ରାତି ଅଧରେ ଘରେ ଧ‌ସେଇ ପଶିଲା ପାଣି, ଭାଙ୍ଗିଗଲା ଘର, ଲହଡି ମାରୁଛି ପାଣି

ଜୟପୁର: ଦିନ ତମାମ୍ ଭଲ ପାଗ ଭଲ ଥିବା ବେଳେ ରାତି ଅଧରେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା। ଘଡଘଡି ସାଙ୍ଗକୁ ମୂଷଳ ଧାରରେ ବର୍ଷା ହେଲା। କ୍ଷଣିକ ମଧ୍ୟରେ ସାହିରେ ପାଣି ଜମି ରହିଲା, ତାହା ନିଷ୍କାସନ ହୋଇପାରିଲା ନାହିଁ। ଫଳରେ ‌ସାହିବାସୀନ୍ଦା ଘରେ ଶୋଇଥିବା ବେଳେ ବର୍ଷା ପାଣି ଘରେ ଧସେଇ ପଶିଥିଲା। ଜୀବନ ବଞ୍ଚାଇ କିଏ କେଉଁଆଡେ ଦୌଡିବାରେ ଲାଗିଥିଲେ। କିଏ ଉପର ଘରକୁ ଯାଇଥିବା ବେଳେ ଆଉ କିଏ ମନ୍ଦିର ପ୍ରାଙ୍ଗଣକୁ ଦୌଡି ପଳାଇଥିଲେ। ଆଉ କିଏ ଜିନିଷପତ୍ରକୁ ସୁରକ୍ଷିତ ସ୍ଥାନ‌ରେ ରଖିବାକୁ ଲାଗିଥିଲେ। ଜୟପୁର ସହରର ନୂଆସାହିରେ ଗତକାଲି ଏଭଳି ଦୃଶ୍ୟ ରହିଥିବାର ଦେଖିବାକୁ ମିଳିଛି। ସାହିରୁ ପାଣି ନିଷ୍କାସନ ହୋଇପାରି ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

          ଗତକାଲି ରାତି ପାଖପାଖି ୨ଟା ପରେ ଘଡଘଡି ସାଙ୍ଗକୁ ବର୍ଷା ଆରମ୍ଭ ହୋଇଥିଲା। କ୍ଷଣିକ ମଧ୍ୟରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଲା। ଅତି ପ୍ରବଳ ବର୍ଷାରେ ନୂଆ ସାହିର ପଞ୍ଚମ ଲାଇନ୍‌ ବନ୍ୟାଞ୍ଚଳରେ ପରିଣତ ହୋଇଛି। ଘର ଭିତରେ ବର୍ଷା ପାଣି ପଶିଯିବାରୁ ଲୋକେ ନିଜର ଆସବାପତ୍ର କେଉଁଠି ରଖିବେ ଚିନ୍ତାରେ ପଡିଥିଲେ। ଶୋଇଥିବା ଅବସ୍ଥାରେ ପାଣି ପଶିଯିବାରୁ ଜିନିଷପତ୍ରକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇପାରିନଥିଲେ। ଘର ଭିତରେ ପାଣି ଲହଡି ମାରୁଥିଲା। ଆଣ୍ଠୁଏ ପାଣିରେ ଆସବପତ୍ର ସବୁ ଭାସିବାରେ ଲାଗିଥିଲା। ବର୍ଷା ଦିନ ଆରମ୍ଭ ହୋଇନଥିବା ବେଳେ ଏବେଠୁ ସାହିର ସ୍ଥିତି ଏଭଳି ରହିଥିବା ବେଳେ ଆଗକୁ କଣ ହେବ ତାହା ଦେଖିବାକୁ ବାକି ରହିଛି। ସାହିର ଡ୍ରେନେଜଗୁଡିକ ସଫେଇ କରାଯାଉନଥିବା ‌ପାଣି ନିଷ୍କାସନ ହୋଇପାରୁନଥିବାରୁ ଏଭଳି ସ୍ଥିତି ଉପୁଜୁଥିବାର ଲୋକ ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ସ‌ହ ଲୋକ ଜୁଝୁ ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ପଡୁନାହିଁ। ଆଜିର ବର୍ଷାରେ ଲୋକଙ୍କ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନଥିବା କହିଛନ୍ତି। କାହାର ଘର ଭାଙ୍ଗି ପଡିଛି ତ ଆଉ କାହାର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଛି। ବର୍ଷା ପରେ ବି ଆଜି କେତେଙ୍କ ଘରେ ଚୁଲି ମଧ୍ୟ ଜଳିନଥିବା ଦେଖିବାକୁ ମିଳିଛି।

          ସ୍ଥାନୀୟବାସୀନ୍ଦା ଶୋଭା ବାଇ କହିଛନ୍ତି ଯେ, ଦ‌ୋକାନରେ ବିକ୍ରି ପାଇଁ ଗତକାଲି ସାମଗ୍ରୀ ଆଣିଥିଲେ। ଦୋକାନ ଘରେ ସାମଗ୍ରୀଗୁଡିକ ରହିଥିବା ବେଳେ ରାତିରେ ହଠାତ ପାଣି ପଶିଯିବାରୁ ତାହାକୁ ବାହାର କରିପାରିନଥିଲେ। ଯେଉଁଥିରେ ବସ୍ତା ସଂଖ୍ୟକ ସାମଗ୍ରୀ ନଷ୍ଟ ହୋଇଯାଇଛି। ଚିନି, ଅଟା, ସୋୟାବିନ୍ ବଢ଼ି, ପିଆଜ, ଚଓମିନ୍, ମଇଦା, ବେସନ, ଚାଉଳ ସମେତ ବହୁ ସାମଗ୍ରୀ ପାଣିରେ ବୁଡି ରହି ନଷ୍ଟ ହୋଇଯାଇଛି। ପାଖାପାଖି ୪୦ ହଜାର ଟଙ୍କାରୁ ଅଧିକ କ୍ଷତି ହୋଇଛି ବ‌ୋଲି କହିଛନ୍ତି।

ସ୍ଥାନୀୟବାସୀନ୍ଦା ସୋମନାଥ ପଟ୍ଟନାୟକଙ୍କ କହିବାନୁଯାୟୀ, ଗତ ୮ ବର୍ଷ ଧରି ଏହି ସାହିରେ ଭଡା ଘରେ ରହିଆସୁଛନ୍ତି। ରାତିରେ ପାଣି ଆସିବାରୁ ବାହାରକୁ ଦୌଡି ଯିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯିବା ବେଳେ ଘରର ୩ ବଖରା ଭାଙ୍ଗି ପଡିଛି। କାନ୍ଥ ଅଧା ଭାଙ୍ଗି ଯାଇଥିବା ବେଳେ ଇଟାଗୁଡିକ ଖସି ତଳେ ପଡିଛି। ଘରେ ପାଣି ସୁଅ କାଟୁଛି, ଏଭଳି ପରିସ୍ଥିତିରେ ବାହାରକୁ ଯିବା କଷ୍ଟକର ହୋଇପଡିଥିଲା।

          ସ୍ଥାନୀୟବାସୀନ୍ଦା ସନ୍ତୋଷ ପଟ୍ଟନାୟକଙ୍କ କହିବାନୁଯାୟୀ, ରାତିରେ ପାଣି ଆସିବାରୁ ବୟସ୍କ ଓ ପିଲାମାନଙ୍କୁ ମନ୍ଦିର ପ୍ରାଙ୍ଗଣକୁ ନେଇଯାଇଥିଲୁ। ଏହି ସମୟରେ ଘର ସାମଗ୍ରୀକୁ କିଛି ସାଇତି ରଖିପାରିଲୁ ନାହିଁ। ବ‌ର୍ଷା ପାଣି ନିଷ୍କାସନ ପାଇଁ ଗେଟ୍ ଖୋଲିବା ପାଇଁ ରାତିରେ ବହୁ ନେହୁରା ହୋଇଥିଲୁ କିନ୍ତୁ କେହି ଶୁଣିନଥିଲେ। ସାହି ଲୋକ ହିଁ ମିଶି କରି ଗେଟ୍ ଖୋଲିବାରୁ ପାଣି ନିଷ୍କାସନ ହୋଇପାରିଥିଲା ବ‌ୋଲି କହିଛନ୍ତି।

ସମ୍ବନ୍ଧିତ ଖବର