ମେଗା ପାନୀୟଜଳ ପ୍ରକଳ୍ପରୁ ୧୯ ପଞ୍ଚାୟତ ବାଦ୍‌, ଶତାଧିକ ନଳକୂପ ଅଚଳ, ଅଧିକାରୀଙ୍କ ଦେଖାନାହିଁ

ପଟ୍ଟାମୁଣ୍ତାଇ: ସବୁ ଗାଁକୁ ପାଇପ୍‌ ପାଣି ସଂଯୋଗ ପାଇଁ ରାଜ୍ୟ ସରକାର ମେଗା ପାନୀୟଜଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଞ୍ଚଳରେ ଏକ ପ୍ରକାର ଫେଲ୍‌ ମାରିଛି। ବିଭିନ୍ନ ପଞ୍ଚାୟତର ଶତାଧିକ ନଳକୂପ ଅଚଳ ହୋଇପଡ଼ିଛି। ବ୍ଲକ୍‌ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ବେ ଅଚଳ ନଳକୂପଗୁଡ଼ିକ ମରାମତି କରାଯାଉ ନାହିଁ। ମାତ୍ର ନଳକୂପ ମରାମତି ନାଁ ଲକ୍ଷାଧିକ ଟଙ୍କା ଭାଉଚର୍‌ କରାଯାଇ ପଞ୍ଚାୟତରୁ ପୈଠ ହେଉଛି। ମରାମତି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦେଖା ମିଳୁନାହିଁ। ଆଳି ଓ ରାଜନଗରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହି ପ୍ରକଳ୍ପ ଅଧୀନରେ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୧୨ଟି ପଞ୍ଚାୟତ ସାମିଲ ହୋଇଛି। ମୋଟ୍‌ ୩୧ ପଞ୍ଚାୟତରୁ ୧୯ ପଞ୍ଚାୟତ ଏହି ଯୋଜନାରୁ ବାଦ୍‌ ପଡ଼ିଛି। ମିଳିଥିବା ସୂଚନାନୁସାରେ ପଟ୍ଟାମୁଣ୍ଡାଇ ଆଳି-କନିକା ବ୍ଲକ୍‌ ପାଇଁ ୨୬୮ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜରୁ ହୋଇ କାମ ଆରମ୍ଭ ହୋଇଛି। ସେହିପରି ରାଜନଗର ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ୨୯୮ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି। ମାତ୍ର ପଟ୍ଟାମୁଣ୍ତାଇରେ ପ୍ରକଳ୍ପ ପାଇଁ ଆନ୍ତରିକତା ଦେଖାଯାଉ ନାହିଁ।

ପଟ୍ଟାମୁଣ୍ଡାଇ ବାଛରାରେ ଏକ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ତିଆରି କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ପ୍ରକଳ୍ପ ସରକାରଙ୍କ ନାଲିଫିତା ତଳେ ଚାପି ହୋଇରହିଛି। ପଟ୍ଟାମୁଣ୍ତାଇ ବ୍ଲକ୍‌ରେ ମୋଟ୍‌ ୩୧ଟି ପଞ୍ଚାୟତ ରହିଛି। ଆଳି-କନିକା ପ୍ରକଳ୍ପରେ ପଟ୍ଟାମୁଣ୍ତାଇ ବ୍ଲକ୍‌ର ପେଣ୍ଠପାଳ, ଅଣ୍ତରା ଓ ବଲୁରିଆ ପଞ୍ଚାୟତ ରହିଛି। ସେହିପରି ରାଜନଗର ପ୍ରକଳ୍ପରେ ପଟ୍ଟାମୁଣ୍ତାଇ ବ୍ଲକ୍‌ର ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଚନ୍ଦନଗର, ଦୋଷିଆ, ବିଲିକଣା, ଖଣତା, ଓଉପଦା ଓ ସଂସାରଫଳ ଏପରି ୯ଟି ପଞ୍ଚାୟତ ସାମିଲ ହୋଇଛି। ପଟ୍ଟାମୁଣ୍ତାଇ ବ୍ଲକ୍‌ର ବଳକା ୧୯ଟି ପଞ୍ଚାୟତର ୮୬ ଟି ଗାଁର ୧ ଲକ୍ଷ ଲୋକ ମେଗା ପାନୀୟଜଳ ପ୍ରକଳ୍ପରୁ ବାଦ୍‌ ପଡ଼ିଛି। ଏଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପଞ୍ଚାୟତଗୁଡ଼ିକ ହେଲା, ସିଂହଗାଁ, ଅମୃତମଣୋହୀ, ତରଡ଼ିପାଳ, ଅଳପୁଆ, ବାଲିପାଟଣା, ବାଛରା, ଶାସନ, କଖାରୁଣୀ, ଖଡ଼ିଅଂଟା, ଗଙ୍ଗାରାମପୁର, ଅରଡ଼ପଲ୍ଲୀ, ସାନଜରିଆ, ବଡ଼ମୂଳବସନ୍ତ, ଡିହାପଡ଼ା, ନରସିଂହପୁର, ବଡ଼ପଡ଼ା, ଦିହୁଡ଼ିପୁର, ମଡ଼ମହନପୁର ଓ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତ ରହିଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ପଞ୍ଚାୟତ ବାଲିପାଟଣାରେ ବି ଏହି ମେଗା ପାନୀୟଜଳ ପ୍ରକଳ୍ପରୁ ବାଦ୍‌ ପଡ଼ିଛି।

ସମ୍ବନ୍ଧିତ ଖବର