ଝରିଗାଁ: ଶିକ୍ଷା ବିଭାଗ ପକ୍ଷରୁ ପିଲାମାନଙ୍କ ପାଠ ପଢ଼ିବା ପାଇଁ ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମରେ ନୂତନ ବିଦ୍ୟାଳୟ ସ୍ଥାପନ ହୋଇଛି। ତେବେ ଭିତ୍ତିଭୂମିର ବିକାଶ ହୋଉନଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି।

Advertisment

ସୂଚନା ପ୍ରକାରେ ଦୀର୍ଘ ବର୍ଷ ତଳେ ଟାଙ୍ଗନି ଗ୍ରାମରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ତେବେ ବିଦ୍ୟାଳୟର ଭିତ୍ତିଭୂମି ନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବା ବେଳେ ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଛି। ଦୁଇଟି ଯାକ ଶ୍ରେଣୀ ଗୃହ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଛାତରୁ ପାଣି ଗଲୁଥିବା ବେଳେ ମରାମତି ପାଇଁ ଦାବି ହୋଇଥିଲା। ଦାବି ପରେ ଗତ କିଛି ମାସ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ହୋଇଥିଲା।

ମରାମତି କାମ ଶେଷ ହେଲା କିନ୍ତୁ ସମସ୍ୟାର ସମାଧାନ ହୋଇ ନାହିଁ। ନିମ୍ନମାନର କାମ ଯୋଗୁଁ ମରାମତି କାର୍ଯ୍ୟ ପରେ ମଧ୍ୟ ଦୁଇଟି ଶ୍ରେଣୀ ଗୃହର ଛାତରୁ ପାଣି ଗଲୁଥିବା ଅଭିଯୋଗ ହୋଇଛି। ଗୋଟିଏ ଶ୍ରେଣୀ ଗୃହର ଛାତରୁ ଅଧିକ ପାଣି ଗଲୁଥିବା ବେଳେ ଅନ୍ୟ ଏକ ଶ୍ରେଣୀ ଗୃହର ଛାତରୁ ଅଳ୍ପ ପାଣି ଗଲୁଛି। ଯେଉଁ ଶ୍ରେଣୀ ଗୃହରେ କମ ପାଣି ଗଲୁଛି ସେହି ଗୋଟିଏ ଶ୍ରେଣୀ ଗୃହରେ ବାଧ୍ୟ ହୋଇ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଡ଼ୁ ଥିବା ପ୍ରଧାନ ଶିକ୍ଷକ କହିଛନ୍ତି।

ସେହିପରି ବିଦ୍ୟାଳୟର ରୋଷେଇ ଗୃହର ଅବସ୍ଥା ମଧ୍ୟ ସଚନୀୟ ଅବସ୍ଥାରେ ରହିଛି।ବର୍ଷା ଦିନ ମାନଙ୍କରେ ବାହାରେ ଯେତେ ବର୍ଷା ପାଣି ପଡୁଛି ରୋଷେଇ ଗୃହରେ ମଧ୍ୟ ସେହି ମାତ୍ରାରେ ପାଣି ଗଲୁଛି। ଫଳରେ ଛାତ୍ରଛାତ୍ରୀ ମାନଙ୍କ ରୋଷେଇ କରିବାରେ ସମସ୍ୟା ଦେଖାଦେଇଛି। ବେଳେ ବେଳେ ସଠିକ ସମୟରେ ରୋଷେଇ କରିବା ସମ୍ଭବ ହୋଇପାରୁନାହିଁ। ବିଦ୍ୟାଳୟର ଚାରିପଟ ପାଚେରୀ ନଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଇଖାନା ନିର୍ମାଣ ପରେ ମଧ୍ୟ ପାଣି ସମସ୍ୟା ଯୋଗୁଁ ବ୍ୟବହାର ଉପଯୋଗୀ ନାହିଁ ବୋଲି ଅଭିଯୋଗ ହୋଇଛି। ତେଣୁ ପ୍ରଶାସନ ତୁରନ୍ତ ସମସ୍ୟା ଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ନେଇ ଅଭିବାହକ ମାନେ ଦାବି ହୋଇଛି।