ନିଆଳି: ନିଆଳି ବ୍ଲକ୍ ଦେବୀ–କନ୍ଦଳ ଦ୍ବୀପା‌ଞ୍ଚଳ ଅଧୀନ ସିଠାଳୋ ପଞ୍ଚାୟତର ସିଠାଳୋ(କୂଳସାହି) ଗ୍ରାମରେ ଥିବା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବାରୁ ଅଚଳ ହୋଇପଡିଛି। ଫଳରେ ପିଇବା ପାଣି ଟୋପାଏ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ମୁତାବକ, ସିଠାଳୋ ଗ୍ରାମରେ ଥିବା (ଅଳତଳଙ୍ଗ–୨) ଜଳଯୋଗାଣ ପ୍ରକଳ୍ପଟିର ବିଦ୍ୟୁତ୍ ବିଲ୍ ଏକକାଳୀନ ଅତ୍ୟଧିକ ଆସିଛି। ବର୍ତ୍ତମାନ ପଞ୍ଚାୟତର ପୁରାତନ ସରପଞ୍ଚ ଯାଇସାରିଥିବା ବେଳେ ନବନିର୍ବାଚିତ ସରପ‌ଞ୍ଚ ଦାୟିତ୍ବ ନେଇ ନାହାନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରକଳ୍ପଟିରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିବାରୁ ବିଲ୍‌ ଭରାଯାଇ ପାରିନାହିଁ। ଫଳରେ, ବିଦ୍ୟୁତ୍‌ ସଂଯୋଗ କଟାଯାଇଛଇ ଓ ଖରାଦିନେ ପିଇବା ପାଣି ଟୋପାଏ ପାଇବା ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ରାଣୀଓଳା ପଞ୍ଚାୟତର ଅଳତଳଙ୍ଗ-୨ ଅନ୍ତର୍ଗତ ପାନୀୟଜଳ ପ୍ରକଳ୍ପଟି ସିଠାଳେରେ କାର୍ଯ୍ୟକ୍ଷମ ଥିବାବେଳେ ଏହି ପ୍ରକଳ୍ପ ଉପରେ ସିଠାଳୋ ଗ୍ରାମର ୯, ୧୦, ୧୧ ଓ ୧୪ ନମ୍ବର ୱାର୍ଡର ୩ଶହରୁ ଅଧିକ ପରିବାର ନିର୍ଭର କରିଥାନ୍ତି। ପ୍ରକଳ୍ପ ଟି ରାଣୀଓଳା ପଞ୍ଚାୟତର ହୋଇଥିବା ବେଳେ ସିଠାଳୋ ପଞ୍ଚାୟତର ସିଠାଳୋ ଗ୍ରାମରେ କାର୍ଯ୍ୟକ୍ଷମ ରହିଛି।

Advertisment

ଏହାର ବିଦ୍ୟୁତ୍ ବିଲ୍ ରାଣୀଓଳା ପଞ୍ଚାୟତ ନାମରେ ଥିବା ବେଳେ ସିଠାଳୋ ପଞ୍ଚାୟତର ଜନସାଧାରଣ ପାନୀୟଜଳ ପାଆନ୍ତି। ହେଲେ, ଏଭଳି ସ୍ଥାନରେ ଥିବାରୁ ପ୍ରକଳ୍ପଟିର ବିଦ୍ୟୁତ୍ ବିଲ୍ ରାଣୀଓଳା ଦେଲାନାହିଁ କିମ୍ବା ସିଠାଳୋ ପଞ୍ଚାୟତ ଦେଉନାହିଁ। ଅତ୍ୟଧିକ ବିଦ୍ୟୁତ୍ ବିଲ୍ ପୈଠ ନକରିବାରୁ ପ୍ରକଳ୍ପଟିରୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ଫଳରେ ଏହା ଉପରେ ନିର୍ଭରଶୀଳ ୩ ଶହ ପରିବାର ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିଦ୍ୟୁତ୍ ସଂଯୋଗ ସହ ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରିବାକୁ ନବନିର୍ବାଚିତ ସରପ‌ଞ୍ଚ କବିତା ମହାପାତ୍ରଙ୍କ ସମେତ ଲିଟୁନା ସେନାପତି, ସନ୍ତୋଷ ମହାପାତ୍ର, ନୃସିଂହ ପ୍ରଧାନ, ଭୁବନା ବେହେରା, ଉଦାର ପ୍ରଧାନ, ଚକ୍ରଧର ସାହୁ, ବାବାଜୀ ସେନାପତି, ଜୟନ୍ତ ସେନାପତି, ପ୍ରବୀର ସେନାପତି, ବିଶ୍ବନାଥ ବେହେରା, ମନୋରଞ୍ଜନ ସେନାପତି, ପ୍ରତାପ ବେହେରା, ବେଣୁଧର ଭୋଇ, ତପନ ପ୍ରଧାନଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ତୁରନ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଅଶୋକ କୁମାର ଲେଙ୍କାଙ୍କ ସହ ଯୋଗାଯୋଗ କରିବାରୁ ପ୍ରକଳ୍ପଟି କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।