ମାର୍ଶାଘାଇରେ ସମସ୍ୟା ଉତ୍କଟ, ପାଟିରେ ମାରି ହେଉନି ନଳକୂପ ପାଣି, କେଉଁଠି କାଦୁଆ, କେଉଁଠି ଲୁଣି…

ମାର୍ଶାଘାଇ: ଏପେଟ ତା‌ତି ହୁହୁ ହୋଇ ବଢୁଛି। ସେପଟେ ଜଳସ୍ତର ବି ଖସିବାରେ ଲାଗିଛି। ଏମିତି ସ୍ଥିତିରେ ମାର୍ଶାଘାଇରେ ପାଣି ସମସ୍ୟା ଉତ୍କଟ ହୋଇଛି। ପ୍ରକଳ୍ପ ଥାଇ କାମରେ ଲାଗୁନି। ସ୍ଥିତି ଏମିତି ହୋଇଛି ନଳକୂପ ପାଣି ବି ପାଟି‌ରେ ମାରି ହେଉନି। କେଉଁଠି ନଳକୂପରୁ କାଦୁଆ ପାଣି ବାହାରୁଛି ତ ଆଉ କେଉଁଠି ଲୁଣି ପାଣି। ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ମାର୍ଶାଘାଇ ଅଞ୍ଚଳରେ ଏମିତି ସମସ୍ୟା ନଜରକୁ ଆସିଛି।
ମାର୍ଶାଘାଇ ବ୍ଲକ୍‌ର ୨୪ଟି ପଞ୍ଚାୟତର ଅଧିବାସୀଙ୍କୁ ପିଇବା ପାଣି ଯୋଗାଇଦେବାକୁ ୩୯ଟି ପ୍ରାନୀୟ ପ୍ରକଳ୍ପ ଖୋଳାଯାଇଛି। ହେଲେ ଓଭରହେଡ୍ ପାଣି ଟାଙ୍କି ନିୟମିତ ବ୍ୟବଧାନରେ ବ୍ଲିଚିଂ ହେଉନି। ବିଛାଯାଇଥିବା ପାଇପ ଲାଇନ୍ ସାରା କଣା କରି ବେଆଇନ ସଂଯୋଗ ନିଆଯାଇଛି। ଏଥିରୁ ମଇଳା ପାଣି ବାହାରୁଛି। ଏମିତି ସମସ୍ୟା ସବୁଠି। ବ୍ଲକର ଆଉ କେତେକ ସ୍ଥାନରେ ଜଳକଷ୍ଟ ମେଂଟାଇବାକୁ ମିନିପ୍ରକଳ୍ପର ପ୍ରଡକ୍‌ସନ୍‌ ଓ୍ବେଲ ଖୋଳା ସରିଛି। ସେସବୁ କାର୍ଯ୍ୟକ୍ଷମ ହେବା ନେଇ ଅହେତୁକ ବିଳମ୍ବ ଘଟୁଛି। ବ୍ଲକର ପୋଦନା, ରଘୁନାଥପୁର, ହନ୍ତପଡା, ରତନପୁର, ଶ୍ରୃତିପୁର ଓ ବଛରାଇଠାରେ ଏପରି ପ୍ରକଳ୍ପ ଆଗେଇ ପାରୁନାହିଁ। ଗାଡିଆ, ପୋଖରୀ, କେନାଲ ଆଦି ଶୁଖିଲା ପଡିଛି। ପାନୀୟ ଜଳଠାରୁ ନିତ୍ୟ ବ୍ୟବହାର୍ଯ୍ୟ ଜଳ ପର୍ଯ୍ୟନ୍ତ ସବୁଠି ଅଭାବ। ମଙ୍ଗରାଜପୁର ପାନୀୟ ଜଳ ପ୍ରକଳ୍ପରୁ ଲୁଣିପାଣି ବାହାରୁଛି। ଏଠାରେ ଆଉ ଏକ ପ୍ରଡକ୍‌ସନ ଓ୍ବେଲ ଖୋଳାଯାଇଥିଲେ ବି ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ସେହିପରି ଅନ୍ତେଇ ପଂଚାୟତର ପାଇଲୋ ମେଳଣପଡିଆଠାରେ ୫ବର୍ଷ ହେବ ଅଚଳ ପ୍ରକଳ୍ପର ବିକଳ୍ପ ଭାବେ ପାଇଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଖୋଳା ଯାଇ ଥିବା ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏଠାରେ ଏବେ ଓଭରହେଡ୍ ଟାଙ୍କି କାର୍ଯ୍ୟ ଚାଲିଛି। ଫଳରେ ଏହା ଉପରେ ନିର୍ଭରଶୀଳ ୭ଟି ୱାର୍ଡର ଅଧୀବାସୀ ଜଳକଷ୍ଟ ଭୋଗି ଆସୁଛନ୍ତି।

ଉଲ୍ଳେଖନୀୟ ଏହିକି ଯେ, ଆଖୁଆ–ଦକ୍ଷିଣୀ ପଂଚାୟତର ଆଖୁଆ ଗ୍ରାମର ୧୬ନମ୍ବର ୱାର୍ଡର ଶେଷମୁଣ୍ତକୁ ଆଖୁଆ ହାଇସ୍କୁଲଠାରେ ଥିବା ପ୍ରକଳ୍ପରୁ ପାଣି ପହଂଚି ପାରୁନି। ଆଖୁଆର ଶେଷମୁଣ୍ତରେ ଥିବା ନିଗମାନନ୍ଦ ଆଶ୍ରମଠାରେ ଏକ ପ୍ରକଳ୍ପ ଦୀର୍ଘ ୫ବର୍ଷ ତଳୁ ଖୋଳାସରିଛି। ହେଲେ, ପାଇପ୍‌ଲାଇନ ଯୋଗେ ଜଳକଷ୍ଟ ଭୋଗୁଥିବା ୩୦ ପରିବାରକୁ ପାଣି ଯୋଗାଇଦେବା ସମ୍ଭବ ହୋଇ ପାରୁନାହିଁ। ଏଠାରେ ଥିବା ପ୍ରକଳ୍ପରୁ ପାଇପ୍‌ ଖଣ୍ଡେ ସଂଯୋଗ କରାଯାଇ ଆଶ୍ରମ ପରିସରରେ ଯାହା କେବଳ ପାଣି ମାଡୁଛି। ଏଠାରେ ପାଇପ୍‌ଲାଇନ ଯୋଗେ ପାଣି ଯୋଗାଇ ଦେବାକୁ ପଂଚାୟତ ପକ୍ଷରୁ ମୋଟର କିଣାଯାଇ ରଖାଯାଇଛି। ତାହା ସଂଯୋଗ କରା ଯାଉ ନ ଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ସେହିପରି ମଙ୍ଗରାଜପୁର ପଂଚାୟତର ମଧୁସୂଦନପୁର, ନଛିପଡା, ମେହେନ୍ଦିନଗର ପଂଚାୟତର ରଙ୍ଗାଳହାଟପଡିଆ ଆଦି ଗ୍ରାମରେ ଅଚଳ ନଳକୂପ ମରାମତି ହୋଇପାରୁନାହିଁ। ଏସବୁର ରକ୍ଷଣାବେକ୍ଷଣ ଅଭାବରୁ ବ୍ଲକର ୧ଳକ୍ଷ ୩୦ହଜାର ଅଧିବାସୀ ଗଭୀର ନଳକୂପ ଉପରେ ହିଁ ନିର୍ଭର କରୁଛନ୍ତି। ତେବେ କେଉଁଠି ପ୍ରକଳ୍ପ ଅଚଳ ତ ଆଉକେଉଁଠି ରାଜସ୍ବ ଆଦାୟ ହୋଇପାରୁ ନ ଥିବାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ। ଫଳରେ ପ୍ରକଳ୍ପ ବନ୍ଦ ରହୁଛି। ନିକଟ ଅତୀତରେ ଏ ନେଇ ଦୀର୍ଘ ୪ଦିନ ଧରି ବନ୍ଧକଟା ପଂଚାୟତର ଜରିଆବରେଇ ପ୍ରକଳ୍ପ ବନ୍ଦ ରହିବା ଏହାର ନଗ୍ନ ନମୁନା ମାତ୍ର। ବ୍ଲକ୍‌ରେ ମୋଟ ୧୪୨୬ଟି ଗଭୀର ନଳକୂପ ଥିବା ବିଭାଗ କହୁଥିଲେ ବି ସେଥିରୁ କେତେ ସଚଳ ତାହାର ହିସାବ ମିଳିପାରୁନାହିଁ।

ସମ୍ବନ୍ଧିତ ଖବର