନି ଦ୍ୱାରା ବାଣପୁର ବ୍ଳକର ରାଣିପଡ଼ା କ୍ଲଷ୍ଟରର ୬୦ଟି ଗାଁକୁ ପାଇପ ଜଳ ଯୋଗାଣ ପ୍ରକଳ୍ପର ଜଳଗ୍ରହଣ କୂପ, ଜଳ ବିଶୁଦ୍ଧିକରଣ କାରଖାନା କାମ ଶେଷ ହୋଇନାହିଁ। ପାଇପ ବିଛାଇବା କାମ ୧୨୭.୧୧ କିମିରୁ ୨୩ କିମି ବଳକା ପଡ଼ିଛି। ଏନଡ଼ିସି ଦ୍ୱାରା ବାଲିପାଟଣା, ଭୁବନେଶ୍ୱର, ବାଲିଅନ୍ତା ଓ ଟାଙ୍ଗୀ ବ୍ଲକର ୬୯ଟି ପଞ୍ଚ‌ାୟତକୁ ପାଇପ ଜଳ ଯୋଗାଣ ପ୍ରକଳ୍ପ କାମ ୨୦୨୨-୨୩ରେ ଆରମ୍ଭ ହୋଇଥିବାରୁ ଏହାର ୯୦ ପ୍ରତିଶତ କାମ ପ୍ରାଥମିକ ପର୍ଯ୍ୟାୟରେ ରହିଛି।

ସମ୍ବନ୍ଧିତ ଖବର