ମାଲକାନଗିରିରେ ପ୍ରବଳ ବର୍ଷା, ଏମଭି-୭ ବ୍ରିଜ ଉପରେ ତିନି ଫୁଟ୍‌ ପାଣି ପ୍ରବାହିତ

ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା। ଦୀର୍ଘ ସମୟ ଧରି ବର୍ଷା ହେବା ଫଳରେ ଛୋଟ ବଡ ସବୁ ନଦୀ, ନାଳ ପୁରିଯାଇଥିବା ଦେଖିବାକୁ ମିଳିଛି। ଏପରିକି ଜାତୀୟ ରାଜପଥ ୩୨୬ର ଏମଭି-୭ ନମ୍ବର ନିକଟରେ ରହିଥିବା ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହେବା ଫଳରେ ଦୀର୍ଘ ସମୟ ଧରି ଦୁଇ ପଟେ ଯାନବାହାନ ଅଟକି ରହିବା ସହ ଶହଶହ ଲୋକ ମଧ୍ୟ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇନପାରି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ମୌସୁମୀ ରାଜ୍ୟରୁ ଫେରି ଯାଇଥିଲେ ମଧ୍ୟ ଗତକାଲି ସନ୍ଧ୍ୟାବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା। ଘଡଘଡି ସହ ବିଜୁଳି ମାରିବା ସହ ରାତି ତମାମ ବର୍ଷା ହୋଇଥିଲା। ଏମଭି-୨ ନିକଟରେ ରହିଥିବା ବ୍ରିଜରେ ମଧ୍ୟ ଦୁଇ ଫୁଟର ପାଣି ପ୍ରବାହିତ ହେବା ଫଳରେ ଯାତାୟତ ଠପ୍ ହୋଇଥିଲା। ଏମଭି-୩ ଗ୍ରାମରେ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ତଳୁଆ ବ୍ରିଜ ରହିଥିବାରୁ ପ୍ରତିବର୍ଷ ପ୍ରବଳ ବର୍ଷା ହେଲେ ବ୍ରିଜ ଉପରେ ପାଣି ପ୍ରବାହିତ ହୋଇଥାଏ। ଯାହାଫଳରେ ଦିନଦିନ ଧରି ଯାତାୟତ ଠପ୍ ହୋଇ ଯାଇଥାଏ।

ବିଶେଷକରି ରୋଗୀ ଏବଂ ଗର୍ଭବତୀ ମହିଳା ଆଜି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣି ନକମିବା ପର୍ଯ୍ୟନ୍ତ କାହାରିକୁ ପ୍ରଶାସନ ଛାଡିନଥିଲା। ସୁରକ୍ଷା ଦୃଷ୍ଟିରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଦୁଇ କୂଳରେ ଅପେକ୍ଷା କରିବାକୁ ବାଧ୍ୟ କରିଥିଲେ। ପ୍ରଶାସନ ତରଫରୁ ମଧ୍ୟ ବ୍ରିଜ ଗୁଡିକର ଦୁଇ ପଟେ ଲାଲ ରଂଗର ରିବନ ବାନ୍ଧି ଲୋକଙ୍କୁ ବ୍ରିଜ ଗୁଡିକ ନପାର ହେବାକୁ ପରାମର୍ଶ ଦେଉଥିଲେ। ତଳିଆ ଅଂଚଳରେ ରହୁଥିବା ଲୋକେ ବହୁ ହଇରାଣ ହୋଇଥିଲେ। ସେହିପରି ୧୧୯ କଲୋନୀରେ ଗଛ ପଢିଯିବାରୁ ଦୀର୍ଘ ସମୟ ଧରି ଏଠାରେ ମଧ୍ୟ ଯାତାୟତ ହୋଇ ପାରିନଥିଲା। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଗଛ କାଟିଥିଲେ। ତେବେ ଲୋକଙ୍କ ଅସନ୍ତୋଷ ବଢିଥିଲା। ପ୍ରତିବର୍ଷ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ  ନେଉନଥିବା ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର