ଜିଲ୍ଲାରେ ପାଣି ପାଇଁ ହାହାକାର: ବାସ୍ତବତା ଭିନ୍ନ, ବିଭାଗ ରିପୋର୍ଟ ଅଲଗା

ଜିଲ୍ଲାର ୧୧,୩୨୯ ନଳକୂପରୁ ଅର୍ଦ୍ଧାଧିକ ଖରାପ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ପାଣି ପାଇ ହାହାକାର ପଡିଛି। ବିଭାଗ ଜିଲ୍ଲାରେ ପାଣିର କୌଣସି ସମସ୍ୟା ନଥିବା କହୁଥିବା ବେଳେ ପ୍ରକୃତରେ ସ୍ଥିତି ଅଲଗା ରହିଛି। ଦୁର୍ଗମ ଅଞ୍ଚଳର କଥା ନକହିବା ଭଲ। ଲୋକେ ଚୁଆ ପାଣି ଉପରେ ବର୍ଷବର୍ଷ ଧରି ନର୍ଭର କରୁଛନ୍ତି। ଜିଲ୍ଲାର ୧୧୧ଟି ପଞ୍ଚାୟତରେ ମୋଟ ୧୧ ହଜାର ୩୨୯ଟି ନଳକୂପ ରହିଥିବା କୁହାଯାଇଛି। କିନ୍ତୁ ଏହି ରିପୋର୍ଟ କେବଳ କାଗଜ କଲମରେ ସ୍ଥଗିତ ରହିଛି। ଏହାର ଅର୍ଦ୍ଧାଧିକ ନଳକୂପ ଏବେ ବି ଅଚଳ ହୋଇ ପଡିଛି। ଜଳ ଓ ପରିମଳ ବିଭାଗକୁ କେତେ ନଳକୂପ ଅଚଳ ରହିଥିବା ନେଇ  ପ୍ରଶ୍ନ କରାଗଲେ ଏହାର ଉତ୍ତରରେ ବ୍ଲକ ଏବଂ ପଞ୍ଚାୟତ ନିକଟରେ ଏହାର ସୂଚନା ମିଳିବ ବୋଲି କୁହାଯାଉଛି। ଜିଲ୍ଲାରେ ସ୍ଥିତି ଏବେ ସଙ୍ଗୀନ ରହିଛି। ଲୋକେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି।

ଏନେଇ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗ ଜାଣି ଅଜଣା ଭଳି ଅଭିନୟ କରୁଛି। ଜିଲ୍ଲାର ସାତୋଟିଯାକ ବ୍ଲକର ଅବସ୍ଥା ଏକାପରି। ଜିଲ୍ଲା ଜଳ ଓ ପରିମଳ ବିଭାଗରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୩୬୪ଟି ପାଇପ ଜଳ ଯୋଗାଣର ବ୍ୟବସ୍ଥା ରହିଛି। କିନ୍ତୁ ଏଥିରୁ କେତେ ଅଚଳ ଏବଂ କେତେ କାମ କରୁଛି ତାହାର ହିସାବ କାହା ପାଖରେ ନାହିଁ। ଏହାର ୬୦ ପ୍ରତିଶତ ପାଇପ ଜଳ ଯୋଗାଣ ଏବେ ଅଚଳ ହୋଇ ପଡିଛି। କେଉଁଠି ବିଦ୍ୟୁତ ସେବା ଯୋଗୁଁ ଖରାପ ହୋଇପଡିଥିବା ବେଳେ ଆଉକେଉଁଠି ପାଇପଗୁଡିକ ନଷ୍ଟ ହୋଇସାରିଲାଣି। ଅଚଳ ପାଣି ଟାଙ୍କି ଗୁଡିକକୁ ରଙ୍ଗ ଦେଇ ବିଭାଗ କାମ କରୁଥିବା ଦର୍ଶାଉଛି। ଏହାର ତଦନ୍ତ ହେଲେ ଏକ ବଡ ଦୁର୍ନୀତିର ପର୍ଦାଫାସ ହେବ ବୋଲି କୁହାଯାଇଛି। ଅଚଳ ପାଇପ ଜଳ ଯୋଗାଣକୁ ସଜଡା ନଯାଇ ଲକ୍ଷାଧିକ ଟଙ୍କାର ରଙ୍ଗ ଦେଇ ଆତ୍ମସାତ କରାଯାଇଥିବା ଅଭିଯୋଗ କରାଯାଇଛି। ଏହି ପାଇପ ଜଳ ଯୋଗାଣ ଜିଲ୍ଲାର ପଞ୍ଚାୟତ ସଦର ମହକୁମା, ବ୍ଲକ ସଦର ମହକୁମା ଏବଂ ଅଧିକା ଥିବା ଜନସଂଖ୍ୟା ସ୍ଥାନରେ ବ୍ୟବସ୍ଥା କରାଯାଇଛି।

Sambad

ସେହିପରି ଜିଲ୍ଲାର ୯୬୭ଟି କୂଅ ରହିଥିବା କୁହାଯାଇଛି। କିନ୍ତୁ ଏହି କୂଅ ଏବେ ଚୋରି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେତିକି କୂଅ କାଗଜ କଲମରେ ଦର୍ଶାଯାଉଛି, ତାହା ଏବେ ଅଛି କି ନାହିଁ ବିଭାଗ ଜାଣି ନାହିଁ। କିନ୍ତୁ ଅନଲାଇନରେ ଏତିକି କୂଅ ଜିଲ୍ଲାରେ ରହିଥିବା ଦର୍ଶାଯାଉଛି। ସେହିପରି ଝରଣା ପାଣିକୁ ପାଇପ ଯୋଗେ ଗ୍ରାମକୁ ପହଞ୍ଚାଯାଉଥିବା କୁହାଯାଇଛି। ଏହା ମଧ୍ୟ ଏବେ କାମ କରୁନଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ୮୮ଟି ଏଭଳି ଝରଣା ପାଣିକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିବା କାଗଜ କଲମରେ ରିପୋର୍ଟ ଦିଆଯାଉଛି। ବିଶେଷକରି ଜିଲ୍ଲାର ବଣ୍ଡାଘାଟି ଏବଂ ସ୍ବାଭିମାନ ଅଞ୍ଚଳରେ ଏହି ଭଳି ପାଣିର ବ୍ୟବସ୍ଥା କରାଯାଇଛି। ତେବେ ଏବେ ଗ୍ରୀଷ୍ମର ପ୍ରଖର ତାତିରେ ଝରଣା ବି ଶୁଖିଗଲାଣି। ଲୋକେ ନଦୀ ନିକଟରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଏନେଇ ବିଭିନ୍ନ ରାଜନୈତିକ ଦଳ ଜିଲ୍ଲାରେ ପାଣିର ଉତ୍କଟ ସମସ୍ୟା ନେଇ ଦାବି କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ଓହରି ଯାଉଥିବା ଦେଖିବାକୁ ମିଳିଛି। ଏବେ ଜିଲ୍ଲାରେ ପାଣି ସମସ୍ୟାକୁ ଦୁର କରିବା ପାଇଁ ସରକାର ୧୦ଟି ମେଗା ପାନୀଜ ଜଳ ପ୍ରୋଜେକ୍ଟ ଆରମ୍ଭ କରୁଛି। ତେବେ ଏହା କେବେ ସରିବ ଏବଂ ଲୋକେ ପାଣି ପାଇବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର