ମେଣ୍ଟିବ ରାୟଗଡ଼ା ସହରବାସୀଙ୍କ ଶୋଷ, ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ ୫୫ କୋଟିର ପ୍ରକଳ୍ପ

ନିର୍ମାଣ ହେବ ୪ଟି ଓଭରହେଡ୍, ୪ଟି ଭୂତଳ ଟ୍ୟାଙ୍କ୍,  ଉପକୃତ ହେବେ ୮୦ ହଜାର ଲୋକ, ମିଳିବ ୨୪ ଘଣ୍ଟା ପାଣି

ରାୟଗଡ଼ା: ଖରା, ବର୍ଷା, ଶୀତ କେଉଁ ଋତୁରେ ବି ରହିବ ନାହିଁ ପାନୀୟ ଜଳ ସଙ୍କଟ। ପୂର୍ବ ଭଳି ଯୋଗାଣ ହେବନି ଗୋଳିଆ ପାଣି। ସାହି, ବସ୍ତିର ସବୁ ଘରକୁ ପହଞ୍ଚିବ ସ୍ବଚ୍ଛ, ନିର୍ମଳ ଓ ବିଶୁଦ୍ଧ ପାଣି। ରାୟଗଡ଼ା ସହରବାସୀଙ୍କ ଶୋଷ ମେଣ୍ଟାଇବାକୁ ଅମୃତ ଯୋଜନାରେ ଆରମ୍ଭ ହୋଇଛି ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାମ। ୫୫ କୋଟିରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପ ୨୦୨୪ ସୁଦ୍ଧା କାର୍ୟ୍ୟକ୍ଷମ ହେବ। ଯାହା ଦ୍ବାରା ୮୦ ହଜାର ଲୋକେ ଉପକୃତ ହେବେ। ୬୦ ବର୍ଷ ପୁରୁଣା ପାନୀୟ ଜଳ ପ୍ରକଳ୍ପ ଓ ଜଳ ବିଶୋଧନ ପ୍ଲାଣ୍ଟ୍ ଦ୍ବାରା ଜନସ୍ବାସ୍ଥ୍ୟ ବିଭାଗ ରାୟଗଡ଼ା ସହରବାସୀଙ୍କୁ ଜଳ ଯୋଗାଣ କରି ଆସୁଛି।

ଝଞ୍ଜାବତୀ ନଦୀର ଗୋଳିଆ ପାଣିକୁ ଶୁଦ୍ଧ, ସ୍ବଚ୍ଛ କରିବାରେ ପୁରୁଣା ପ୍ଲାଣ୍ଟ୍ ସକ୍ଷମ ହେଉନଥିବାରୁ ବହୁ ସମୟରେ ସହରବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ। ଏଥିସହିତ ଆବଶ୍ୟକତା ଅନୁଯାୟୀ ପାଣି ମଧ୍ୟ ମିଳୁନଥିଲା। ସହରର ଦୈନିକ ଆବଶ୍ୟକତା ୧୩ ମିଲିୟନ୍ ଲିଟର୍ ଥିବା ବେଳେ ପୁରୁଣା ପ୍ରକଳ୍ପ ଦ୍ବାରା ୧୦ ମିଲିୟନ୍ ଲିଟର ଜଳ ଯୋଗାଣ ସମ୍ଭବ ହେଉଛି। ଫଳରେ ଖରାଦିନରେ ପାଣି ପାଇଁ ସାହି ବସ୍ତି ଇଲାକାରେ ବିଷମ ପରିସ୍ଥିତି ସୃଷ୍ଟି ହେଉଥିଲା। ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ଅମୃତ-୨ ଯୋଜନାରେ ଅନୁମୋଦନ ମିଳିବା ପରେ ଟେଣ୍ଡର ସରିବା ସହ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୫୦:୫୦ ପ୍ରତିଶତ ହାରରେ ଅନୁଦାନ ଯୋଗାଇ ଦେବେ। ଆଗାମୀ ୩୦ ବର୍ଷ ଅର୍ଥାତ୍ ୨୦୫୨ ମସିହା ସୁଦ୍ଧା ରାୟଗଡ଼ା ସହରର ଜନସଂଖ୍ୟା ୧.୨୫ ଲକ୍ଷରେ ପହଞ୍ଚିବାକୁ ଥିବାରୁ ଦୈନିକ ସହରବାସୀଙ୍କୁ ୧୬.୫ ମିଲିୟନ୍ ଲିଟର ପାଣି ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପର ନିର୍ମାଣ କରାଯାଉଛି। ୩୩ କୋଟି ବ୍ୟୟରେ ୧୪ ମିଲିୟନ୍ ଲିଟର ପାଇଁ ନୂତନ ପ୍ରକଳ୍ପ, ବିଶୋଧନାଗାର ଏବଂ ପୁରୁଣା ୨.୫ ମିଲିୟନ୍ ଲିଟର କ୍ଷମତା ବିଶିଷ୍ଟ ପ୍ରକଳ୍ପର ନବୀକରଣ କରାଯିବ।

Sambad

୨୨ କୋଟି ବ୍ୟୟରେ ସହରର ୨୪ ୱାର୍ଡରେ ୬୫ କିମି ନୂଆ ପାଇପ୍ ଲାଇନ୍ ବିଛାଯିବ। ଜଳ ଯୋଗାଣକୁ ସହଜ କରିବା ପାଇଁ ସହରର ସାଇପ୍ରିୟା ନଗର, ଅଶୋକ ନଗର, ନେହୁରୁ ନଗର, ରାଣୀଗୁଡା ଫାର୍ମ ଅଞ୍ଚଳରେ ୪ଟି ଓଭରହେଡ୍ ଏବଂ ୪ଟି ଭୂତଳ ଟ୍ୟାଙ୍କ ନିର୍ମାଣ ହେବ। ଯେଉଁଥିରେ ୩୮ ଲକ୍ଷ ଲିଟର ଜଳ ସଂରକ୍ଷଣ ରହିବ। ବର୍ତ୍ତମାନ ରାୟଗଡ଼ା ସହରକୁ ଯୋଗାଣ ହେଉଥିବା ୧୦ ମିଲିୟନ୍ ଲିଟର ଜଳ ମଧ୍ୟରୁ ଜନ ସ୍ବାସ୍ଥ୍ୟ ବିଭାଗ ୫.୫ ମିଲିୟନ୍ ଲିଟର ପାଣି ପମ୍ପ ସାହାର୍ଯ୍ୟରେ ଭୂତଳୁ ଉଠାଉଛି। ବାକି ୪.୫ ମିଲିୟନ୍ ଲିଟର୍ ଝଞ୍ଜାବତୀ ନଦୀରୁ ସଂଗ୍ରହ ହେଉଛି। ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଆବଶ୍ୟକ ୧୬.୫ ମିଲିୟନ୍ ଲିଟର୍ ପାଣି ଝଞ୍ଜାବତୀରୁ ହିଁ ସଂଗ୍ରହ ହେବ। ଦିନକୁ ଦିନ ଭୂତଳ ଜଳସ୍ତର କମୁଥିବାରୁ ପମ୍ପ ସାହାର୍ୟ୍ୟରେ ଭୂତଳୁ ଆଉ ପାଣି ସଂଗ୍ରହ ନ କରିବାକୁ ବିଭାଗୀୟ ନିଷ୍ପତ୍ତି ହୋଇଛି। ପୁରୁଣା ପ୍ରକଳ୍ପ ସହରର ୧୨ ହଜାର ପରିବାରକୁ ଜଳ ଯୋଗାଉ ଥିବା ବେଳେ ନୂତନ ପ୍ରକଳ୍ପ ୧୮ ହଜାର ପରିବାରକୁ ଜଳ ଯୋଗାଇବ। ଏଥି ସହିତ ପରୀକ୍ଷାମୂଳକ ଭାବେ ସହରର ଘାସି ସାହି, ଅଣ୍ଟାରିଗୁଡ଼ା, ଢ଼େପ ସାହି, ନେହୁରୁ ନଗର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଲାଇନ୍ ୨୪ ଘଣ୍ଟିଆ ପାଣି ଯୋଗାଇବା ନେଇ ପଦକ୍ଷେପ ନିଆଯିବ। ପଦକ୍ଷେପ ସଫଳ ହେଲେ ପାଇଲଟ୍ ପ୍ରୋଜେକ୍ଟ୍ ଭାବେ ସହରର ସମସ୍ତ ୱାର୍ଡକୁ ୨୪ ଘଣ୍ଟିଆ ପାଣି ଯୋଗାଇ ଦିଆଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସାରଦା ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର