ଖରସ୍ରୋତା ପାନୀୟଜଳ ପ୍ରକଳ୍ପକୁ ବିରୋଧ: ‘ମରିବୁ ପଛେ ପାଣି ଛାଡ଼ିବୁ ନାହିଁ’

ରାଜକନିକା/ଆଳି: ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ବିବାଦକୁ ନେଇ ପରିବେଶ ପୁଣି ସରଗରମ ହୋଇପଡିଛି। ଗତକାଲି ସଂଧ୍ୟାରେ ଖରସ୍ରୋତା ଉପକଣ୍ଠ ଭାରିଗଦାଠୁ ବାଳକାଟି ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ର କରି ପ୍ରକଳ୍ପ ବିରୋଧୀ ଦମ୍‌ ଦେଖାଇଛନ୍ତି। ‘ମରିବୁ ପଛେ ପାଣି ଛାଡ଼ିବୁ ନାହିଁ’ ନାରାରେ ଦୁଲୁକି ପଡିଛି ଖରସ୍ରୋତା ସେତୁ ଓ ନଦୀ ପଠା। ପ୍ରଶାସନ ଚତୁରତାର ସହିତ ବିରୋଧୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଜନମତ ଜୁଟାଇ ମଶାଲ ସମାବେଶରେ ହଜାର,ହଜାର ଲୋକଙ୍କୁ ସାମିଲ କରିବାରେ ସଫଳ ହୋଇଛି। ଖରସ୍ରୋତାଠାରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ପ୍ରଥମରୁ ବିରୋଧ କରୁଥିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ଆଶଙ୍କା କରି ଗତକାଲିଠାରୁ ପୁଣି ସଂଗ୍ରାମ ଜାରି ରଖିଛି। କୋଭିଡ୍ କଟକଣା ଉଠିବା ପରେ ପ୍ରଶାସନ ତରଫରୁ ରାଜକନିକା ଓ ଆଳିରେ ପୁଲିସ ଛାଉଣି କରି ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରିବାକୁ ମସୁଧା କରାଯାଉଥିବା ଜଣାପଡ଼ିବା ପରେ ଗତକାଲି ଠାରୁ ସଂଗ୍ରାମ ସମିତି ପ୍ରତୀକ ଧାରଣା ଦେବା ସହ ଆଜି ଖରସ୍ରୋତା ପୋଲ ଉପରେ ଅସ୍ତମିତ ସୂର୍ଯ୍ୟପୂଜା ସହ ମଶାଲ ଶୋଭାଯାତ୍ରା କରି କମ୍ପାନି କାର୍ଯ୍ୟକୁ ତୀବ୍ର ବିରୋଧ କରିଛି।

ଏହି କାର୍ଯ୍ୟକ୍ରମରେ ଶହଶହ ମହିଳା ଯୋଗଦେଇ ‘ମରିବୁ ପଛେ ଭଦ୍ରକକୁ ପାଣି ଛାଡ଼ିବୁ ନାହିଁ’ ବୋଲି ନାରା ଦେଇ ବରୁଣାଡିହା ଛକଠାରୁ ବାଳକାଟି ଛକ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା, ଘଣ୍ଟମାଡ଼, ହରିବୋଲ ଓ ହୁଳହୁଳି ଦେଇ ପ୍ରଶାସନକୁ ଚେତାବନୀ ଶୁଣାଇଥିଲେ। ମାଟି ମା’ର ସୁରକ୍ଷା ପାଇଁ ଏହି ସଂଗ୍ରାମ ଜାରି ରହିବ ବୋଲି ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତି, ସମ୍ପାଦକ ବିଧାନ ଦାସ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମା, ଶରତ ରାଉତ, ସବିତା ବରଜ, ସୀତା ଦାସ, ଲିପସା ନାୟକ, ରଙ୍ଗଲତା ମହାନ୍ତି, ସନ୍ଧ୍ୟାରାଣୀ ବେହେରା, ସବିତା ବେହେରା, ସାବିତ୍ରୀ ମାହୁନ୍ତ, କାଳିପ୍ରସାଦ ନାୟକ, ମୂରଲୀଧର ବେହେରା, ହଳଧର ମଲ୍ଲିକ, ଅଶୋକ ବଳ, ବିଶ୍ବନାଥ ନାୟକ, ଶୈଳେନ୍ଦ୍ର ଜେନା, ଗୋଲେଖ ବିଶ୍ବାଳ ପ୍ରମୁଖ କହିଥିଲେ। ଅନ୍ୟପକ୍ଷରେ ଆଜି ସକାଳେ ସଂଗ୍ରାମ ସମିତି ତରଫରୁ ପ୍ରତୀକ ଧାରଣା ଦିଆଯିବା ସହ ଅପରାହ୍ଣରେ ସଂଗ୍ରାମ ସମିତି ସହିତ ମହିଳାମାନେ ଯୋଗଦେଇ କମ୍ପାନି କାର୍ଯ୍ୟକୁ ବିରୋଧ କରିଥିଲେ। ସେପଟେ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିବା କମ୍ପାନି ତରଫରୁ ଚାନ୍ଦବାଲି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଖରସ୍ରୋତାରୁ ସମୁଦ୍ରକୁ ବୋହିଯାଉଥିବା ବଳକା ପାଣିରୁ ମାତ୍ର ୫ ଭାଗ ପାଣି ନିଆଯିବ ବୋଲି କହିବା ସହ ୨/୪ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର