ଖସୁଛି ଜଳସ୍ତର; ଖୋଳା ହେଉହେଉ ନଳକୂପ ଅଚଳ

ରାଜନଗର: ନଦୀ ନାଳ ଘେରା ରାଜନଗର ବ୍ଲକରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇବା ଯୋଗୁଁ ଗତ ୪ ବର୍ଷରେ ପିଇବା ପାଣି ଜଳସ୍ତର ଏବେ ୧୫୦ଶହ ଫୁଟ ତଳକୁ ଖସି ଗଲାଣି। ଲୁଣି ପାଣି ପାଇଁ ଅଚଳ ନଳକୂପ ସଂଖ୍ୟା ୮ ବର୍ଷରେ ୫ଶହରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି। ଅଧିକାଂଶ ସ୍ଥାନରେ ନଳକୂପ ଖୋଳା ହେଉହେଉ ଅଚଳ ହୋଇ ପଡ଼ୁଛି। ରାଜନଗରରେ ୪ ବର୍ଷ ତଳେ ୧୮୦ ରୁ ୨୦୦ ମିଟର ତଳେ ଭଲ ପିଇବା ପାଣି ମିଳୁଥିଲା। ସେତେବେଳେ ୧୮୦ ରୁ ୨୦୦ ମିଟର ଗଭୀରର ନଳକୂପ ଖୋଳାଯାଇଥିଲା। ଏବେ ୨୪୦ ରୁ ୨୫୦ ମିଟର ତଳେ ପିଇବା ପାଣି ମିଳୁଛି। ଅର୍ଥାତ ଗତ ୪ ବର୍ଷରେ ପିଇବା ପାଣିର ସ୍ତର ପୂର୍ବରୁ ଯେତିକି ଥିଲା, ତାଠୁ ୧୫୦ ଫୁଟ ତଳକୁ ଖସିଯାଇଛି। ବର୍ତମାନ ୧୨୫ ରୁ ୧୩୫ ମିଟର ତଳେ ଲୁଣି ପାଣି ବାହାରୁଛି। ୧୪୦ ରୁ ୨୦୦ ମିଟର ମଧ୍ୟରେ ଲୁହା ପାଣି ରହୁଛି। ୨ଶହ ମିଟର ତଳେ ମାଟି ରହୁଛି। ଏହାପରେ ୨୪୦ ରୁ ୨୫୦ ମିଟର ତଳେ ଭଲ ପିଇବା ପାଣି ମିଳୁଛି। ରାଜନଗର ବ୍ଲକ ମୁଖ୍ୟାଳୟରେ ଏହି ସ୍ଥିତି ଥିବାବେଳେ ଅନ୍ୟ ଅଂଚଳରେ ସ୍ଥିତି ଏହାଠୁ ଆହୁରି ସଂଗିନ। କୋଇଲିପୁର, ବନ୍ଧପଡା, ଚକିବାଙ୍କ, ସନ୍ଥପଡା, ଗୋବିନ୍ଦପୁର, ନଗଡ, ବାଲିକଣା, ଓସ୍ତିଆ ପ୍ରଭୃତି ଅଂଚଳରେ ୨୬୦ ମିଟରରୁ ୩୦୦ ମିଟର ମଧ୍ୟରେ ଭଲ ପାଣି ମିଳୁଛି। ଯେତିକି ପାଣି ବ୍ୟବହାର ହେଉଛି ସେହି ତୁଳନାରେ ବର୍ଷା ପାଣି ତଳକୁ ଯାଇପାରୁନି। ଫଳରେ ରାଜନଗର ନଦୀ ନାଳଘେରା ଅଂଚଳ ହୋଇଥିଲେ ବି ଏହି ଅଂଚଳରେ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଏହାବାଦ ଅଧିକାଂଶ ନଳକୂପରୁ ସକାଳେ ଲୌହଯୁକ୍ତ ଓ ଲୁଣି ପାଣି ମିଳୁଥିବା ବେଳେ ଅପରାହ୍ନରେ ମିଠା ପାଣି ମିଳୁଛି। ରଂଗଣୀ ପଂଚାୟତ‌ରେ ପାନୀୟ ଜଳ ଅଭାବ ଉତ୍କଟ ସ୍ଥିତି ସୃଷ୍ଟି କଲାଣି। ୨ ବର୍ଷରେ ୨୦ଟି ନଳକୂପ ଅଚଳ ହୋଇଥିବା ବେଳେ ତା ବଦଳରେ ମାତ୍ର ଗୋଟିଏ ନଳକୂପ ଖୋଳା ଯାଇଛି। ପଂଚାୟତର ଚାଆଁରାକୋଲାରେ ୨ଟି, ପଟାପାରିଆରେ ୩ଟି, ଭେକ୍ଟାରେ ୫ଟି, ରଂଗଣୀରେ ଗୋଟିଏ, ହରିଣପୋଖରୀରେ ଗୋଟିଏ, ନାରାୟଣପୁରରେ ଗୋଟିଏ, ସୌରେନ୍ଦ୍ରପୁରରେ ଦୁଇଟି, ଗୋପାଳଜିଉପାଟଣାରେ ୨, ଶୈଳେନ୍ଦ୍ରନାରାୟଣପୁରରେ ୨ ଓ ଗୁମୁରାରେ ଗୋଟିଏ ନଳକୂପ ଅଚଳ ହୋଇଛି।

ଏହା ବଦଳରେ ଗୋପାଳଜିଉପାଟଣାରେ ଗୋଟିଏ ନଳକୂପ ଖୋଳାଯାଇଛି। ନଳକୂପ ଖୋଳା ହେବା ବେଳେ ଠିକାଦାରମାନେ ଯେତିକି ମିଟର ବୋରିଂ କରିବା କଥା ସେତିକି କରୁ ନ ଥିବାରୁ ଜଳସ୍ତର କମିବା ପରେ ନଳକୂପଗୁଡିକ ଅଚଳ ହୋଇଯାଉଛି। ଏହି ଅଂଚଳ ଲୁଣା ହୋଇଥିବାରୁ ଅଧିକାଂଶ ନଳକୂପ ଖୋଳାଯିବାର ବର୍ଷେ, ଦୁଇ ବର୍ଷ ମଧ୍ୟରେ ଅଚଳ ହୋଇଯାଉଛି। ସୌରେନ୍ଦ୍ରପୁର ଗାଁର ଭାରତି ପ୍ରଧାନଙ୍କ ଘର ପାଖରେ ଖୋଳାଯିବାର ମାତ୍ର ମାସକ ମଧ୍ୟରେ ନଳକୂପ ଅଚଳ ହୋଇପଡ଼ିଛି। ଏହାଛଡ଼ା ଭେକ୍ଟା ଗାଁର ଆୟୁସ ଉଦ୍ଦିନ, ଲାଲଟୁ ମାଲ୍ଲା, ଆକବର ମାଲ୍ଲା, ଖୋକନ ମଣ୍ତଳ ପ୍ରମୁଖ ଅଭିଯୋଗ କରନ୍ତି, ଆମ ଘର ପାଖ ନଳକୂପ ଦୁଇ ବର୍ଷ ହେଲା ଅଚଳ ହୋଇ ପଡିଛି। ପାଖାପାଖି ୧ କିଲୋମିଟର ଦୂର ନଳକୂପକୁ ପାଣି ପାଇଁ ଯାଉଛୁ। ନେହୁରା ହେଲା ପରେ ବି ପ୍ରଶାସନ ନଳକୂପ ଖୋଳୁନି ବୋଲି ଅଭିଯୋଗ କରିଛନ୍ତି। ଚାଆଁରାକୋଲାରେ ନଳକୂପ ଅଚଳ ଯୋଗୁଁ ୩ଟି ନଳକୂପ ଉପରେ ୧୫୦ଶହରୁ ଅଧିକ ପରିବାର ନିର୍ଭର କରୁଛନ୍ତି। ଫଳରେ ପାଣି ପାଇଁ ଘଂଟାଘଂଟା ପାଇଁ ଅପେକ୍ଷା କରିବାକୁ ପଡୁଛି।
ଅନ୍ୟପଟେ ରାଜନଗର ବ୍ଲକରେ ନଷ୍ଟ ହେଉଥିବା ଜଳକୁ ଭୂତଳକୁ ଛାଡିବା ପାଇଁ ରିଚାର୍ଜ ପିଟ ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି। ଏବେଠୁ ସରକାର ଓ ଲୋକେ ସଚେତନ ନହେଲେ ଆଗକୁ ରାଜନଗରରେ ପାନୀୟ ଜଳ ସଂକଟ ସଂଗିନ୍‌ ରୂପ ଧାରଣ କରିବ।

ସମ୍ବନ୍ଧିତ ଖବର