ଭଦ୍ରକରେ ପ୍ରବଳ ବର୍ଷା, ଜଳ ଘେରରେ କଲୋନୀବାସୀ

ଭଦ୍ରକ: ଭଦ୍ରକ ପୌରପାଳିକାର ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଆଜି ଗୋଟିଏ ଦିନର0 ବର୍ଷାରେ ଭଦ୍ରକ ସହରର ଅନେକ କଲୋନୀ ଜଳ ବନ୍ଦୀରେ ରହିଛନ୍ତି। ଦିନ ଦୁଇଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବର୍ଷା ଜଳ ଡ୍ରେନରେ ପାସ୍ କରି ନପାରିବାରୁ ରାସ୍ତା ବୁଡି ଲୋକଙ୍କ ଘରେ ପଶିଛି। ଭଦ୍ରକର ୭ ନମ୍ବର ୱାର୍ଡର ମଠସାହି ଅଞ୍ଚଳରେ ଅନେକ ରାସ୍ତା ବୁଡି ଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି। ମଠସାହିର ମୋଟେଲଛକ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱ କଲୋନୀରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଛି।

ରାଜପଥ କର୍ତୃପକ୍ଷ ରାସ୍ତା ସଂପ୍ରସାରଣ କରୁଥିବାବେଳେ ଡ୍ରେନ୍ ପୋତି ହୋଇପଡିଛି। ଆଉ କିଛି ଲୋକ ରାଜପଥ କଡରେ ମାଟି ପକାଇ ନିଜ ଜମିକୁ ପୋତି ଦେଇଥିବାରୁ କଲୋନୀର ଡ୍ରେନ୍ ପାଣି କିମ୍ବା ବର୍ଷା ଜଳ ନିଷ୍କାସିତ ହୋଇପାରୁ ନାହିଁ। ଫଳରେ ଲୋକମାନେ ଆଜି ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। କେବଳ ମଠ ସାହି କଲୋନୀ ନୁହେଁ, ଭଦ୍ରକ ସହରର ଅନ୍ୟ କଲୋନୀମାନଙ୍କରେ ମଧ୍ୟ ବର୍ଷା ଜଳ ନିଷ୍କାସିତ ହୋଇ ପାରି ନାହିଁ। ଏ ଦିଗରେ ପୌରପାଳିକା ଓ ଡ୍ରେନେଜ ବିଭାଗ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର