ମହାକାଳପଡ଼ା: ଗାଁରେ ରହିଛି ନଳକୂପ। ହେଲେ ଏଥିରୁ ବାହାରୁଛି ଖାର ଜଳ। ଏକମାତ୍ର କ୍ଷୁଦ୍ର ପାନୀୟଜଳ ପ୍ରକଳ୍ପ ବି ସମସ୍ତଙ୍କ ଚାହିଦା ପୂରଣ କରିବାରେ ଅସମର୍ଥ। ତେଣୁ ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ୨ କିମି ବାଟ। ବରକନ୍ଧା ପଞ୍ଚାୟତରେ ଏଭଳି ସମସ୍ୟା ଦେଖାଦେଇଛି। ଏଠାରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବରକନ୍ଧା ପଞ୍ଚାୟତ ଅଧୀନ ଗୋଜାବନ୍ଧ, ଛେଡାକଣି, ଷାଠିଏବାଟି, ଗୋଖାଖଟି, ଦଶରାଜପୁରଡିଆ, ତେନ୍ତୁଳିକନ୍ଧା, ବରକନ୍ଧା ଆଦି ଗ୍ରାମ ରହିଥିବା ବେଳେ ଲୋକସଂଖ୍ୟା ୬ ହଜାରରୁ ଅଧିକ। ମଦରଙ୍ଗାଡିଆଠାରେ ଏକ ପାନୀୟଜଳ ପ୍ରକଳ୍ପ ରହିଛି। ଏଥିରୁ ବରକନ୍ଧା, ତେନ୍ତୁଳିକନ୍ଧା, ଦଶରାଜପୁରଡିଆ ଓ ଗୋଖାଖଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୨୦୦୮ ମସିହାରେ ପାଇପ୍ ବିଛାଯାଇଥିଲା। ପ୍ରାୟ ୨ ବର୍ଷ ହେବ ବିଛା ଯାଇଥିବା ପାଇପ୍ ବିଭିନ୍ନ ସ୍ଥାନରେ ଫାଟି ଯିବା ସହିତ ମାଟି ଆଦି ପଶିଯାଇ ଜମାଟ ବାନ୍ଧିଛି।
ଫଳରେ ବରକନ୍ଧା, ତେନ୍ତୁଳିକନ୍ଧା ଓ ଗୋଖାଖଟି ଗ୍ରାମକୁ ଠିକ ଭାବେ ପାଣି ଯାଇପାରୁନି। ଅପରପକ୍ଷେ ଏହି ସବୁ ଗ୍ରାମରେ ନଳକୂପଗୁଡିକ ରହିଥିଲେ ବି ଏଥିରୁ ଖାର ଜଳ ବାହାରୁଛି। ତେଣୁ ଲୋକେ ଦୂରରେ ଥିବା ମଧୁର ଜଳ ଉତ୍ସରୁ ପାଣି ଆଣୁଥିବା ଦେଖିବାକୁ ମିଳିଛି। ବିଶେଷକରି ଗୋଖାଖଟି ଗ୍ରାମର ଲୋକେ ଓ ପିଲାମାନେ ଦୁଇ କିଲୋମିଟର ଦୂରରେ ଥିବା ମଦରଙ୍ଗାଡିଆ ପ୍ରକଳ୍ପକୁ ଯାଇ ସେଠାରୁ ଜଳ ସଂଗ୍ରହ କରୁଛନ୍ତି। ଗୋଜାବନ୍ଧ, ବରକନ୍ଧା ଓ ଛେଡାକଣି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ତାହା ମଧ୍ୟ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ। ସେହିପରି ଷାଠିଏବାଟି ଓ ତେନ୍ତୁଳିକନ୍ଧା ଗ୍ରାମର ଲୋକଙ୍କୁ କୌଣସି ଉତ୍ସରୁ ପିଇବା ପାଣି ମିଳିପାରୁ ନ ଥିବାରୁ ସେମାନେ ଟ୍ୟାଙ୍କର ଯୋଗେ ପାଣି ଦେବାକୁ ଦାବି କରୁଛନ୍ତି। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/0709IMG_20220403_134914_6.jpg)