ପିଇବା ପାଣି ସଙ୍କଟ: ଚୁଆ ପାଣି ଭରସା, ଜଙ୍ଗଲ ରାସ୍ତାରେ କଟୁଛି ସମୟ

ବାରିପଦା(ରାଜକିଶୋର ଦାଶ): ଏବେବି ପିଇବା ପାଇଁ ବିଲ ମଝିରେ ଥିବା ଚୁଆ ପାଣି ଭରସା। ଚୁଆ ପର୍ଯ୍ୟନ୍ତ ପହଞ୍ଚିବାକୁ ପୁଣି ଜଙ୍ଗଲିଆ ରାସ୍ତା ହିଁ ମାଧ୍ୟମ। ପ୍ରାୟ ଏକ କିମି ଚାଲିବା ପରେ ହିଁ ଯୋଗାଡ଼ ହେବ ପାନୀୟ ଜଳ। ଏପରି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଶତାଧିକ ଆଦିବାସୀ ଜନତା। ଜିଲ୍ଲାର କପ୍ତିପଦା ବ୍ଲକ୍‌ ଶରତ ପଂଚାୟତ ଅଧିନ ୱାର୍ଡ ନଂ-୧ ଅନ୍ତର୍ଗତ ଅଶ୍ୱକୁଟି ଗ୍ରାମରେ ଥିବା ପ୍ରାୟ ୪୦ରୁ ଊର୍ଧ୍ବ ପରିବାରର ଦୁଇ ଶହ ଲୋକ ବାସ କରନ୍ତି। ମାତ୍ର ଏଠାରେ ପାନୀୟ ଜଳ ସଙ୍କଟ ସମାଧାନ ହେବାର ନା ନେଉନି। ଦୀର୍ଘ ଦିନ ହେବ ଗ୍ରାମରେ ଥିବା ଦୁଇଟି ନଳକୂପରୁ ପାଣି ବାହାରୁ ନାହିଁ। ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ଗ୍ରାମଠାରୁ ପ୍ରାୟ ଏକ କିମି ଦୂରରେ ଥିବା ଏକ ଅପରିଷ୍କାର କୂପ ଏବଂ ଚୁଆରୁ ପାଣି ନେଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଓଲଟି ତୁମେମା‌ନେ ମତେ ଭୋଟ ଦେଇନାହଁ। ତେଣୁ ତୁମ ପାଣି କଥା ମୁଁ ବୁଝିପାରିବିନି ବୋଲି ସରପଞ୍ଚ ସେମାନଙ୍କୁ ପ୍ରତ୍ୟୁତ୍ତର ଦେଉଥିବା ଗ୍ରାମ ମୁଖିଆ ବିଜୟ ସିଂ ପ୍ରକାଶ କରିଛନ୍ତି। ଯାହାକି ବିଡ଼ମ୍ବନାର ବିଷୟ। ଏଠ‌ାରେ ପିଇବା ପାଇଁ ପାଣି ସଂଗ୍ରହ କରିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମହିଳା। କାରଣ ଘର ପାଇଁ ପାଣି ଆଣିବା ଦାୟିତ୍ବ ମହିଳାମାନଙ୍କର ହିଁ ରହୁଛି। ତେଣୁ ବିପଦପୂର୍ଣ୍ଣ ଜଙ୍ଗଲିଆ ରାସ୍ତାରେ ଦୂରକୁ ପାଣି ଆଣିବାକୁ ଯାଉଛନ୍ତି।

ସଂଗ୍ରହ କରି ଆଣୁଥିବା ପାଣି ଯେ ପାନୀୟ ଉପଯୋଗୀ ତାହା ମଧ୍ୟ ନୁହେଁ। ଦୂଷିତ ପାଣି ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ପିଇବାକୁ ପଡ଼ୁଥିବା ଦୁର୍ଗା ସିଂ କହିଛନ୍ତି। ଏହି ସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ ମଧ୍ୟ କୌଣସି ଦୃଷ୍ଟି ଦେଉନାହିଁ। ସମସ୍ତଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର କେତେ କେତେ ଯୋଜନା କରୁଛନ୍ତି। ମାତ୍ର ଅଶ୍ବକୁଟି ଗ୍ରାମବାସୀଙ୍କ ପାଇଁ ଏହା ଯେପରି ସାତ ସପନ ପାଲଟିଯାଇଥିବା ଗ୍ରାମର କବୀର ସିଂ କ୍ଷୋଭର ସହିତ କହିଛନ୍ତି। ଜିଲ୍ଲାରେ ପାନୀୟ ଜଳ ସଙ୍କଟ ବାସ୍ତବିକ କେତେ ଉତ୍କଟ ତାହା ବୟାନ କରୁଛି ଅଶ୍ବକୁଟି ଗ୍ରାମ।

 

ସମ୍ବନ୍ଧିତ ଖବର