ରାଜକନିକା: ରାଜକନିକା ବ୍ଲକ୍ ଦେଉଳତରାରେ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ। ଖରସ୍ରୋତା ନଦୀରୁ ମିଠା ପାଣି ଉତ୍ତୋଳନ କରି ୧୨୦୦ ଶହ ହେକ୍ଟର ଜମିକୁ ପାଣି ମଡ଼ାଇବା ଲକ୍ଷ୍ୟ ନେଇ ସରକାର ଏହି ପ୍ରକଳ୍ପ କରିଥିଲେ। ଖର୍ଚ୍ଚ ହୋଇଥିଲା ୨୫ କୋଟି। ୨୦୧୯, ମାର୍ଚ୍ଚ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂରେ ଏହାକୁ ଲୋକାର୍ପିତ କରିଥିଲେ। ହେଲେ, ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଏହି ପ୍ରଳଳ୍ପ ସେବେଠୁ କାମରେ ଲାଗିପାରୁନି। ଜମିକୁ ପାଣି ମାଡ଼ୁ ନ ଥିବା ନେଇ ଯେତେ ଅଭିଯୋଗ କଲେ ବି ଶୁଣିବାକୁ କେହି ନାହିଁ। ଟଙ୍କା ପାଣିରେ ପଡ଼ିବା ସାର ହୋଇଥିବା ବେଳେ ଠିକାଦାର ସଂସ୍ଥା ପ୍ରକଳ୍ପର ତ୍ରୁଟି ସୁଧାରିବାର ନାଁ ଧରୁନି ବୋଲି ଅଭିଯୋଗ କରିଛନ୍ତି ଚାଷୀମାନେ।
ସୂଚନା ମୁତାବକ, ରାଜକନିକା ବ୍ଲକ୍ ଦେଉଳତରା ପଞ୍ଚାୟତର ତିନି ଗାଁ ସହିତ କଇଥାପାଳ, ଉଜାଙ୍ଗ, ହାବଳଗଣ୍ଡ, ଦଶିପୁର, ପାରିନୂଆପଡା, ସିହୋପଡା ଆଦି ଗାଁର ଚାଷଜମିକୁ ପାଣି ଯୋଗାଇବା ପାଇଁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା। ପ୍ରକଳ୍ପ ନିର୍ମାଣ ସମୟରେ ଠିକାଦାର ସଂସ୍ଥାର ଅଣଓଡ଼ିଆ ବୈଷୟିକ କର୍ମଚାରୀ ଏଣେତେଣେ ତ୍ରୁଟିପୂର୍ଣ୍ଣ ଭାବେ ପାଇପ୍ ବିଛାଇ ୱାଟର୍ ଚାମ୍ବର୍ ବସାଇଥିଲେ। ତାହା ପୁଣି ଖାଲୁଆ ଚାଷ ଜମିରେ। ସ୍ଥାନୀୟ ଅଞ୍ଚଳର କୌଣସି ଅନୁଭବୀ ଚାଷୀଙ୍କୁ ଏଥିରେ ସାମିଲ କରାଯାଇ ନ ଥିଲା। ଯେନତେନ ପ୍ରକାରେ ୱାଟର୍ ଚାମ୍ବର୍ ବିଛାଇ ଠିକାଦାର ସଂସ୍ଥା ଚାଲିଗଲା।
ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ୧୨ଶହ ହେକ୍ଟର ତ ଦୂରର କଥା, ୧୨ ହେକ୍ଟର ଚାଷ ଜମିରେ ପାଣି ମଡ଼ାଇବାକୁ ଏହି ପ୍ରକଳ୍ପ ସମର୍ଥ ହୋଇ ପାରିନାହିଁ। ଏଥିପାଇଁ ପାଣି ସବୁ ଖାଲୁଆ ଜମି ଦେଇ ନାଳ ମଧ୍ୟକୁ ଅପଚୟ ହେଉଥିବା ଅଭିଯୋଗ ହୋଇଛି। ଯେଉଁ ଲକ୍ଷ୍ୟ ନେଇ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ତାହା ଦିଗହରା ହୋଇଛି। ୨୦୧୯ରୁ ଏଯାବତ୍ ଏହି ପ୍ରକଳ୍ପ କୌଣସି କାମରେ ଆସୁନାହିଁ। ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଦିନ ତଳେ ପ୍ରକଳ୍ପ ନିକଟରେ ସିହୋପଡା ଅଞ୍ଚଳର ବହୁ ଚାଷୀ ଆନ୍ଦୋଳନ କରିଥିଲେ। ସେମାନଙ୍କ ଜମିକୁ ପାଣି ମାଡ଼ୁନାହିଁ ବୋଲି ଅଭିଯୋଗ କରିଥିଲେ। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହାଛଡ଼ା ଅନ୍ୟ ଗାଁର ଚାଷୀମାନେ ବି ବହୁ ସମୟରେ ପ୍ରକଳ୍ପର ତ୍ରୁଟି ସୁଧାରିବାକୁ ଦାବି କରି ଆସୁଛନ୍ତି। ହେଲେ ଠିକାଦାର ସଂସ୍ଥା ତ୍ରୁଟି ସୁଧାରିବାକୁ ଆସୁନାହାନ୍ତି। ପ୍ରଶାସନ ପକ୍ଷରୁ ବି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନି। ଏବେ ପ୍ରାୟ ଚାଷ କାମ ଆଗେଇ ଗଲାଣି। ଜମି ହଳ ହେଲାଣି। ହେଲେ, ଠିକାଦାର ସଂସ୍ଥା ଚାଷୀଙ୍କୁ ଠକି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ତୁରନ୍ତ ପ୍ରକଳ୍ପର ତ୍ରୁଟି ମରାମତି କରା ନ ଗଲେ ଚାଷୀ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।