ଉତ୍କଟ ହେଲାଣି ପାନୀୟଜଳ ସମସ୍ୟା; ଗରା-ବାଲ୍‌ଟି ଧରି ରାସ୍ତାରେ ବସିଲେ ମହିଳା

ନରସିଂହପୁର: ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଲ୍ଲୀ ଇନ୍ଦିରା କଲୋନିରେ ପାନୀୟଜଳର ଉତ୍କଟ ସମସ୍ୟା ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏକମାତ୍ର ନଳକୂପ ଅଚଳ ହେବା ପରେ ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାମାନେ ଗରା ଓ ବାଲ୍‌ଟି ଧରି କଟକ-ନରସିଂହପୁର ରାସ୍ତାରେ ବସି ଯାଇଥିଲେ। ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଖବର ପାଇ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ, ଥାନାଧିକାରୀ ବିମଳ କୁମାର ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ ଟ୍ୟାଙ୍କର୍‌ ଯୋଗେ ଜଳଯୋଗାଣ ଓ ନଳକୂପ ମରାମତି ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା।
ଗ୍ରାମବାସୀଙ୍କ ସୂଚନା ମୁତାବକ, ଗ୍ରୀଷ୍ମଋତୁ ଆରମ୍ଭରୁ ଗ୍ରାମରେ ପାନୀୟଜଳ ସମସ୍ୟା ଲାଗି ରହିଛି। ସୋଲାର ଶକ୍ତି ଯୋଗେ ଲଗାଯାଇଥିବା ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଛି।

Sambad

ଫଳରେ ପିଇବା ପାଣି ଟୋପେ ପାଇଁ ଶତାଧିକ ଗ୍ରାମବାସୀ ଏକମାତ୍ର ନଳକୂଅ ଉପରେ ନିର୍ଭର କରୁଥିଲେ। ତାହା ମଧ୍ୟ ଖରାପ ହୋଇଯିବାରୁ ମହିଳାମାନେ ନିକଟସ୍ଥ ଜଳାଶୟ କିମ୍ବା ଦୁଇ କିଲୋମିଟର ଦୂର ନଳକୂଅରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ବୋଲି ଫୁଲ ନାଏକ, କନକ ନାଏକ, ସୁଷମା ନାଏକ, ସୁକାନ୍ତୀ ନାଏକ, ମିନତି ନାଏକ, ରେବତୀ ନାଏକ, ପ୍ରତିଭା ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ‌ମଧ୍ୟ ସୁଫଳ ମିଳି ନ ଥିଲା। ଫଳରେ ଉତ୍ତ୍ୟକ୍ତ ମହିଳାମାନେ ଆଜି ରାସ୍ତା ଅବରୋଧ କରିଥିଲେ ବୋଲି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ସାହୁ ପଚାରିବାରୁ ସେ କହିଛନ୍ତି ଯେ ସୌରଶକ୍ତି ଯୋଗେ ଉକ୍ତ ନଳକୂଅରୁ ପାନୀୟଜଳ ସଂଗ୍ରହ କରି ଟାଙ୍କିରେ ସଂରକ୍ଷିତ କରି ରଖାଯାଉଥିଲା। ଓରେଡ଼ା ସଂସ୍ଥା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଥିଲା। ଏହା ଅଚଳ ହେବା ପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ କଟକସ୍ଥିତ ଓରେଡ଼ା କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଛି। ଏହାର ମରାମତି ବିଳମ୍ବ ହେବାରୁ ଭୁବନେଶ୍ୱରସ୍ଥିତ ଅନ୍ୟ ଏକ ଘରୋଇ ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ଦିନେ ଦୁଇଦିନ ଭିତରେ ଏହାର ସମାଧାନ କରାଯିବ। ତେବେ ଗ୍ରାମାବସୀଙ୍କୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ବିଡିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର