ଆଠଗଡ଼ ଉପଖଣ୍ଡର ୫୯୫ରୁ ୩୮୬ଟି ଗାଁରେ ଅପହଞ୍ଚ ପାଇପ୍‌ ପାଣି

କଟକ: ସରୁନି ବଡ଼ମ୍ବା-ନରସିଂହପୁର ମେଗା ପାନୀୟ ଜଳ ପ୍ରକଳ୍ପ। ଘୁଞ୍ଚି ଘୁଞ୍ଚି ଯାଉଛି ପ୍ରକଳ୍ପ କାର୍ଯ୍ୟ। ବାରମ୍ବାର ଅବଧି ବଢାଇ ଚାଲିଛି ନିର୍ମାଣକାରୀ ସଂସ୍ଥା। ସରକାରୀ ଅଧିକାରୀଙ୍କ କଥା ବି ଶୁଣୁନି। ଦୁଇ ଦିନ‌ ତଳେ କଟକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପାନୀୟ ଜଳ ସମସ୍ୟା ଓ ମେଗା ପାନୀୟ ଜଳ ପ୍ରକଳ୍ପ ନେଇ କରିଥିବା ସମୀକ୍ଷାରେ ଏକଥା ଆରଡବ୍ଲୁଏସ୍‌ଏସ୍‌ର ଅଧିକାରୀମାନେ କହିଥିଲେ। ଏପଟେ ଆଠଗଡ଼ ପାଇଁ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପ ଟେଣ୍ଡର ସରିଥିବା ବେଳେ ଏବେ ଗ୍ରୀଷ୍ମରେ ଏହାର ସର୍ଭେ ଆରମ୍ଭ ହୋଇଛି। ଯଦି ଅଠଗଡ଼ ଉପଖଣ୍ଡର ୪ଟି ବ୍ଲକ୍‌ର ପାଇପ୍‌ ଯୋଗେ ଜଳ ଯୋଗାଣ ସ୍ଥିତିକୁ ଦେଖାଯାଏ ତାହେଲେ ୫୯୫ ଗ୍ରାମ ମଧ୍ୟରୁ ୩୮୬ଟି ଗାଁକୁ ପାଇପ୍‌ ଯୋଗୋ ପାନୀୟ ଜଳ ପ୍ରକଳ୍ପ ଯୋଜନା ଆଜି ସୁଦ୍ଧା ସଂପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇପାରିନି। ଏପଟେ ଯେଉଁ ୨୦୯ଟି ଗାଁରେ ପାଇପ୍‌ ଯୋଗେ ପାନୀୟ ଜଳ ପ୍ରକଳ୍ପ କଥା କୁହାଯାଉଛି ସେଥିରୁ ବି ଅଧିକାଂଶ ସ୍ଥାନରେ ପାଣି ପାଉ ନାହାନ୍ତି ଲୋକ।
କଟକ ଜିଲ୍ଲାର ଆରଡବ୍ଲୁଏସ୍‌ଏସ୍‌ ବିଭାଗ-୧ ଅଧିନରେ ୧୦ଟି ବ୍ଲକ୍‌ ରହିଛି। ବ୍ଲକର ୧୨୬୭ଟି ଗ୍ରାମରୁ ୮୩୨ ଗାଁକୁ ପାଇପ୍‌ ପାଣି ପହଞ୍ଚି ପାରିଥିବା ବେଳେ ୪୩୫ ଗାଁ ଏବେବି ପାଇପ୍‌ ପାଣି ଠାରୁ ଦୂରରେ । ସେହିପରି ଆରଡବ୍ଲୁଏସ୍‌ଏସ୍‌ -୨ ଅଧିନରେ ଥିବା ଆଠଗଡ଼ ଉପଖଣ୍ଡର ୪ଟି ବ୍ଲକ୍‌ର ୫୯୫ଟି ଗାଁରୁ ୨୦୯ଟିରେ ପାଇପ୍‌ ପାଣି ବ୍ୟବସ୍ଥା ରହିଥିବା ବେଳେ ୩୮୬ ଗାଁ ଏବେ ପାଇପ୍‌ ପାଣି ଅପେକ୍ଷାରେ ରହିଛନ୍ତି। ଫଳରେ କଟକ ଜିଲ୍ଲାର ୧୮୬୨ଟି ଗାଁରୁ ୧୦୪୧ ଗାଁରେ ପାଇପ୍‌ ପାଣି ପହଞ୍ଚୁଥିବା ବେଳେ ୮୨୧ ଗାଁକୁ ପାଇପ୍‌ ପାଣି ପହଞ୍ଚି ପାରୁନି। ନରସିଂହପୁର-ବଡ଼ମ୍ବା ବ୍ଳକ୍‌ର ୩୫୭ଟି ଗ୍ରାମ ମଧ୍ୟରୁ ୧୧୩ଟିରେ ପାଇପ୍‌ ଯୋଗେ ପାନୀୟ ଜଳ ପ୍ରକଳ୍ପର ଜଳ ଯୋଗାଣ ‌ପରୀକ୍ଷଣ କରାଯାଉଥିବା ଆରଡବ୍ଲୁଏସ୍‌ଏସ୍‌ ବିଭାଗ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା ଏହାର ବାସ୍ତବତା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। କେତେବେଳେ ପାଣି ପଡୁଛି, ତାର କୌଣସି ଧାର୍ଯ୍ୟ ସମୟ ନଥିବା ଓ ଅଧା ସ୍ଥାନରେ ପାଇପ୍‌ ଫାଟୁଥିବାରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଲୋକ ପାଉନଥିବା ସେମାନେ ଅଭିଯୋଗ କରିଛନ୍ତି।

ଏପରିକି ଡିଆରଡିଏରେ ହୋଇଥିବା ସମୀକ୍ଷା ବୈଠକରେ ଏହାକୁ ନେଇ ମଧ୍ୟ ଜିଲ୍ଲାପରିଷଦ ସଭାପତି ପ୍ରଶ୍ନ ଉଠାଇଥିଲେ। ବିଭାଗର ସୂଚନା ଅନୁସାରେ ନରସିଂହପୁରର ୨୨୨ଟି ଗାଁରୁ ମାତ୍ର ୬୫ ଓ ବଡ଼ମ୍ବା ବ୍ଲକ୍‌ର ୧୩୫ଟି ଗାଁରୁ ମାତ୍ର ୪୮ଟି ଗ୍ରାମକୁ ପରୀକ୍ଷା ଭିତ୍ତିରେ ପାନୀୟ ଜଳ ଯୋଗାଣ କରାଯାଉଛି। ଅନ୍ୟପଟେ ପାଇଲଟ୍‌ ‌ପ୍ରକଳ୍ପଭାବେ ଯେଉଁ ସୋଲାର ଜଳ ଯୋଗାଣ ପ୍ରକଳ୍ପ ସବୁ କରାଯାଉଥିଲା ସେଥିରେ ଅନେକ ଅଚଳ ହୋଇପଡିଛି। ଓରେଡା ତାର ମରାମତି ବି କରୁନି। ଫଳରେ ଏବେ ଏହାର ମରାମତି କାର୍ଯ୍ୟ ଆରଡବ୍ଲୁଏସ୍‌ଏସ୍‌ ବିଭାଗ ହାତକୁ ନେଇଥିବା ଜଣାପଡିଛି। ଆଠଗଡ଼ ବ୍ଲକ୍‌ରେ ୧୮୬ଟି ଗ୍ରାମ ରହିଥିବାବେଳେ ୮୧ଟି ପାଇପ୍‌ ପାଣି ପ୍ରକଳ୍ପ ରହିଛି। ତିଗିରିଆରେ ୪୮ରୁ ୩୦ଟି ପାଇପ୍‌ ପାଣି ପ୍ରକଳ୍ପ, ବଡମ୍ବାରେ ୧୩୫ରୁ ୪୮ଟିରେ, ନରସିଂହପୁରରେ ୨୨୨ଟି ଗାଁରୁ ୫୦ଟିରେ ପାଇପ୍‌ ପାଣି ପ୍ରକଳ୍ପ ରହିଛି। ହେଲେ ସବୁ ଗାଁକୁ ନଳକୂପ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି ଓ ୪ଟି ବ୍ଲକ୍‌ରେ ୫୧୯୭ଟି ନଳକୂପ ରହିଛି। ନରସିଂହପୁର -ବଡ଼ମ୍ବା ମେଗା ପାନୀୟ ଜଳ ପ୍ରକଳ୍ପ ୨୧୭କୋଟି ଟଙ୍କା ବ୍ୟୟରେ ୨୦୧୮ରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ସରିବା କଥା। ଏହାରି ମାଧ୍ୟମରେ ବଡମ୍ବା ବ୍ଲକ୍‌ର ୩୮ଟି ପଞ୍ଚାୟତର ୧୩୫ ଗ୍ରାମ ଓ ନରସିଂହପୁର ବ୍ଲକ୍‌ର ୩୫ଟି ପଞ୍ଚାୟତର ୨୨୨ଟି ଗାଁକୁ ଜଳ ଯୋଗାଣ କରାଯାଇପାରିବ। କିନ୍ତୁ ଏହି ପ୍ରକଳ୍ପ ସରି ପାରିନି। ନିର୍ମାଣକାରୀ ସଂସ୍ଥା ଏହାର ଅବଧି ବୃଦ୍ଧି କରି ଚାଲିଥିବାରୁ କିପରି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସରିବ ସେ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଆଠଗଡ଼‌ ଓ ତିଗିରିଆ ବ୍ଲକ୍‌ ପାଇଁ ୨୭୫କୋଟିର ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର ସରିଥିବା ବେଳେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର