ରାଇରଙ୍ଗପୁର/ପୁରୁଣାପାଣି: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରା.ପର ତାମଳବନ୍ଧ ଗ୍ରାମରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ତାମଳବନ୍ଧ ଗ୍ରାମରେ ୧୫ ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ନଳକୂପ ଓ ନଈରେ ଚୁଆ କରି ସେଥିରୁ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ତେବେ କିଛି ବର୍ଷ ପୂର୍ବରୁ ଉକ୍ତ ଗ୍ରାମରେ ଗୋଟିଏ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ସ୍ୱଜଳ ଧାରା ପ୍ରକଳ୍ପରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ତେବେ ଉକ୍ତ ପ୍ରକଳ୍ପ ଗୁଡିକ ବର୍ଷେରୁ ଅଧିକ ହେଲା ଅଚଳ ହୋଇ ପୋଡି ଥିବାରୁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇ ଜଳକଷ୍ଟ ପାଉଛନ୍ତି। ଦୁଃଖର ବିଷୟ ଯେ ପୁରୁଣାପାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩ କି.ମି ଥିଲେ ମଧ୍ୟ ପ୍ରଶାସନର ନଜରରେ ପଡୁନି। ଏନେଇ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକର ବିଡିଓ, ଗ୍ରାମ ପାନୀୟ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

Advertisment

publive-image Sambad

ଏହା ବ୍ୟତୀତ ଉକ୍ତ ଗ୍ରାମରେ ୪ ଟି ନଳକୂପ ଅଛି ସେଥି ମଧ୍ୟରୁ ୨ ଟି ଅଚଳ ଥିବା ବେଳେ ଅନ୍ୟ ଦୁଇଟିରୁ ନାଲି ଓ ଗଳିଆ ପାଣି ବାହାରୁଛି। ତେବେ ଉକ୍ତ ଦୁଇ ନଳକୂପରୁ ପାଣି ନେବା ପାଇଁ ଗ୍ରାମର ମହିଳା ମାନଙ୍କୁ ଲମ୍ବା ଧାଡି ବାନ୍ଧିବାକୁ ପଡୁଛି। ଦୁଇମାସ ପୂର୍ବରୁ ଗ୍ରାମବାସୀ ମାନେ ନଈ ପାଣି ବ୍ୟବହାର କରିବାରୁ ୩୦ରୁ ଅଧିକ ଗ୍ରାମବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏ ସମ୍ବନ୍ଧରେ ପୁରୁଣାପାଣି ସରପଞ୍ଚ ବାହ୍ଲିମଣୀ ଟୁଡୁଙ୍କ ସହିତ ଯୋଗାଯୋଗ କରିବାରୁ ସ୍ୱଜଳ ଧାରା ପ୍ରକଳ୍ପ ନଦୀରୁ ସଂଯୋଗ ହୋଇଛି ତେବେ ବର୍ତମାନ ଖରାଦିନ ହୋଇଥିବାରୁ ନଈରୁ ଜଳ ଶୁଖିଯାଉଛି। ଏଣୁ ପାନୀୟ ଜଳ ଗ୍ରାମବାସୀଙ୍କ ଫାଖକୁ ପହଞ୍ଚି ପାରୁନାହିଁ ବୋଲି ମତ ରଖିଥିଲେ। ଏଣୁ ଯଥାଶୀଘ୍ର ଉକ୍ତ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ସ୍ୱଜଳ ଧାରା ପ୍ରକଳ୍ପକୁ ଯଥାଶୀଘ୍ର ମରାମତି କରାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି। ତେବେ ଦ୍ୱିପତଳ ଅନ୍ଧାର ପରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରତାରେ ଥିବା ପ୍ରକଳ୍ପ କେମିତି ମରାମତି ହୋଇ ପାରୁନି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି।