ସମ୍ବଲପୁର: ସମ୍ବଲପୁର କମଳିବଜାରରେ ଥିବା ରାଜଘାଟ ଶ୍ମଶାନ ସମଲେଇ ଯୋଜନା ପାଇଁ ମହାନଦୀର ମନ୍ଦଲିଆ ମୁହାଣକୁ ସ୍ଥାନାନ୍ତର ହେବ। ମହାନଦୀ ମନ୍ଦଲିଆ ମୁହାଣରେ ନୂତନ ରାଜଘାଟ ଶ୍ମଶାନର ନିର୍ମାଣ କରାଯାଇଛି। ଏକା ଥରକେ ପ୍ରାୟ ବହୁ ଶବ ଦାହର ବ୍ୟବସ୍ଥା, ଗାଧୋଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା,ପ୍ରତୀକ୍ଷାଳୟ ସୁବ୍ୟବସ୍ଥା, ଉଦ୍ୟାନ ଆଦି ନିର୍ମାଣ କରାଯାଇଛି। ତେବେ, ରାଜଘାଟ ଉଦ୍ଘାଟନ ପୂର୍ବରୁ ଏହାର ଛାତରେ ଫାଟ ସୃଷ୍ଟି ହେବା ଆରମ୍ଭ ହେଲାଣି। କେବଳ ସେତିକି ନୁହେଁ, ମୌସୁମୀର ପ୍ରଥମ ବର୍ଷାରେ ନୂତନ ନିର୍ମିତ ଛାତରୁ ପାଣି ଝରୁଛି।
ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ, ସରୋଜ ସାହୁ ଓ ମୁକେଶ ଜରିୱାଲ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି। ଯଦି ଏହି ରାଜଘାଟ ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ଛାତରୁ ପାଣି ଝରିବା ଆରମ୍ଭ ହେଲାଣି ଓ ଏହାକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ ହେଲାଣି, ତାହେଲେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେତେ ନିମ୍ନମାନର ହୋଇନଥିବ? ତେଣୁ, ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ, ବିଭାଗୀୟ ଅଧିକାରୀ ଓ ଠିକା କଂପାନି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଏତେ ବଡ଼ ପ୍ରକଳ୍ପ ନିର୍ମାଣ ହେଉଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ତଥା ମହାନଗର ନିଗମ କର୍ତୃପକ୍ଷ ନିଶ୍ଚିତ ଭାବରେ ତଦାରଖ ପାଇଁ ଯାଉଥିବେ। ସେମାନେ ସବୁ ଜାଣିବା ପରେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।
ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।