ରାଉରକେଲା : ଟଳି ଯାଇଛି ବିପଦ। ଗତକାଲି ରାତିରେ ଉପରମୁଣ୍ଡ ଝାଡ଼ଖଣ୍ଡରେ ଭାରତୀୟ ପାଣିପାଗ ଆକଳନ ଠାରୁ କମ୍ ବର୍ଷା ହେବାରୁ ଉଭୟ ବ୍ରାହ୍ମଣୀ ଓ ଶଙ୍ଖ ନଦୀର ଜଳସ୍ତର ଖସୁଛି। ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି। ବ୍ରାହ୍ମଣୀନଦୀର ବିପଦ ସଙ୍କେତ ରହିଛି ୧୭୮.୪୨ ମିଟର। ଗତକାଲି ରାତି ୮ଟାରେ ଉପରମୁଣ୍ଡର ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀ ଜଳ ସ୍ତର ରହିଥିଲା ୧୭୪.୯୪ ମିଟର। ଆଜି ଅପରାହ୍ନ ୩ଟା ସୁଦ୍ଧା ଜଳ ସ୍ତର ହ୍ରାସ ପାଇ ଛୁଇଁଛି ୧୭୩.୨୭ ମିଟର। ସେମିତି ଗତକାଲି ରାତି ୮ଟାରେ ଶଙ୍ଖ ନଦୀର ଜଳସ୍ତର ରହିଥିଲା ୩୭୪.୯୪ ମିଟର। ଆଜି ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ପହଞ୍ଚିଥିଲା ୩୭୪.୪୯ ମିଟର। ଅପରାହ୍ନ ୪ଟା ପରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇ ବିପଦ ସଙ୍କେତ ଠାରୁ ବହୁ ତଳେ ବର୍ଷା ଜଳ ପ୍ରଭାବିତ ହେଉଛି। ଅନୁରୂପ ଭାବେ ଝାଡ଼ଖଣ୍ଡରୁ ରାଉରକେଲା ପ୍ରଭାବିତ ହେଉଥିବା କୋଏଲ ନଦୀ ଜଳ ଗତକାଲି ରାତିରେ ବୃଦ୍ଧି ପାଇଥିଲା। ଆଜି ଅପରାହ୍ନ ୩ଟାରେ ଜଳସ୍ତର ହ୍ରାସ ପାଇ ରହିଛି ୧୮୮.୬୮ ମିଟର। ଯାହା ବିପଦ ସଙ୍କେତ ଠାରୁ ବହୁ ତଳେ ରହିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ରାଉରକେଲାର କନିଷ୍ଠ ଯନ୍ତ୍ରୀ ପି.କେ. ଆଚାର୍ଯ୍ୟ। ସେ କହିଛନ୍ତି, ଝାଡ଼ଖଣ୍ଡର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିଲେ ରାଉରକେଲା ସହର ବିଶେଷ କରି ତଳି ଅଞ୍ଚଳ ବସ୍ତିଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିଥାନ୍ତା। ମାତ୍ର ଉପର ମୁଣ୍ଡରେ ପାଣିପାଗ କହିବାନୁଯାୟୀ ବର୍ଷା କମ୍ ହୋଇଥିବାରୁ ବିପଦ ଟଳିଯାଇଛି। ଗତକାଲିର ବ୍ରାହ୍ମଣୀ ଜଳସ୍ତର ବଢ଼ିବା ପରେ ତଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀ ପୁରା ଦମ୍ରେ ଲାଗି ପଡିଥିଲେ। ଅପରାହ୍ନରେ ସ୍ଥିତିର ସୁଧାର ଆସିବା ପରେ ଜିଲ୍ଲା ପ୍ରଶାସନକୁ ଆଶ୍ବସ୍ତି ମିଳିଥିଲା। ସୂଚନାଯୋଗ୍ୟ ପ୍ରତିବର୍ଷ ଲଗାଣ ବର୍ଷା ହେଲେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଥାଏ। ନଦୀ ପାର୍ଶ୍ବରେ ବସବାସ କରୁଥିବା ପାନପୋଷର ୧୦ ବସ୍ତି ଓ ଏହାର ଆଖପାଖ ଲୋକଙ୍କ ଚିନ୍ତା ବଢ଼ିଯାଏ। ବନ୍ୟା ଜଳ ଦ୍ବାରା ପ୍ରଭାବିତ ହୋଇଥାନ୍ତି ବାଲୁଘାଟ, ସର୍ଦ୍ଦାରବସ୍ତି, ପଲ୍ପଲ୍ ବସ୍ତି, ନୂଆ ବସ୍ତି, କୁମ୍ଭାରପଡା ଆଦି ବସ୍ତିର ପ୍ରାୟ ୫ ହଜାରରୁ ଅଧିକ ପରିବାର। ପ୍ରଶାସନ ସେମାନଙ୍କୁ ନିକଟସ୍ଥ ସ୍କୁଲ ଥଇଥାନ କରିଥାନ୍ତି। ବନ୍ୟା ଜଳ ଛାଡିବା ପରେ ପରିବାର ଲୋକ ନିଜ ନିଜ ଘରକୁ ଫେରନ୍ତି। ସହରକୁ ପଶୁଥିବା ବନ୍ୟା ଜଳକୁ ରୋକିବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ନଦୀବନ୍ଧ ଯୋଜନା କେବଳ ପ୍ରସ୍ତାବରେ ଅଟକିଛି। ଫଳରେ ପ୍ରତିବର୍ଷ ସହରତଳି ବସ୍ତିବାସିନ୍ଦାଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି।
ଟଳିଗଲା ବିପଦ, ଖସିଲା ବ୍ରାହ୍ମଣୀ ଓ ଶଙ୍ଖ ନଦୀର ଜଳ ସ୍ତର
୧୦ ବସ୍ତିର ୫ ହଜାର ପରିବାରକୁ ମିଳିଲା ଆଶ୍ବସ୍ତି
/sambad/media/post_attachments/wp-content/uploads/2021/05/WhatsApp-Image-2021-05-28-at-20.57.58.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)