କନ୍ତପହଁରା ପଞ୍ଚାୟତରେ ପାନୀୟଜଳ ସମସ୍ୟା ଉତ୍କଟ; ଆଦିବାସୀ ସାହି ବାସିନ୍ଦାଙ୍କ ଆନ୍ଦୋଳନ ଚେତାବନୀ

ଡମପଡ଼ା: କଟକ ଜିଲ୍ଲାର ବାଙ୍କୀ ବ୍ଲକ୍‌ ସରଣ୍ଡାଗଡ଼ସ୍ଥିତ କନ୍ତପହଁରା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏ ନେଇ ପଞ୍ଚାୟତର ୩ନମ୍ବର ୱାର୍ଡସଭ୍ୟାଙ୍କ ସମେତ ଆଦିବାସୀ ମହିଳା ଓ ପୁରୁଷମାନେ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଥାଶୀଘ୍ର ଅଞ୍ଚଳରେ ପାନୀୟଜଳ ସମସ୍ୟାର ସମାଧାନ ନ ହେଲେ ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ମୁତାବକ, କନ୍ତପହଁରା ପଞ୍ଚାୟତରେ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଦେଢ଼ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ସ୍ଥାପନ କରାଯାଇଛି। ତତ୍କାଳୀନ ବିଧାୟକ ପ୍ରଭାତ ତ୍ରିପାଠୀ, ବାଙ୍କୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଜିଲ୍ଲା ପରିଷଦ ସଭ୍ୟ ମାନସ ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ ବୀଣାପାଣି ବେହେରା ଏହି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ପାଣି ଟାଙ୍କି, ପାଇପ ବିଛାଇବା ଓ ଷ୍ଟାଣ୍ଡପୋଷ୍ଟ ନିର୍ମାଣରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହାସତ୍ତ୍ବେ ପିଇବା ପାଣି ଟୋପାଏ ପାଇଁ ପଞ୍ଚାୟତର ୩ ନମ୍ବର ୱାର୍ଡରେ ଲୋକମାନେ ରୀତିମତ ସଂଘର୍ଷ କରୁଥିବା ଅଭିଯୋଗ କରିଛନ୍ତି।

Sambad

ଏହି ୱାର୍ଡରେ ଥିବା ନଳକୂପରୁ ଲୌହଗୁଣ୍ଡ ମିଶା ପାଣି ବାହାରୁଥିବା ବେଳେ ତାହା ମଧ୍ୟ ବହୁ ବିଳମ୍ବରେ ଆସୁଛି ବୋଲି ୱାର୍ଡସଭ୍ୟା ରଞ୍ଜୁ ସାହୁଙ୍କ ସମେତ ୱାର୍ଡରେ ବସବାସ କରୁଥିବା ଆଦିବାସୀସାହିର ମହିଳା ଓ ପୁରୁଷମାନେ ସ୍ଥାନୀୟ ସରପଞ୍ଚ ବୀଣାପାଣି ବେହେରାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ, ସମସ୍ୟାର ସମାଧାନ ହେଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ନଳକୂପ ମରାମତି ସହ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରା ନ ଗଲେ ୱାର୍ଡସଭ୍ୟା ଓ ଆଦିବାସୀସାହି ବାସିନ୍ଦା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଧର ବେହେରାଙ୍କୁ ପଚାରିବାରୁ ଜଳସ୍ତର ତଳକୁ ଖସିଯିବାରୁ ଏହି ସମସ୍ୟା ଦେଖାଦେଇଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ବିଭାଗୀୟ ଅଧିକାରୀ ବିଜୟ କୁମାର ସାହୁ କହିଛନ୍ତି ଯେ ଏଭଳି ସମସ୍ୟା ନେଇ ପଞ୍ଚାୟତ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଯଥାଶୀଘ୍ର ନଳକୂପ ମରାମତି କରାଯିବ। ଏଥିସହ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ପାଇପ୍‌ରେ ପାଣି ନ ଆସିବାର ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର