କେନ୍ଦୁଝର : ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ କେନ୍ଦୁଝରର ସ୍ଥିତି ବେହାଲ ହୋଇପଡ଼ିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରର ଜୀବନ ରେଖା ବୈତରଣୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତଳିଆ ଅଞ୍ଚଳ ସ୍ଥିତି ସଂଗିନ ହୋଇପଡ଼ିଛି। ଆଜି ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବା ଫଳରେ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାନ୍ତି।

Advertisment

ଆଜି ସକାଳେ ବୈତରଣୀ ଜଳସ୍ତର ୩୪.୧୮ ମିଟର ଥିବା ବେଳେ ସଂଧ୍ୟା ୫ଟା ବେଳେ ବୈତରଣୀର ଜଳସ୍ତର ୩୪.୨୬ ମିଟରରେ ପହଞ୍ଚିଛି । ଏଠାରେ ବିପଦ ସଂକେତ ୩୭.୪୪ ମିଟର ଥିବାରୁ ଯଦି ବର୍ଷା ଲାଗି ରୁହେ ତେବେ ସ୍ଥିତି ବିଗିଡ଼ି ଯିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ କେନ୍ଦୁଝର ବ୍ଲକରେ ୬୦.୨ ମିଲିମିଟର ବର୍ଷା ହୋଇଛି । ସେହିପରି ବାଂଶପାଳ ବ୍ଲକରେ ୬୯. ୨ ମିମି, ତେଲକୋଇ ବ୍ଳକରେ ୪୦ ମିମି, ପାଟଣା ବ୍ଲକରେ ୨୨ ମିମି, ସାହାରପଡା ବ୍ଲକରେ ୧୨.୨ ମିମି, ଘଟଗାଁ ବ୍ଲକରେ ୨୦.୬ ମିମି, ହରିଚନ୍ଦନପୁର ବ୍ଲକରେ ୧୮.୬ ମିମି, ଆନନ୍ଦପୁର ବ୍ଲକରେ ୪୧ ମିମି, ଘସିପୁରା ବ୍ଲକରେ ୪୩.୩ ମିମି, ହାଟଡିହି ବ୍ଳକରେ ୫୭. ୭ ମିମି, ଚମ୍ପୁଆ ବ୍ଲକରେ ୭୫ ମିମି, ଯୋଡା ୬୪. ୪ ମିମି ଓ ଝୁମ୍ପୁରା ବ୍ଲକରେ ୫୩. ୨ ମିମି ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନଥିବା ବେଳେ ରାସ୍ତାଘାଟରେ ପାଣି ଜମି ରହିଛି।

କେନ୍ଦୁଝର ପୌରପାଳିକାର ଶିରିପୁର ଗ୍ରାମର ଶ୍ୟାମସୁନ୍ଦର ହେମ୍ବ୍ରମଙ୍କ ଘର ଭାଙ୍ଗି ଯାଇଛି । ଫଳରେ ସେମାନେ ବାସହରା ହୋଇପଡିଛି । କାହାରି କିଛି ହୋଇ ନଥିବା ବେଳେ ଘରେ ଥିବା ସମସ୍ତ ଜିନିଷପତ୍ର ପୋତି ହୋଇ ନଷ୍ଟ ହୋଇଯାଇଛି । କେନ୍ଦୁଝରଗଡ ପୌରପାଳିକାର ଅଧିକାଂଶ କଲୋନିବାସୀ ଜଳବନ୍ଦୀ ହୋଇ ରହିଛନ୍ତି। ରାସ୍ତାରେ ପାଣି ଜମି ରହୁଥିବାରୁ ଲୋକମାନେ ଘରୁ ବାହାରକୁ ବାହାରି ନପାରି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟା ଦୀର୍ଘଦିନର ସମସ୍ୟା ହୋଇଥିଲେ ହେଁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଲୋକମାନେ ଅସନ୍ତୋଷ ପ୍ରକାଶ କଲେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ପୌରପାଳିକା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଏ। ପୁଣି ବର୍ଷା କମିଗଲେ ପାଣି ଛାଡିଯାଏ। ପାଣି ଛାଡିଗଲେ ଅଧିକାରୀମାନେ ତାଙ୍କ ପ୍ରତିଶ୍ରୁତିକୁ ସେହି ହିସାବରେ ଭୁଲି ମଧ୍ୟ ଯାଆନ୍ତି। ପ୍ରତିବର୍ଷ କେନ୍ଦୁଝରଗଡ ପୌରପାଳିକାରରେ ରାସ୍ତା ନିର୍ମାଣ ହେଉଛି, ଡ୍ରେନ ମଧ୍ୟ ନିର୍ମାଣ ହେଉଛି । ଏଥି ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ହେଲେ ଲୋକମାନଙ୍କୁ ଏହାର ଫାଇଦା ମିଳି ପାରୁ ନାହିଁ। ଟାଉନ ପ୍ଲାନିଂର ନିର୍ଦ୍ଦେଶ ଅନୁଯାୟୀ ଲୋକମାନେ ଘର ଦ୍ବାରା ନିର୍ମାଣ କରୁ ନାହାନ୍ତି । ଡ୍ରେନ ପାଇଁ ରାସ୍ତା ଛାଡୁ ନାହାନ୍ତି । ଫଳରେ ବହୁ କଲୋଣୀରେ ଡ୍ରେନ ନିର୍ମାଣ ହୋଇନପାରି ବର୍ଷା ପାଣି ଜମି ରହୁଛି । ପ୍ଲାନିଂ ଅନୁଯାୟୀ ନିର୍ମାଣ ହେଉଛି କି ନାହିଁ ତାହାର ତଦାରଖ କରିବା ଦାୟିତ୍ବ ପୌରପାଳିକାର । ହେଲେ ପୌରପାଳିକା ଏଥିପ୍ରତି ମଧ୍ୟ ଯତ୍ନବାନ ହେଉ ନଥିବାରୁ ଏପରି ଅବସ୍ଥା ଉପୁଜୁଥିବା କୁହାଯାଉଛି।
କେନ୍ଦୁଝର ପୌରପାଳିକାର ଜଗନ୍ନାଥପୁର, ବ୍ୟାଙ୍କ କଲୋନି, ସ୍ପଞ୍ଜ କଲୋନି, ମାଗୁରୁଗାଡିଆ, ଡିଏନ ହାଇସ୍କୁଲ ପଛପଟ ଗ୍ରାମଶ୍ରୀ କଲୋନି, ମେଡିକାଲ ପଛପଟ କ‌ଲ‌ୋନି ସମେତ ଅନେକ କଲୋନି ରାସ୍ତାରେ ଆଣ୍ଠିଏ ଲେଖାଏଁ ପାଣି ଜମି ରହିଛି । ବର୍ଷା ପାଣି ରାସ୍ତା ଉପରେ ଜମି ରହୁଥିବାରୁ ଡ୍ରେନର ମଇଳା ପାଣି ମଧ୍ୟ ରାସ୍ତା ଉପରକୁ ଆସି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ଲୋକଙ୍କ ବିଭିନ୍ନ କାମ ଥିଲେ ମଧ୍ୟ ସେମାନେ ଘରୁ ବାହାରି ପାରୁ ନାହାନ୍ତି । ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା‌ରେ ପୌରପାଳିକା ବିଫଳ ବୋଲି ଲୋକେ ଆଲୋଚନା କରୁଛନ୍ତି।