କୁଜଙ୍ଗ: ଜୁଲାଇ ମାସ ଅଧା ହେଲାଣି, ଜଗତସିଂହପୁର ଜିଲ୍ଲାରେ ଚାଷ ଜମିକୁ ଆବଶ୍ୟକ ପରିମାଣର ବର୍ଷା ନାହିଁ। ତଳି ବିହନ ପକାଇ କେନାଲ ପାଣିକୁ ଚାହିଁ ରହିଛନ୍ତି। ବର୍ଷା ଅଭାବରୁ ତଳିଘେରା ଗଜା ମରୁଡି ସ୍ଥିତିକୁ ଆସିଲାଣି। ଉପରୁ ବର୍ଷା ନାହିଁ କି କେନାଲରେ ପାଣିନାହିଁ। କଟକରେ କେନାଲର ନବୀକରଣ କାମ ଚାଲିଥିବାରୁ ଏବେ କଟକରୁ ତାଳଦଣ୍ତା ଚୌଧୁରୀଗଡା ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ସମ୍ପୂର୍ଣ୍ଣ ଶୁଖିଲା ପଡିଛି। ତାଳଦଣ୍ତା ଚୌଧୁରୀ ଗଡା ନିକଟରେ ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥା ମହାନଦୀରୁ ତାଳଦଣ୍ତା କେନାଲ ଜରିଆରେ ପାଣି ଉଠାଇ ନିଜସ୍ବ ବ୍ୟବହାର ପାଇଁ ନେଉଥିବାବେଳେ ବେଳେ ଚାଷୀ ମାନେ ସେହି ପାଣିରୁ ବଂଚିତ ହେଉଛନ୍ତି। ଚାଷୀ କେନାଲ ପାଣି ହକ୍‌ରୁ ବଞ୍ଚିତ ହେଉଥିବା ବେଳେ ଶିଳ୍ପ ସଂସ୍ଥାକୁ ଜଳଯୋଗାଣ ନେଇ ଅନେକ ଚାଷୀ ଆପତ୍ତି ଉଠାଇଛନ୍ତି। କେନାଲରେ ଜୁନ ୨୦ ପରଠାରୁ ଯଦି ପାଣି ଛଡା ଯାଇଥାନ୍ତା ତାହଲେ ଏବେ ତଳି ଘେରା ରୁଆବେଉଷଣ କରିବା ଅବସ୍ଥାକୁ ଆସନ୍ତାଣି। କିନ୍ତୁ ଚାଷ କାମ ସମ୍ପୂର୍ଣ୍ଣ ପଛେଇ ଯାଇଛି। ଜଳସମ୍ପଦ ବିଭାଗ ତୁରନ୍ତ ତାଳଦଣ୍ତାରେ ପାଣି ଛାଡ଼ିବାକୁ କୁଜଙ୍ଗ ଅଂଚଳର ଚାଷୀମାନେ ଦାବି କରିଛନ୍ତି। ଏନେଇ କୁଜଙ୍ଗ ଜଳସମ୍ପଦ ବିଭାଗର ଏସଡ଼ିଓ ନଗେନ୍ଦ୍ରନାଥ ଜେନାଙ୍କୁ ପଚାରିବାରୁ ସେ ଆସନ୍ତା ୧୫ ତାରିଖ ମଧ୍ୟରେ ତାଳଦଣ୍ତା କେନାଲରେ ଜଳ ଯୋଗାଣ ହେବ ବୋଲି ସୂଚନା ଦେଇଛନ୍ତି। କୁଜଙ୍ଗ ବ୍ଳକର ଅଞ୍ଚଳର ମୋଟ ଚାଷ ଜମିରୁ ଶତକଡା ୯୦ ପ୍ରତିଶତ ତାଳଦଣ୍ତା କେନାଲ ଜରିଆରେ ଜଳସେଚିତ ହୋଇଥାଏ । କୁଜଙ୍ଗ ବ୍ଳକରେ ଚଳିତ ବର୍ଷ ମୋଟ ୧୨ ହଜାର ୫ ଶହ ୪୭ ହେକ୍ଟର ଜମିରେ ଧାନ ଚାଷ କରାଯିବା ନେଇ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ସେଥିରୁ ୬ ହଜାର ୫ ଶହ ୪୭ ହେକ୍ଟର ଢିପ ଜମି, ୩ ହଜାର ୨ଶହ ହେକ୍ଟର ନିମ୍ନ ଓ ଅବଶିଷ୍ଟ ମଧ୍ୟମ ଧରଣର ଚାଷ ଜମି ରହିଛି।

Advertisment

ଚାଷୀ ମାନଙ୍କୁ ଗତବର୍ଷ ୭୮୨ କ୍ବିଣ୍ଟାଲ ବିହନ ଯୋଗାଇ ଦିଆଯାଇଥିବା ବେଳେ ଏବର୍ଷ ୯୨୭ କ୍ବିଣ୍ଟାଲ ବିହନ ପ୍ରଦାନ କରାଯାଇଛି। ଚାଷୀମାନେ ବିଲରେ ତଳିବିହନ ବୁଣି ସାରିଲେଣି। ଜୁନ ୨୦ ତାରିଖ ସୁଦ୍ଧା ତାଳଦଣ୍ତା କେନାଲରେ ପାଣି ଛଡାଯିବା କଥା। ମାତ୍ର ଜୁଲାଇ ୧୦ ତାରିଖ ହେଲାଣି ତାଳଦଣ୍ତା କେନାଲ ଶୁଖିଲା ପଡିଛି। ତଥ୍ୟ ଅନୁସାରେ ତାଳଦଣ୍ତା କେନାଲର ଚୌଧୁରୀଗଡା ନିକଟରେ ଥିବା ୧୪ ନମ୍ବର ମାଇନର କେନାଲ ଜରିଆରେ ୩୧୬୮ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ। ସେହିପରିଭାବେ ୧୫ ନମ୍ବର ମାଇନର ଜରିଆରେ ୩୪୨ ହେକ୍ଟର, ୧୬ ନମ୍ବର ମାଇନର୍‌ ଜରିଆରେ ୮୬୨ ହେକ୍ଟର, ପାରାଦୀପଗଡ ନିକଟରେ ଥିବା ୧୭ ନମ୍ବର ମାଇନର୍‌ ଜରିଆରେ ୪୦୪ ହେକ୍ଟର, ମୂଷାଡ଼ିଆ ନିକଟରେ ଥିବା ୧୮ ନମ୍ବର ମାଇନର ଜରିଆରେ ୧୮୨ ହେକ୍ଟର ଏପରି ମୋଟ ୪୯୫୮ ହେକ୍ଟର ଜମି ତାଳଦଣ୍ତା କେନାଲ ଜରିଆରେ ଜଳସେଚିତ ହେଉଛି। ସେଦୃଷ୍ଟିରୁ ଦେଖିଲେ ଶତକଡା ୪୦ ପ୍ରତିଶତ ଜମି ତାଳଦଣ୍ତା କେନାଲ ଜରିଆରେ ଜଳସେଚିତ ହୋଇଥାଏ ବୋଲି କୁହାଯାଉଛି। ମାତ୍ର ବାସ୍ତବ ଚିତ୍ର କିଛି ଅଲଗା। ତାଳଦଣ୍ତା ନିକଟରେ ଜଳସମ୍ପଦ ବିଭାଗ ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥାକୁ ମହାନଦୀରୁ ପାଣି ଉଠାଇ ତାଳଦଣ୍ତା କେନାଲ ଜରିଆରେ ଜଳ ଯୋଗାଇ ଦେଉଛି। ସମ୍ପୃକ୍ତ ଶିଳ୍ପ ସଂସ୍ଥା ଏହି ସୂତ୍ରରୁ ଜଳ ସଂଗ୍ରହ କରି ପାନୀୟ ଜଳଭାବେ ବ୍ୟବହାର କରିଛନ୍ତି। ଏବେ କଥା ଉଠୁଛି ଯେ ତାଳଦଣ୍ତା କେନାଲର ପ୍ରକୃତ ହିତାଧିକାରୀ ଚାଷୀ ଜଳ ଅଧିକାରରୁ ବଞ୍ଚିତ ହେବାରୁ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଚାଷକାମ ପଛେଇ ଯାଇଛି। ଏହି ସପ୍ତାହ ଭିତରେ ବର୍ଷା କିମ୍ବା କେନାଲ ଜଳ ଯୋଗାଣ ନହେଲେ ସ୍ଥିତି ସଂଗୀନ ହୋଇ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।