ରାୟଗଡା: ରାୟଗଡା ସହରରେ ବାସ କରୁଥିବା ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ପାଣି ଏବେ ଜଟିଳ ସମସ୍ୟା ସୃଷ୍ଟି କରୁଛି। ଗ୍ରୀଷ୍ଣ ଋତୁରେ ଲୋକେ ପାଣି ପାଇଁ ଏକ ପ୍ରକାର ପ୍ରତିଯୋଗିତା କରନ୍ତି। ସହର ଦିନକୁ ଦିନ ବଢୁଥିବା ବେଳେ ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି। ରାୟଗଡା ସହରକୁ ଯେତିକି ପାଣି ଦରକାର ଜନସ୍ବାସ୍ଥ୍ୟ ବିଭାଗ ତାହା ଯୋଗାଇବାରେ ବିଫଳ ହୋଇଛି।

Advertisment

ପ୍ରକାଶ ଥାଉକି, ସହରକୁ ୧୨ ଲକ୍ଷ ଲିଟର ପାଣି ଆବଶ୍ୟକ ପଡୁଥିବା ବେଳେ ମିଳୁଛି ମାତ୍ର ୬.୫ ଲକ୍ଷ ଲିଟର ପାଣି। ତେବେ ଆବଶ୍ୟତା ଠାରୁ ମାତ୍ର ଅଧା ହିଁ ମିଳୁଥିବାରୁ ଲୋକେ କିପରି ପାଣି ପାଇଁ ଡହଳ ବିକଳ ହେଉଥିବେ ତାହା ସହଜରେ ଅନୁମେୟ। ୧୯୬୨ ମସିହା ବେଳକୁ ଜିଲ୍ଲାରେ ଆରମ୍ଭ ହୋଇଥିବା ଜନସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରାୟ ୪ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି କରାଯାଇ ରାୟଗଡାକୁ ପାଣି ଯୋଗାଇ ଦିଆଯାଉଥିଲା। ପରେ ୨୦୧୪ରେ ପୁଣି ଏକ ୨.୫ ଲକ୍ଷ ଲିଟର ଜଳଧାରଣା ଟାଙ୍କି ନିର୍ମାଣ କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଥିବା ଜଣାପଡିଛି। ସହରରେ ପ୍ରାୟ ୧୨୫୦୦ କନେକ୍ସ‌ନ ରହିଛି। ସେହିପରି ୪୫ଟି ନଳକୂପ ଖୋଳାଯାଇ ପାଣି ଯୋଗାଇ ଦିଆଯାଉଥିବା ଜନସ୍ବାସ୍ଥ୍ୟ ବିଭାଗ କହିଛି।

publive-image Sambad

ଗ୍ରୀଷ୍ମ ଋତିରେ ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଥାଏ। ତେଣୁ ଲୋକେ ସକାଳୁ ହିଁ ପାଣି ପାଇଁ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଲକ୍ଷ୍ୟ କରାଯାଇଛି। ସହରରେ ପାଣିର ସମସ୍ୟାକୁ ଦେଖି ଏକ ମେଗା ଜଳ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଚାଲିଥିବା ବିଭାଗ କହିଛି। ଏହା ୧୪ ଲକ୍ଷ ଲିଟର ପାଣି ଟାଙ୍କି ବୋଲି ବିଭାଗ କହିଛି। ଯାହାକି ସହରର ବାସିନ୍ଦାଙ୍କୁ କେବ ମଧ୍ୟ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କୁହାଯାଇଛି। ତେବେ ଏହା ଆଗାମୀ ଏକ ବର୍ଷ ମଧ୍ୟରେ ନିର୍ମାଣ ହେବା ପରେ ପ୍ରତ୍ୟେକ ଘରକୁ ପାଣି ଯୋଗାଇ ଦିଆଯିବ। ପ୍ରାୟ ୧୯୦୦ ଘରକୁ ଏବେ ନୂତନ କନେକସନ ଦିଆଯାଉଥିବା କୁହାଯାଇଛି। ପ୍ରାୟ ୫୬ କିଲୋମିଟର ପାଇପ ବିଛା ଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ରାଜସ୍ଥାନର ବାଲାଜୀ କନଷ୍ଟ୍ରକସନ ଏହି କାର୍ଯ୍ୟକୁ ତରାନ୍ବିତ କରୁଛି। ଏଥିପାଇଁ ପ୍ରାୟ ୫୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଏପରିକି ୨୪ ଘଣ୍ଟା ଲଗାତାର ପାଣି ଯୋଗାଇବାର କାର୍ଯ୍ୟକ୍ରମ ରହିଥିବା ଜନସ୍ବାସ୍ଥ୍ୟ ବିଭାଗର ଏସଡିଓ ସହଦେବ କିଷାନ ପ୍ରକାଶ କରିଛନ୍ତି।