ଡ୍ରେନ୍ କାମ ବନ୍ଦ, ଅସରାଏ ବର୍ଷାରେ ଜାରକା ବଜାର ବେହାଲ

ଧର୍ମଶାଳା: ଅସରାଏ ବର୍ଷାରେ ଜାରକା ବଜାର ଅବସ୍ଥା ବେହାଲ ହୋଇପଡ଼ିଛି। ଆଜି ଅପରାହ୍ଣ ଠାରୁ ବର୍ଷା ଆରମ୍ଭ ହେବା ପରେ ବଜାରର ଉଭୟ ପାର୍ଶ୍ବରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା। ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେବା ସହିତ ଦୋକାନରେ ପାଣି ପଶିଯାଇଥିଲା। ଏପଟେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ଏବେ କାମ ବନ୍ଦରହିଛି। ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଜାରକା ବଡ଼ ବଜାର ଆପ୍ରୋଚ୍ ରୋଡ୍‌ରେ ପାଣି ଲହଡ଼ି ମାରୁଛି। ଫଳରେ ରାଜପଥରେ ଗାଡ଼ି ଚଳାଚଳରେ ବହୁ ଅସୁବିଧା ହେଉଛି। ପ୍ରକାଶ ଯେ, ଦୁଇବର୍ଷ ହେଲା ଜାତୀୟ ରାଜପଥ ସଂପ୍ରସାରଣ ସହ ଜାରକା ଛକରେ ଏକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଛି। ମାତ୍ର ଠିକାସଂସ୍ଥାର ମନ୍ଥର କାର୍ଯ୍ୟ ଯୋଗୁଁ ଜାରକା ଅଞ୍ଚଳରେ ରାଜପଥ ନିର୍ମାଣ କାମ କେବେ ସରିବ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ସେହିପରି ଏବେ ପୁରୁଣା ଡ୍ରେନ୍ ସ୍ଥାନରେ ନୂଆ ଡ୍ରେନ୍ କାମ ହେଉଥିଲା। ହେଲେ ନିର୍ମାଣରେ ତ୍ରୁଟିଥିବା ଅଭିଯୋଗ ହେବାରୁ ଠିକାସଂସ୍ଥା ଡ୍ରେନ୍ କାମ ବନ୍ଦ କରିଦେଇଛି। ଡ୍ରେନ୍ କାମ ଶେଷ ହେଉନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ। ବର୍ଷା ସମୟରେ ଅସ୍ଥାୟୀ ରାଜପଥ ପାଲଟିଥିବା ଆପ୍ରୋଚ୍ ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି। ଗାଡ଼ିମୋଟର ଚଳାଚଳ ବେଳେ ପାଣି ଉଛୁଳିି ଡ୍ରେନ୍ ନିକଟରେ ଥିବା ଦୋକାନରେ ପଶିଯାଉଛି। ପାଣି ପଶି ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଉଛି।

ଏନେଇ ବ୍ୟବସାୟୀମାନେ ପ୍ରଶାସନ ଓ ରାଜପଥ ସଂପ୍ରସାରଣ କରୁଥିବା ଠିକାସଂସ୍ଥାକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏବେ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ବ୍ୟବସାୟୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଜାତୀୟ ରାଜପଥ ସମେତ ଫ୍ଲାଇଓଭର ବ୍ରିଜ୍ ଓ ଡ୍ରେନ୍ କାର୍ଯ୍ୟ ଶେଷ କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି। ସେହିପରି ବର୍ଷାଜଳ ନିଷ୍କାସନ ପାଇଁ ୩ବର୍ଷ ପୂର୍ବେ ଜାରକା ତଳ ବଜାରରେ ଏକ ଡ୍ରେନ୍ ନିର୍ମାଣ ହୋଇଥିଲା। ହେଲେ ନିର୍ମାଣଜନିତ ତ୍ରୁଟି ପାଇଁ ବର୍ଷାପାଣି ଡ୍ରେନ୍ ବଦଳରେ ରାସ୍ତା ଉପରେ ପ୍ରବାହିତ ହେଉଛି। ବହୁଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଏହି ଡ୍ରେନ୍ କାର୍ଯ୍ୟରେ କେବଳ ଠିକାଦାର ପୋଷିବା ସାର ହୋଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର