ମହିଗଡ଼ରେ ଦୁଇଦିନରେ କିଡ୍‌ନି ନେଲା ଦୁଇ ଜୀବନ: ଟାଙ୍କି ଅଛି, ପାଇପ୍‌ ବି ବିଛା ହୋଇଛି, ହେଲେ ପାଣି ଆସୁନି

ବସନ୍ତପୁର ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ କେବେ?

କଟକ: କମୁନି କିଡ୍‌ନି ରୋଗର ପ୍ରକୋପ। ଥମୁନି କିଡ୍‌ନିଜନିତ ମୃତ୍ୟୁ। ନରସିଂହପୁର ବ୍ଲକ୍‌ରେ ଦୁଇଦିନରେ ୨ଜଣଙ୍କ ଜୀବନ ନେଇଛି କିଡ୍‌ନି ରୋଗ। ମହିଗଡ଼ ଗ୍ରାମର ୩୧ ତାରିଖରେ ଉତ୍ତମ ବେହେରା(୭୨) ଓ ୧ ତାରିଖରେ ଜିତେନ୍ଦ୍ର ମହାକୁଡ଼(୩୫)ଙ୍କର ମୃତ୍ୟୁ ହୋଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଆଜି ବି କଟକ ଜିଲ୍ଲାର ନରସିଂହପୁର ବ୍ଲକ୍‌ର ଅନେକ ଗାଁକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ହୋଇପାରିନି। ଅନେକ ଗାଁ ରହିଛି ଯେଉଁଠି ଦେଢବର୍ଷ ହେଲା ପାଣିଟାଙ୍କି ତିଆରି ହୋଇଛି, ପାଇପ୍‌ ବି ବିଛାଯାଇଛି, ହେଲେ ପାଇପ୍‌ ପାଣି ଯୋଗାଣ ଆରମ୍ଭ ହୋଇପାରୁନି। ଏଭଳି ଏକ ପଞ୍ଚାୟତ ହେଉଛି ବସନ୍ତପୁର ଓ ରେଗେଡ଼ା। ବସନ୍ତପୁର ପଞ୍ଚାୟତରେ ପାଇପ୍‌ ବିଛାଯାଇଛି, ଟାଙ୍କି ଅଛି କିନ୍ତୁ ପାଣି ଆସୁନି। ସେହିପରି ରେଗେଡ଼ା ପଞ୍ଚାୟତର ମନ୍ଦାଣିଆ ଗାଁକୁ ଛାଡିଦେଲେ ଅନ୍ୟ କୌଣସି ଗାଁରେ ପାଇପ୍‌ ଯୋଗେ ପାନୀୟଜଳ ପାଇପାରୁ ନାହାନ୍ତି ଲୋକେ। ନରସିଂହପୁର ବ୍ଲକ୍‌ର ବସନ୍ତପୁର ପଞ୍ଚାୟତରେ ପାଣି ଟାଙ୍କି ନିର୍ମାଣ ସରିଛି, ଏବେ ପାଇପ୍‌ ମଧ୍ୟ ବିଛା ସରିଛି। କିନ୍ତୁ ଚଳିତ ଗ୍ରୀଷ୍ମଋତୁରେ ପାଇପ୍‌ ପାଣି ଲୋକଙ୍କୁ ମିଳିବ ନା’ ନାହିଁ, ତା’କୁ ନେଇ ଲୋକ ଅପେକ୍ଷାରେ ରହିଛନ୍ତି।

ଉକ୍ତ ପଞ୍ଚାୟତବାସୀ ନଳକୂପ ଓ ନିଜ ଘରେ ଥିବା କୂପ ଅଥବା ବୋର୍‌ୱେଲ୍‌ ଉପରେ ନିର୍ଭର କରୁଥିବା ବେଳେ ୧୮ଟି ୱାର୍ଡର ଭରସା ସେହି ଜଳଉତ୍ସ। ଜାନିସାହି, ଶ୍ୟାମପୁର, ମହିଗଡ଼, ବସନ୍ତପୁର, ଇଞ୍ଜେଲଖାଲ, ଜୟମଙ୍ଗଳପୁର, ଜଗନ୍ନାଥପୁର ଆଦି ସବୁ ଗ୍ରାମରେ ପାଇପ୍‌ ପାଣି ଯୋଗାଣକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ। ସେହିପରି ଯୋଡୁମୁ ପଞ୍ଚାୟତରେ ବି ପାଣିଟାଙ୍କି ତିଆରି ହୋଇଛି, ପାଇପ୍‌ ମଧ୍ୟ ବିଛା ହେଲାଣି କିନ୍ତୁ ପାଣି ଆସୁନି। ଅନ୍ୟପଟେ ରେଗେଡ଼ା ପଞ୍ଚାୟତର ମନ୍ଦାଣିଆ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ହେଉଥିବା ବେଳେ ରେଗେଡ଼ା, ତାଳସାହି, ନୂଆଗାଁ, ସତ୍ୟଜୟପୁର, କୁଞ୍ଜବନପୁର, ପାଇକ‌ରେଗଡ଼ା ଆଦି ଗ୍ରାମବାସୀଙ୍କୁ ନଳକୂଅ ପାଣି ହିଁ ଭରସା। ତେବେ, ନରସିଂହପୁର ବ୍ଲକ୍‌ରେ ଏଲ୍‌ ଏଣ୍ଡ ଟି ଦ୍ବାରା ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଏହାରି ମାଧ୍ୟମରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଗାଁକୁ ପାଣି ଯୋଗାଣ ପାଇଁ ଟେଣ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଥିବା ଜଣାପଡିଛି। ଅନ୍ୟପଟେ ଓଲବ ପଞ୍ଚାୟତରେ ସୋଲାର ସିଷ୍ଟମ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ପାଇଁ ଯୋଜନା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର