ପାନୀୟ ଜଳ ନେଇ ଜାତୀୟ ରାଜପଥକୁ ଓହ୍ଲାଇଲେ ରାଷ୍ଟ୍ରପତିଙ୍କ ୱାର୍ଡବାସୀ

୪ ଘଣ୍ଟା ଧରି ଅବରୋଧ କଲେ ରାଞ୍ଚି-ବିଜୟଓ୍ବାଡା ୨୨୦ ନଂ ଜାତୀୟ ରାଜପଥ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ୨ ନଂ ୱାର୍ଡ଼ ବାଇଦାପୋଷିର ବାସିନ୍ଦା ପାନୀୟ ଜଳ ପାଇଁ ଜାତୀୟ ରାଜପଥକୁ ଓହ୍ଲାଇଲେ। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ମହୁଲଡିହା ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ। ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ପୌରପାଳିକାର ୨ ନଂ ୱାର୍ଡ଼ ବାଇଦାପୋଷିର ବାସିନ୍ଦା ମାନେ ଦୀର୍ଘ ତିନିମାସ ହେବ ସଠିକ୍ ଭାବରେ ପାନୀୟ ଜଳ ପାଇ ପାରୁନାହାନ୍ତି। ରାଇରଙ୍ଗପୁର ପରିମଳ ଓ ଜନସ୍ବାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ପାଣି ଯୋଗାଣ କରାଯାଉଥିବା ବେଳେ ସେଠାକାର ବାସିନ୍ଦାମାନେ ପାନୀୟ ଜଳ ପାଉ ନଥିବା ଅଭିଯୋଗ କରି ଆଜି ଜାତୀୟ ରାଜପଥକୁ ଓହ୍ଲାଇଛନ୍ତି।

ତେବେ ଶତାଧିକ ମହିଳା ୨୨୦ ନଂ ଜାତୀୟ ରାଜପଥ ଉପରେ ଗଗରା, ବାଲଟି ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରୁ ସମସ୍ତ ଯାନବାହାନ ସବୁ ଅଟକି ରହିଥିବା ଦେଖିବାକୁ ମିଳିଛି। ସ୍କୁଲ ବସରେ ଯାଉଥିବା ସ୍କୁଲ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ ଯୋଗୁ ସ୍କୁଲ ଯାଇ ନପାରି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାତ୍ରୀବାହୀ ବସ ମଧ୍ୟ ଅଟକି ରହି ଥିବାରୁ ବସଯାତ୍ରୀ ମାନେ ମଧ୍ୟ ହଇରାଣ ହେଉଛନ୍ତି। ତେବେ ଦୀର୍ଘ ୪ ଘଣ୍ଟା ଧରି ୨୨୦ ନଂ ଜାତୀୟ ରାଜପଥ ବନ୍ଦ ରହିଥିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ଶହ ଶହ ଲୋକେ।

Sambad

ସୂଚନାଯୋଗ୍ୟ ଯେ, ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ୍ମୁଙ୍କ ଘର ମଧ୍ୟ ୱାର୍ଡ ନମ୍ବର ୨ ବାଇଦାପୋଷିରେ ଥିବା ବେଳେ ବାଇଦାପୋଷିର ଡୁଙ୍ଗୁରିସାହିରେ ମାସ ମାସ ଧରି ସଠିକ୍ ଭାବେ ପାନୀୟ ଜଳ ଯୋଗାଣ ହେଉ ନଥିବାରୁ ସେଠାକାର ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରି କୌଣସି ସୁଫଳ ପାଇ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ପରେ ଖବର ପାଇ ଘଟଣାସ୍ଥଳରେ ପରିମଳ ଓ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହିତ ରାଇରଙ୍ଗପୁର ଟାଉନ ଥାନା ପୁଲିସ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହିତ କନିଷ୍ଠ ଯନ୍ତ୍ରୀ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେଠାରେ ପାନୀୟ ଜଳ ଯୋଗାଣର ସମସ୍ୟା ନ ହେବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଜନସାଧାରଣ ଜାତୀୟ ରାଜପଥ ଅବରୋଧରୁ ହଟିଥିଲେ।

ସମ୍ବନ୍ଧିତ ଖବର