ଜୟପୁର: ପିଇବା ପାଣି ନାହିଁ, ଶୌଚ ଓ ପରିସ୍ରା ପାଇଁ ଖୋଲାପଡିଆ ଭରଷା

ଜୟପୁର: କାହା ହାତରେ ପାଣି ବୋତଲ, ଆଉ କାହା ହାତରେ ଜଗ୍। ଦୂର ଦୂରାନ୍ତରୁ ପାଣି ବୋହିବାରେ ଲାଗିଛନ୍ତି। ଶୌଚ ଯିବା ପାଇଁ ପାଣି ନାହିଁ କି ପିଇବା ପାଇଁ ପାଣି ନାହିଁ। ‌‌ରୋଗୀ କିମ୍ବା ସମ୍ପର୍କୀୟକୁ ଶୌଚ ଲାଗିଲେ ଖୋଲା ପଡ଼ିଆକୁ ଯିବାକୁ ପଡ଼ୁଛି। ଏମିତି କି ହାତ ହାତ ଧୋଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ। ଏପେଟେ କରୋନା ସଂକ୍ରମଣକୁ ମୁକାବିଲା ପାଇଁ ବାରମ୍ବାର ହାତ‌ ଧୋଇବାକୁ ପ୍ରଶାସନ ପକ୍ଷରୁ କୁହାଯାଉଛି, କିନ୍ତୁ ଏଭଳି ପରିସ୍ଥିତିରେ ଲୋକଙ୍କ ପାଣି ଟୋପାଏ ମିଳିପାରୁ ନାହିଁ। ଏହା କେଉଁ ‌ଅପନ୍ତରା ଅଞ୍ଚଳର ନୁହେଁ, ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାରୁଣ୍ୟ ଚିତ୍ର। ଯେଉଁଠି ଦିନ ତମାମ୍ ପାଣି ନଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଥିସହ ମେଡିକାଲ ଡାକ୍ତରଙ୍କ ଠାରୁ ସମସ୍ତ କର୍ମଚାରୀ ମଧ୍ୟ ସମସ୍ୟା ସହିତ ଜୁଝି ହେଉଥିଲେ ବି କହିବେ କାହାକୁ।

ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ‌କୋରାପୁଟ ସମେତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ରୋଗୀ ନିର୍ଭର କରନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଆସିଥାନ୍ତି। ସେଥିରୁ କେତେକ ରୋଗୀ ଚିକିତ୍ସା ପାଇଁ ୱାର୍ଡରେ ଭର୍ତ୍ତି ହେଉଛନ୍ତି, ଆଉ କିଛି ରେଫର ହେଉଛନ୍ତି। ରୋଗୀଙ୍କୁ ପାଣିର ସୁବିଧା ଯୋଗାଇଦେବା ପାଇଁ ଚକିତ୍ସାଳୟରେ ବୋରୱେଲ୍ ରହିଛି। ସେଠାରୁ ପାଣି ଆସି ବଡ଼ ଭୂତଳ ଜଳଭଣ୍ଡାର (ସମ୍ପ୍) ଠାରେ ପାଣି ସଂରକ୍ଷିତ ‌‌ହୋଇ ରହୁଛି। ସେଠାରୁ ପମ୍ପ ଦ୍ବାରା ଉପ‌ରେ ଲାଗିଥିବା ୮ଟି ଟାଙ୍କିକୁ ପାଣି ଉଠାଯାଉଛି। ସେଠାରୁ ଚିକିତ୍ସାଳୟର ଆକ୍ବାଗାର୍ଡ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ପାଣି ସଂଯୋଗ କରାଯାଇଛି।

ଗତକାଲି ସକାଳୁ ସମ୍ପ୍ ଭିତରେ ଲାଗିଥିବା ମଟରଟି ଖରାପ ହୋଇଥିଲା, ଯାହାଫଳରେ ଟାଙ୍କିଗୁଡିକୁ ପାଣି ଉଠିପାରି ନ ଥିଲା। ରାତିରେ ଥିବା ପାଣିକୁ ବ୍ୟବହାର କରିବା ପରେ ତାହା ଶେଷ ହୋଇଯାଇଥିଲା। ଦିନ ତମାମ ଚିକିତ୍ସାଳୟରେ ପାଣି ପାଇଁ ହାହାକାର ସୃଷ୍ଟି ହୋଇଥିଲା। ପିଇବା ପାଇଁ ଆକ୍ବାଗାର୍ଡରୁ ପାଣି ଟୋପଏ ମିଳୁନଥିବା ବ‌େଳେ କିଏ କିଣି ଆଣୁଛି ତ ଆଉ କିଏ ଦୂରରେ ଥିବା ଦୋକାନରୁ ମାଗି ଆଣୁଛନ୍ତି। ଶୌଚାଳୟରେ ପାଣି ନଥିବା ଯୋଗୁଁ ‌ଶୌଚ ପାଇଁ ସମସ୍ତେ ଖୋଲା ପଡିଆକୁ ଯିବାକୁ ପଡୁଛି। ଏଭଳି ସ୍ଥିତିରେ ଚିକିତ୍ସାଳୟର ଭେଷଜ ୱାର୍ଡ, ଶଲ୍ୟ ୱାର୍ଡ, ଅସ୍ତ୍ରପଚାର ଗୃହ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଭଳି ବିଭିନ୍ନ ବିଭାଗର ରୋଗୀ ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୋଟର ମରାମତି ହେବାରେ ବିଳମ୍ବ ହେବାରୁ ଚିକିତ୍ସାଳୟ ଡିଏମ୍‌ଓ ଆସି ବିରକ୍ତି ଭାବ ପ୍ରକାଶ ପରେ ତାଙ୍କର ଉପସ୍ଥିତିରେ ସନ୍ଧ୍ୟାରେ ତାହାକୁ ମରାମତି କରାଯାଇଛି।

ରୋଗୀଙ୍କ ସମ୍ପର୍କୀୟ ତୁଳସୀ କନ୍ଦପାଣଙ୍କ କହିବାନୁଯାୟୀ, ଗତକାଲି ପିଲାକୁ ଝାଡାବାନ୍ତି ହେବାକୁ ମେଡିକାଲକୁ ଆଣିଥିଲି। ତାକୁ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଆଜି ସକାଳ ଠାରୁ ପାଣି ଆସୁନାହିଁ ପିଇବା ପାଇଁ ପାଣି ବୋତଲ କିଣି ଆଣି ପିଇବାକୁ ପଡୁଥିବା ନେଇ କହିଛନ୍ତି।

ରୋଗୀ ସଦନ କ୍ରିସାନିଙ୍କ କହିବାନୁଯାୟୀ, ମୋର ଗୋଡ କାଟି ହୋଇଯାଇଥିବାରୁ ଗତ ଗୁରୁବାର ଠାରୁ ମେଡିକାଲକୁ ଆସିଛି। ଆଜି ଶୌଚାଳୟରେ ପାଣି ନଥିବା ବେ‌ଳେ ତଳକୁ ଶୌଚ ଓ ପରିସ୍ରା ପାଇଁ ଯାଇଥିଲା। ‌ଗୋଡର ଅବସ୍ଥା ଏମିତି ରହିଥିବା ବେ‌ଳେ ତଳକୁ ଯାଇ ଉପରକୁ ଆସିବା କଷ୍ଟକର ହୋଇପଡ଼ୁଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍‌ଓ ତଥା ଅଧିକ୍ଷକ ଡା. ରବିନ୍ଦ୍ରନାଥ ମିଶ୍ରଙ୍କ କହିବାନୁଯାୟୀ, ସମ୍ପ୍ ଭିତରେ ଥିବା ମୋଟରଟି ସକାଳୁ ଖରାପ ହୋଇଯାଇଥିଲା। ଅଭିଯୋଗ ପାଇବା ପରେ ତୁରନ୍ତ ପିଏଚ୍‌ଡି ବିଭାଗକୁ ଖବର ଦେବା ପରେ କନିଷ୍ଠ ଯନ୍ତ୍ରୀ ଯତିନ୍ଦ୍ର ହାଂସଦାଙ୍କ ସମେତ ତାଙ୍କର କର୍ମଚାରୀମାନେ ଆସି ମରାମତି କାମ କରିଥିଲେ। ସମ୍ପରେ ପାଣି ଥିବାରୁ ପାଣି ବାହାର କରିବାକୁ ୩ ଘଣ୍ଟା ଲାଗିଥିଲା ଏହାପରେ ମୋଟର ବାହାର କରାଯାଇଥିଲା। ମୋଟର ତିଆରି ହୋଇ ସନ୍ଧ୍ୟା ବେଳ କାର୍ଯ୍ୟକ୍ଷମ ହୋଇଥିବା ନେଇ କହିଛନ୍ତି। ଏଥିସହ ପାଣିର ଏଭଳି ଅସୁବିଧା ଦେଖି ନୂଆ ମୋଟର ଗୋଟିଏ ଆଜି ଆଣି ରଖାଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର