କେବଳ ଫଳକରେ ବସୁଧା ଯୋଜନା, ପାଣି ନାହିଁ

ପାନୀୟ ଜଳ ପାଇଁ ଦୁର୍ଦ୍ଦଶାରେ ବାରୀଗୁଡ଼ା ଗ୍ରାମବାସୀ

ସେମିଲିଗୁଡା: ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବସୁଧା ଯୋଜନାରେ ପାଣି ଯୋଗାଣ ହେଉଛି। ବିଶେଷ କରି ଗ୍ରାମାଞ୍ଚଳରେ ଏହି ଯୋଜନା ପ୍ରଜୁଯ୍ୟ ହୋଇଥିବାବେଳେ ସେମିଳିଗୁଡା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତର ବାରୀଗୁଡା ଗ୍ରାମରେ ଏହାର ବାସ୍ତବତା ନାହିଁ। ଗାଁ ଲୋକ ପାଣି ମୁନ୍ଦେ ପାଇଁ ଦୁର୍ଦ୍ଦଶାଗ୍ରସ୍ତ ହୋଇଯାଉଥିବାବେଳେ କେବଳ ଫଳକରେ ଏହି ଯୋଜନା ସୀମିତ ହୋଇ ଯାଇଥିବା ଗାଁ ମୁଣ୍ଡରୁ ସ୍ପଷ୍ଟ ହୋଇଛି।

ପାହାଡ଼ ପାଦଦେଶ ଓ ଢାଲୁ ଅଞ୍ଚଳରେ ଥିବା ଏହି ଗ୍ରାମରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପରିବାର ବାସ କରନ୍ତି। ପିଇବା ପାଣି ପାଇଁ ଗ୍ରାମରେ ପୂର୍ବରୁ ୩ଟି ନଳକୂପ ଥିବା ବେଳେ ସେଥରୁ ମାତ୍ର ଗୋଟିଏ ନଳକୂପରୁ ବାହାରୁ ଥିବା ପାଣି ପାନୀୟ ଯୋଗ୍ୟ। ତେଣୁ ପିଇବା ପାଣି ପାଇଁ ୩୦ ପରିବାର ମାତ୍ର ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। କିନ୍ତୁ ଖରାଦିନ ଆସିଲେ ସେହି ନଳକୂପ ମଧ୍ୟ ଶୁଖି ଯାଉଥିବାରୁ ସେଥରୁ ପର୍ଯ୍ୟାପ୍ତ ପାଣି ବାହାରେ ନାହିଁ। ତେଣୁ ପାଣି ପାଇଁ ବାରୀଗୁଡା ଗ୍ରାମବାସୀ ଦୁର୍ଦ୍ଦଶା ଭୋଗ କରନ୍ତି। ପାଣି ପାଇଁ  ମହିଳାମାନେ ୪ଶହ ମିଟର ଦୂର ଏକ ଝରଣା ଚୁଆ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ପାହାଡିଆ ଅଞ୍ଚଳ ହୋଇଥିବାରୁ ଖରାଦିନେ ଚୁଆରୁ ମଧ୍ୟ ପାଣି କମି ଯାଉଥିବାରୁ ଗୋଟିଏ ଗରା ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏହା ଦୀର୍ଘଦିନର ସମସ୍ୟା ହୋଇଥିବାବେଳେ ବସୁଧା ଯୋଜନା କାହା ପାଇଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

Sambad

ଏହି ଫଳକରେ ଗ୍ରାମବାସୀ ପାଇପ ଯୋଗେ ଘରେ ପାନୀୟ ଜଳ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିବା ଲେଖା ଥିବା ବେଳେ ଗାଁରେ ଗୋଟିଏ ମଧ୍ୟ ପାଇପ ପଡିନାହିଁ। ପାଣି ଟାଙ୍କିର ନାଁ ଗନ୍ଧ ନାହିଁ। ଏପରିକି ଗ୍ରାମରେ ଥିବା କୌଣସି ନଳକୂପରେ ମଧ୍ୟ ସୌରଶକ୍ତି ଚାଳିତ ମୋଟର କିମ୍ବା ଷ୍ଟାଣ୍ଡ ପୋଷ୍ଟ ନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଏପରି ମିଥ୍ୟା ପ୍ରଚାର କରାଯିବା ଯୋଗୁ ବାରୀଗୁଡା ବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗ୍ରାମରେ ମୂଳରୁ ପାଇପ ନଥାଇ କେବଳ ବୋର୍ଡ ଲାଗିବା ଦ୍ୱାରା କ’ଣ ବୋର୍ଡକୁ ଅନାଇ ଶୋଷ ମେଣ୍ଟାଇବୁ କି ବୋଲି ଗ୍ରାମବାସୀ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି।

ଏ ସମ୍ପର୍କରେ ସେମିଳିଗୁଡା ବିଡ଼ିଓ ସବ୍ୟସାଚୀ ବେହରାଙ୍କୁ ପଚାରିବାରୁ ଏହା ଆର ଡବ୍ଲୁଏସଏସ ବିଭାଗର କାମ। ତାଙ୍କର ଏ ବିଷୟରେ ଧାରଣା ନାହିଁ। ଉକ୍ତ ଅଞ୍ଚଳ ତଦାରଖ କରୁଥିବା ଯନ୍ତ୍ରୀ ଛୁଟିରେ ଥିବାରୁ ସେ ଫେରିଲା ପରେ ତଥ୍ୟ ଦେଇ ପାରିବେ ବୋଲି କହିଛନ୍ତି। ଅପରପକ୍ଷେ ବାରୀଗୁଡା ସମେତ ଗୁଣ୍ଠାପୁଟ ପଞ୍ଚାୟତର ଅନ୍ୟ ତିନୋଟି ଗ୍ରାମକୁ ବସୁଧା ଯୋଜନା ଜରିଆରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇ ସାରିଛି ଓ ଖୁବଶୀଘ୍ର ପାଇପ ବିଛାଯିବା କାମ ଆରମ୍ଭ ହେବା ସହ ବସୁଧା ବୋର୍ଡଟି କାମ ନେଇଥିବା କଣ୍ଟ୍ରାକ୍ଟର ଲଗାଇଥିବା କହିଛନ୍ତି ଗୁଣ୍ଠାପୁଟ ସରପଞ୍ଚ।

ସମ୍ବନ୍ଧିତ ଖବର