ଖୋର୍ଦ୍ଧା ସହରର ୭ଟି ୱାର୍ଡ ବାହ୍ୟଜଗତରୁ ଆଂଶିକ ବିଚ୍ଛିନ୍ନ

ଖୋର୍ଦ୍ଧା: କରୋନା ମହାମାରୀ ଆଢ଼ୁଆଳରେ ପୌରପରିଷଦର ପରିମଳ, ରାସ୍ତାଘାଟ ଓ ଜଳନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରାଯାଇଥିଲା । ସେହିଭଳି ପ୍ରଶାସନର ଅପରାଗତାକୁ ଦେଖି ସହରରରେ କ୍ରମାଗତ ବୃଦ୍ଧି ପାଉଥିବା ଜବରଦଖଲ ଜନିତ ସମସ୍ୟା ତିନିଦିନ ଧରି ଚାଲିଥିବା ଲଗାଣ ବର୍ଷା ପଦାରେ ପକାଇଦେଇଛି । ବର୍ଷା ଯୋଗୁଁ ସହରର ୭ଟି ୱାର୍ଡ ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ସହର ଏକ ପାହାଡ଼ିଆ ଟାପୁ ଉପରେ ବସିଛି । ଏଥିରେ ବର୍ଷାଯୋଗୁଁ ସହରରେ ଜଳମଗ୍ନ ହେବା କିମ୍ବା “ଅଚାନକ ବଢ଼ି’ ଆସିବା ଆଶଙ୍କା କମ ବୋଲି କୁହାଯାଉଥିଲା, କିନ୍ତୁ ଗତ ତିନିଦିନ ଧରି ଚାଲିଥିବା ଲଗାଣ ବର୍ଷା ଏହି ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି । ସହରର ୧, ୫, ୬, ୭, ୮, ୧୦ ଓ ୧୭ ନମ୍ବର ୱାର୍ଡର ଅନେକ ଅଂଚଳ ବର୍ଷାଯୋଗୁଁ ଜଳାର୍ଣ୍ଣବ ହେବା ସହ ରାସ୍ତାଘାଟ ଓ ଅନେକ ଘର ଭିତରେ ନର୍ଦ୍ଦମା ପାଣି ପଶିଛି । ଆଜି ସକାଳେ ବର୍ଷା ଯୋଗୁଁ ଗୁରୁଜଙ୍ଗ-ନୂଆଗାଁ (ୱିଲିକିନ୍ସନ ନଗର)ରାସ୍ତାରେ ପ୍ରାୟ ଦେଢ଼ଫୁଟ ପାଣି ପ୍ରବାହିତ ହୋଇଥିଲା । ଫଳରେ ଦୀର୍ଘ ୫-୬ଘଂଟା ଧରି ରାସ୍ତାରେ ସ୍ୱାଭାବିକ ଭାବେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା ।

ସେହିଭଳି ଗୁରୁଜଙ୍ଗ ଦ୍ୱାରିକା ନଗରର ରାସ୍ତାରେ ପାଣି ଜମିରହିବା ସହ ନାଳନଥିବା ଅନେକ ଘରେ ପାଣିପଶିଯାଇଥିବା ଲକ୍ଷ୍ୟ କରାଯାଇଛି । ଗାନ୍ଧୀପଡ଼ିଆ ନିକଟବର୍ତୀ ଅଂଚଳ, ଚାଚାର ଶବର ସାହି, ନବୀନାବାଗ ଛକ ଠାରୁ ୧୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଥିବା ଶାନ୍ତିକଲ୍ୟାଣ ମଣ୍ଡପ ରାସ୍ତା, ସାମନ୍ତରାପୁରର ଠେଙ୍ଗାହାଟ ମେଲଣପଡ଼ିଆ ଅଂଚଳ, ବୁଢ଼ିବଗିଚା, ବକ୍ସିଲେନ୍, ଭାଲିଆବାଡ଼ି ଲୋକେଶ୍ୱରପୁର ମନ୍ଦିର ନିକଟବର୍ତୀ ଅଂଚଳରେ ପାଣି ଅନେକ ଘରକୁ ପ୍ରବେଶ କରିଛି । କେବଳ ଏହାନୁହେଁ ମାରୁୱାଡ଼ି ପଟି ଠାରୁ ଗୋଡ଼ିପୋଖରୀ ରାସ୍ତାରେ ନର୍ଦ୍ଦମାଜଳ ରାସ୍ତାଉପରେ ଛୁଟି ପରିବେଶକୁ ପୂତିଗନ୍ଧମୟ କରିଛି । ଆଜି ଦିନ ତମାମ ସହରର ଅନେକ ଅଂଚଳ ଜଳମଗ୍ନ ହୋଇ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ପୌରପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ଦେଖାମିଳିନଥିଲା ।

ଏପରିକି ଏନେଇ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା । ସହରରେ ଗତ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଡ୍ରେନେଜ୍ ବ୍ୟବସ୍ଥା ଅଧାପନ୍ତରିଆ ହୋଇ ପଡ଼ିରହିଛି । କେବଳ ଏହାନୁହେଁ, ନର୍ଦ୍ଦମା ନିୟମିତ ଭାବେ ସଫା କରାଯାଉନଥିବା, ଲୋକମାନେ ନାଳ ଉପରେ ଜବରଦଖଲ କରି ଗୃହ ଓ ଦୋକାନ ଘର ନିର୍ମାଣ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କରୋନା ମହାମାରୀ ସମୟରେ ସହରର ଏଭଳି ଅବସ୍ଥା ଆଗକୁ ବିପଦକୁ ଡାକି ଆଣିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର