ଭଦ୍ରକ: ଭଦ୍ରକ ଜିଲ୍ଲାରେ ଭୂତଳ ଜଳସ୍ତର କମି ଯାଉଛି। ଜଳସ୍ତର କମୁଥିବାରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ବ୍ଲକରେ ନିର୍ମାଣ କରାଯାଉଥିବା ୩୦୫ ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ଭଦ୍ରକ ବ୍ଲକରେ ୫୧ ଟି, ଭଣ୍ଡାରିପୋଖରୀ ବ୍ଲକରେ ୨୮ ଟି, ବନ୍ତ ବ୍ଲକରେ ୨୪ ଟି, ଧାମନଗର ବ୍ଲକରେ ୫୨ ଟି, ଚାନ୍ଦବାଲି ବ୍ଲକରେ ୫୨ ଟି, ବାସୁଦେବପୁର ବ୍ଲକରେ ୫୫ ଟି, ତିହିଡି ବ୍ଲକରେ ୪୪ ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି। ଏହା ବ୍ୟତୀତ ନୂତନ ଭାବେ ଭଦ୍ରକ ବ୍ଲକରେ ୭ ଟି ପ୍ରକଳ୍ପ, ଭଣ୍ଡାରିପୋଖରୀ ବ୍ଲକରେ ୧୪ ଟି ପ୍ରକଳ୍ପ, ବନ୍ତ ବ୍ଲକରେ ୯ଟି ପ୍ରକଳ୍ପ, ଧାମନଗରରେ ୮ ଟି ପ୍ରକଳ୍ପ, ଚାନ୍ଦବାଲି ବ୍ଲକରେ ୯ ଟି, ବାସୁଦେବପୁର ବ୍ଲକରେ ୧୬ ଟି, ତିହିଡି ବ୍ଲକରେ ୧୦ ଟି ନୂଆ ପ୍ରକଳ୍ପ ଚାଲୁଛି। ପୂର୍ବରୁ ଚାଲୁଥିବା ୩୦୫ ଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ଜିଲ୍ଲାରେ ୩୦ ଟି ପ୍ରକଳ୍ପ ଅଚଳ ଅବସ୍ଥ‌ାରେ ରହିଥିବା ବେଳେ କତ୍ତୃପକ୍ଷ ଏଥିପ୍ରତି ଦୃ‌ଷ୍ଟି ଦେଉ ନାହାନ୍ତି। କାଗଜ କଲମରେ ଏଇ ସବୁ ପ୍ରକଳ୍ପ ଠିକ୍ ରହିଛି ବୋଲି ଦର୍ଶାଯାଉଛି। କୋଟି କୋଟି ଟଙ୍କା ବ୍ୟୟରେ ଭୂତଳ ଜଳ ଉଦ୍ଧାର କରାଯାଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଏହ‌ା ବାସ୍ତବରେ ଲୋକଙ୍କ କାମରେ ଆସୁନାହିଁ। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଉଦ୍ଦେଶ୍ୟ ରଖାଯାଇ ଏହି ସବୁ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତାହା ଲୋକଙ୍କର ଶୋଷ ମେଣ୍ଟାଇ ପାରୁ ନାହିଁ। ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ, ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ ଦାୟିତ୍ବ ପଞ୍ଚାୟତ ଗୁଡିକୁ ହସ୍ତାନ୍ତର କରାଯାଇଛି। ଲୋକଙ୍କ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ପ୍ରକଳ୍ପ ଗୁଡିକ ନିର୍ମାଣ କରାଯାଇଛି। ତାହାର ଖନନ କାର୍ଯ୍ୟ ଠିକ୍ ଭାବେ କରାଯାଇ ନଥିବ‌ାରୁ ଅନେକ ପାନୀୟ ଜଳ ପ୍ରକଳ୍ପରୁ ଭୂତଳ ଜଳ ବାହାରୁ ନାହିଁ। ଦିନକୁ ଦିନ ଜଳସ୍ତର ହ୍ରାସ ପାଉଥିବାରୁ ଏଇସବୁ ଭୂତଳ ପ୍ରକଳ୍ପରୁ ଜଳ ବାହାରୁ ନଥିବା ଅଭିଯୋଗ ବି ହେଉଛି।

Advertisment

ଚାନ୍ଦବାଲି, ତିହିଡି, ବାସୁଦେବପୁର ଓ ଧାମନଗର ବ୍ଲକର କିଛି କିଛି ଅଞ୍ଚଳକୁ ବାଦ ଦେଲେ ଅନ୍ୟସବୁ ସ୍ଥାନରେ ୮୦ ଫୁଟ୍ ଗଭୀରତାର ଭୂତଳ ଜଳ ବାହାରି ଥାଏ। ଏଇ ସବୁ ଅଞ୍ଚଳରେ ଲୁଣା ଜଳ ବହାରୁ ଥିବାରୁ ଭୂତଳ ଜଳ ଅଧିକ ନିରାପଦ ବୋଲି ବିବେଚନା କରାଯାଉଛି। କିନ୍ତୁ ଏଇ ସବୁ ଅଞ୍ଚଳରେ ଅନେକ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଲୋକ‌େ ପାନୀୟ ଜଳ ପାଇ ପାରୁ ନାହାନ୍ତି। ଗୋଟିଏ ଗୋଟିଏ ପ୍ରକଳ୍ପ ପୂର୍ବରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବେଳେ ଏବେ ଗୋଟିଏ ଗୋଟିଏ ପ୍ରକଳ୍ପ ନିର୍ମାଣ ପାଇଁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଭୂତଳ ଜଳସ୍ତର କମି ଯାଉଥିବାରୁ ଜଳ ପ୍ରକଳ୍ପ ଗୁଡିକୁ ଖନନ ପାଇଁ ଅଧିକ ବ୍ୟୟ ବରାଦ କରିବାକୁ ପଡୁଛି। ଯେଉଁସବୁ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ନିର୍ମାଣର କିଛି ଦିନ ପରେ ଜଳସ୍ତର କମୁ ଥିବାରୁ ଜଳ ସ୍ରୋତ ଠିକ୍ ରହୁ ନଥିବାରୁ ଭୂତଳ ଜଳ ଠିକ୍ ଭାବେ ବାହାରୁ ନାହିଁ। ଏହି କାରଣରୁ ବହୁ ପ୍ରକଳ୍ପ ଏଭଳି ଅଚଳ ହୋଇ ପଡିଛି। ଆଉ କିଛି ସ୍ଥାନରେ ନିମ୍ନ ମାନର କାମ ଯୋଗୁଁ ପ୍ରକଳ୍ପ ଅଚଳ ହୋଇ ପଡିଥିବା ବେଳେ ଅନକେ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ କରାଯାଉ ନଥିବାରୁ ପ୍ରକଳ୍ପ ଅଚଳ ହୋଇଛି। କେତେକ ସ୍ଥାନରେ ପାଇପ୍ ଫାଟି ପାଣି ଭାସି ଯାଉଛି ତ ଆଉ କେଉଁଠି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ପଡିଛି। ଜିଲ୍ଲାର ୪ ଟି ବ୍ଲକରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଏହି ସବୁ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଆଗାମୀ ଦିନରେ ସଠିକ୍ ଭାବ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।