ତିଗିରିଆ: ତିଗିରିଆ ବ୍ଲକ୍ ଗଦାଧରପୁର ପଞ୍ଚାୟତସ୍ଥିତ ରଘୁରାମପୁର ଗ୍ରାମରେ ସ୍ୱଚ୍ଛ ପାନୀୟଜଳ ଟୋପାଏ ପାଇଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ଥିବା ସମସ୍ତ ନଳକୂପର ପାଣି ପାନୀୟ ଅନୁପଯୋଗୀ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଛି। ଏହାପରେ ଲୋକମାନେ ଏହି ପାଣି ବ୍ୟବହାର କରୁନାହାନ୍ତି। ଏଭଳି ସ୍ଥିତିରେ ବର୍ଷବର୍ଷ ଧରି ପାନୀୟଜଳ ପ୍ରକଳ୍ପ ଠପ୍ ପଡ଼ିଥିବାରୁ ଗ୍ରାମବାସୀ ପିଇବା ପାଣି ଟୋପାଏ ପାଇଁ ପାଖ ଗ୍ରାମ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଯଥାଶୀଘ୍ର ଗ୍ରାମକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆ ନ ଗଲେ ଗାଁ ଲୋକେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି। ରଘୁରାମପୁର ଗ୍ରାମର ଜନସଂଖ୍ୟା ୭୦୦ରୁ ଅଧିକ। ଦୁଇଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ୯୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ। ଗ୍ରାମବାସୀଙ୍କ ପାଇଁ ରହିଛି ୪ଟି ନଳକୂପ। ଏହି ନଳକୂପରୁ ପାଣି ସଂଗ୍ରହ କରି ଲୋକମାନେ ପିଇବା ପାଇଁ ବ୍ୟବହାର କରୁଥିଲେ। ହେଲେ, କିଛିବର୍ଷ ହେଲା ନଳକୂପଗୁଡ଼ିକରୁ ଲୌହମିଶ୍ରିତ ଜଳ ବାହାରି ଆରମ୍ଭ ହୋଇଥିଲା। ସେଥିରୁ ଗନ୍ଧ ବାହାରୁଥିଲା। ଘରେ କିଛି ସମୟ ରଖିବା ପରେ ପାଣିର ରଙ୍ଗ ହଳଦିଆ ହୋଇଯାଉଥିଲା। ଏହି ଲୌହଯୁକ୍ତ ପାଣି ପିଇବାରୁ ଗ୍ରାମରେ କିଡ୍ନି ରୋଗ ଭୟଙ୍କର ରୂପ ଧାରଣ କରିଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଗ୍ରାମର କିଛି ଲୋକ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ କେତେଜଣ ପ୍ରାଣ ହରାଇଥିବା ଜଣାଯାଇଛି। ଫଳରେ ନଳକୂପ ପାଣି ପିଇବା ନେଇ ଗ୍ରାମରେ ଭୟ ସୃଷ୍ଟି ହୋଇଥିଲା।
ଅନ୍ୟପଟେ, ବ୍ଲକ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛିଦିନ ତଳେ ଗ୍ରାମର ସମସ୍ତ ନଳକୂପର ଜଳ ପରୀକ୍ଷା କରାଯାଇ ଏହା ପାନୀୟ ଅନୁପଯୋଗୀ ବୋଲି ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଛି। ଫଳରେ ରଘୁରାମପୁର ଗ୍ରାମର ଜନସାଧାରଣ ଓ ମହିଳା ପିଇବା ପାଣି ମୁନ୍ଦାଏ ପାଇଁ ୨ରୁ ୩ କିଲୋମିଟର ଦୂର ଅନ୍ୟ ଗ୍ରାମକୁ ଯିବାକୁ ବାଧ୍ୟ ହେଉଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ ବଳଭଦ୍ରପୁର ଗ୍ରାମରେ ପ୍ରାୟ ୧୨ ବର୍ଷ ତଳେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପରୁ ରଘୁରାମପୁର ଗ୍ରାମବାସୀ ପାଇପ୍ ଯୋଗେ ପାଣି ପାଉଥିଲେ। କିନ୍ତୁ, ଦିନ କେଇଟା ପରେ ପ୍ରକଳ୍ପରୁ ଜଳଯୋଗାଣ ବନ୍ଦ ହୋଇଯାଇଥିଲା। ଏହି ପ୍ରକଳ୍ପ ପାଇଁ ଗ୍ରାମରେ ବିଛାଯାଇଥିବା ପାଇପ୍ଗୁଡ଼ିକ ରାସ୍ତାରେ ପୋତି ହୋଇଯାଇଥିଲା ବେଳେ ଷ୍ଟାଣ୍ଡପୋଷ୍ଟଗୁଡ଼ିକର ଚିହ୍ନବର୍ଣ୍ଣ ହଜି ଯାଇଛି। ଏ ସମ୍ପର୍କରେ ଗ୍ରାମର ଗ୍ରାମବାସୀ ବହୁବାର ପ୍ରଶାସନକୁ ଅବଗତ କରିଛନ୍ତି। ମାତ୍ର ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଞ୍ଚଳବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ରଘୁରାମପୁର ଗ୍ରାମକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ନଚେତ୍, ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ୍ ପାନୀୟଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରଘୁରାମପୁର ଗ୍ରାମରେ ଥିବା ସମସ୍ତ ନଳକୂପର ଜଳ ପରୀକ୍ଷା ପାଇଁ ଯାଇଛି। ଏହାର ରିପୋର୍ଟ ଦେଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/TIGIRIA-RAGHURAMPUR-WATER-NEWS2_6.jpg)