ନଈ ପାଣି ଲୁଣି, କାମ କରୁନି ‘ରୋ’ ପ୍ରକଳ୍ପ
ମହାକାଳପଡା: ମହାକାଳପଡ଼ା ବ୍ଲକ୍ ମଙ୍ଗଳପୁର ଓ ବରକନ୍ଧା ପଂଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ମଙ୍ଗଳପୁର ପଂଚାୟତର ବଉଳପଡାଠାରେ ଏକ କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ରହିଛି। ଏହା ଲୋକଙ୍କ ପାନୀୟ ଜଳ ଚାହିଦା ପୂରଣ କରିପାରୁନି। ସେହିପରି ବରକନ୍ଧା ପଂଚାୟତର ମଦରଙ୍ଗାଡିଆଠାରେ ଥିବା କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ଲୋକମାନଙ୍କ ଚାହିଦା ମେଣ୍ଟାଇବାରେ ଅସମର୍ଥ ହେଉଛି। ଯାହାକୁ ଲକ୍ଷ୍ୟ କରି ୨୦୧୮ରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ପାନୀୟ ଜଳ ବିଭାଗ ପକ୍ଷରୁ ରିଭର୍ସ ଓସ୍ମୋସିସ ପ୍ରକ୍ରିୟା(ରୋ) ଦ୍ବାରା ନଦୀ ଜଳକୁ ବିଶୁଦ୍ଧ କରାଯାଇ ପାନୀୟ ଜଳ ରୂପେ ସଂଗ୍ରହ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମହାନଦୀର ଶାଖା ଲୁଣା ନଦୀର ମଙ୍ଗଳପୁର ଓ ବରକନ୍ଧା ପଂଚାୟତର ଗୋଜାବନ୍ଧଠାରେ ଦୁଇଟି ‘ରୋ’ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଣ କରାଯାଇ ଆସୁଥିଲା। କିନ୍ତୁ ଏ ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଲୁଣା ନଦୀ ପାଣି ଲୁଣି ହୋଇ ଯାଇଥିବାରୁ ଏହି ପାଣିକୁ ‘ରୋ’ ପ୍ରକଳ୍ପ ମାଧ୍ୟମରେ ମଧୁର ଜଳରେ ପରିବର୍ତ୍ତନ କରିବା ସମ୍ଭବ ହୋଇ ପାରୁନାହିଁ। ଫଳରେ ପିଇବା ପାଣି ପାଇଁ ଏହି ଦୁଇଟି ପଂଚାୟତର ଅଧିବାସୀଙ୍କ ମଧ୍ୟରେ ହାହାକାର ପଡିଛି। ଅପରପକ୍ଷେ ଏହି ସମସ୍ୟା ଦୂର କରିବା ଲାଗି ମାର୍ଶାଘାଇଠାରେ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଅଣାଯାଇ ଲୋକମାନଙ୍କୁ ଦିଆଯାଉଛି। ହେଲେ ଆବଶ୍ୟକତା ପରିମାଣର ପାନୀୟ ଜଳ ଉପଲବ୍ଧ ହୋଇ ପାରୁ ନାହିଁ। ଫଳରେ ଲୋକମାନେ ପାନୀୟ ଜଳ ସମସ୍ୟାକୁ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉ କି, ମହାକାଳପଡ଼ାରୁ ପାନୀୟ ଜଳ ସମସ୍ୟା ଦୂର ପାଇଁ ସରକାରୀସ୍ତରରେ ଅନେକ ଉଦ୍ୟମ ହୋଇଛି। ଏହି ଉଦ୍ୟମ ଶତ ପ୍ରତିଶତ ସଫଳ ହୋଇ ପାରିନାହିଁ। ଏହା ପଛର କାରଣ ହେଉଛି ମହାକାଳପଡା ଅଂଚଳର ଭୈାଗଳିକ ସ୍ଥିତି ଓ ଭୂତଳ ଜଳସ୍ତରର ସ୍ଥିତି ଓ ଗୁଣବତ୍ତା। ଏବେ ‘ବସୁଧା’ ଯୋଜନାରେ ପ୍ରତି ପରିବାରକୁ ମଧୁର ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ। ବ୍ଳକ୍ରେ ୩୧ଟି ପଂଚାୟତ ମଧରୁ ପ୍ରାୟ ଦୁଇ ତୃତୀୟାଂଶରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ବ୍ଲକସ୍ତରରେ ୩୯ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି। ନଳକୂପ ସଂଖ୍ୟା ପ୍ରାୟ ୨ହଜାର ୪ଶହ ବୋଲି ସରକାରୀ ତଥ୍ୟ କହୁଛି। ଏଥିମଧ୍ୟରୁ ଅଧିକାଂଶ ଅଚଳ। ଆଉ କେତେକରୁ ଲୁଣା ପାଣି ବାହାରୁଛି।