ପ୍ରଶାସନ କରୋନା ମୁକ‌ାବିଲାରେ ବ୍ୟସ୍ତ: ଗ୍ରାମାଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା

ଝାରସୁଗୁଡ଼ା: ପ୍ରଚଣ୍ଡ ତାତି, ଶୂନ୍ୟରୁ ବର୍ଷୁଛି ଅଗ୍ନି ବର୍ଷା। ଏଭଳି ସ୍ଥିତିରେ ଗାଁ ଗାଁରେ ଲାଗିଛି ପାଣି ଚିନ୍ତା। ଏହି ଜଳକଷ୍ଟ ଚଳିତ ବର୍ଷ କି ଗତ ବର୍ଷର ସମସ୍ୟା ନୁହେଁ। କେଉଁ କାଳରୁ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ଅବଶ୍ୟ ପୂର୍ବରୁ ଜଳକଷ୍ଟ ଏତେଟା ଉତ୍କଟ ରୂପ ନେଇନଥିଲା। ଲୋକେ କୂଅଁ, ପୋଖରୀରୁ ତାଙ୍କର ଦୈନନ୍ଦିନ ବ୍ୟବହାର ନିଜ ସୁବିଧା ମତେ କରୁଥିଲେ। ମାତ୍ର ଯେଉଁ ଦିନରୁ ଖଣି ସଂପ୍ରସାରଣ ହେଲା ସେବେ ଠାରୁ ଖଣି ପ୍ରଭାବିତ ଅଞ୍ଚଳରେ ଜଳକଷ୍ଟ ଆରମ୍ଭ ହୋଇଛି ବୋଲି ସଂପୃକ୍ତ ଗ୍ରାମର ଅଧିବାସୀ ଅଭିଯୋଗ କରିଛନ୍ତି।

୧୯୯୪ ମସିହାରେ ଝାରସୁଗୁଡ଼ା ନୂତନ ଜିଲ୍ଲା ଗଠନ ହେବା ପରେ ଲୋକେ ଅନେକ ଆଶା କରିଥିଲେ ଯେ, ଏଥର ଲୋକେ ତାଙ୍କର ସର୍ବନିମ୍ନ ମୌଳିକ ସୁବିଧା ପାଇ ପାରିବେ ବୋଲି। ମାତ୍ର ଜିଲ୍ଲା ଗଠନ ହୋଇ  ଇତି ମଧ୍ୟରେ ଦୁଇ ବର୍ଷ ହେଲା ରୌପ୍ୟ ଜୟନ୍ତୀ ପାଳନ ସରିଯାଇଛି। ଖଣି ପ୍ରଭାବିତ ଲଖନପୁର ବ୍ଲକର ଶତାଧିକ ଗ୍ରାମରେ ଆଜିବି ପାନୀୟ ଜଳ ସ୍ବପ୍ନ ହୋଇଛି। ବର୍ଷର ବାର ମାସ ଜଳକଷ୍ଟ ହେଉଥିବା ବେଳେ ଗ୍ରୀଷ୍ମ ଋତୁରେ ଏହା ଚରମ ସୀମାରେ ପହଞ୍ଚି ଯାଏ ବୋଲି ଖଣି ଘେରାରେ ଥିବା ଗ୍ରାମର ଲୋକେ କୁହନ୍ତି।

ପ୍ରଶାସନ ପକ୍ଷରୁ ଆଜିବି ଖଣି ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ସକ୍ଷମ ହୋଇ ପାରିନଥିବା ଖୋଦ ସରକାରୀ ରିପୋର୍ଟ କହୁଛି। ଜିଲ୍ଲା ସାରା  ଭରି ରହିଛି ଖଣି  ଓ ଖାଦାନ, ପ୍ରତ୍ୟହ ମାଟି ଭିତରୁ ପେଟଚିରି ବାହାର କରାଯାଉଛି ଲକ୍ଷ ଲକ୍ଷ ଟନ୍‌ କଳା ହୀରା କୁହାଯାଉଥିବା କୋଇଲା । ମାତ୍ର ଏହି ଅଞ୍ଚଳରେ ମିଳୁନି ପାଣି । ପାଣି ପାଇଁ କେବଳ ଯେ ଖଣି ଅଞ୍ଚଳ ନୁହେଁ ହୀରାକୁଦ ଜଳଭଣ୍ତାର ନିକଟବର୍ତ୍ତି ଗ୍ରାମ ଗୁଡ଼ିକରେ ମଧ୍ୟରୁ ଗ୍ରୀଷ୍ମ ଦିନରେ ଦେଖା ଦେଇଛି ଜଳକଷ୍ଟ। ଆକାଶରୁ ନିଆଁ ବର୍ଷୁଥିବା ବେଳେ ମାଟି ତଳେ ପାଣି ନାହିଁ। ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଅଧିବାସୀ।

ଗ୍ରୀଷ୍ମ ଋତୁ ଆସିଲେ ପ୍ରମାଦ ଗଣନ୍ତି ଏହି ବ୍ଲକର ଶତାଧିକ ଗ୍ରାମବାସୀ। ଖଣି ଯୋଗୁଁ ଦିନକୁ ଦିନ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଭୂତଳ ଜଳସ୍ତର କାହିଁରେ କାହିଁ କମି ଯାଇଛି। ତିନି ଶହରୁ ଆଠ ଶହ ଫୁଟ୍‌ ଗଭୀର ଖୋଳିଲେ ମଧୢ ପାଣିର କୌଣସି ସ˚ଧାନ ମିଳୁନଥିବା ଜଣାଯାଇଛି। ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଲଖନପୁର ବ୍ଲକର ହଜାର ହଜାର ଅଧିବାସୀ। ଡ଼ିଏମ୍‌ଏଫ୍‌ ପାଣ୍ଠିରୁ ଖଣି ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ନିୟମ ଥିଲେ ମଧ୍ୟଏହା କେବଳ ଯୋଜନାରେ ସୀମିତ ରହିଛି। ଏହି ଅଞ୍ଚଳରେ କେବଳ ପାନୀୟ ଜଳ ନୁହେଁ  ଶୌଚାଦି ପାଇଁ ମଧ୍ୟରୁ ପାଣିର ଘୋର ଅଭାବ ଦେଖାଦେଇଛି।

ଜଳକଷ୍ଟ ପଶୁପକ୍ଷୀ ମାନଙ୍କୁ ମଧ୍ୟରୁ ଗୁରୁତର ପ୍ରଭାବିତ କରିଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗ୍ରୀଷ୍ମ ଆରମ୍ଭରୁ ପ୍ରତିବର୍ଷ ଅନେକ ପଦକ୍ଷେପ ନିଆଯାଉଛି ବୋଲି କୁହା ଯାଉଥିଲେ ମଧ୍ୟରୁ ସମସ୍ୟାର ସମାଦାନ କାଗଜ କଲମରେ ହେଉଥିବା କୁହାଯାଉଛି। ଏହି ବ୍ଲକର ଖଣି ଖାଦାନ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ଅଞ୍ଚଳର ଲୋକେ ଆଜିବି ସାମାନ୍ୟ ପାଣି ମୁନ୍ଦିଏ ପାଇଁ ଡହକବିକଳ ହେଉଥିବା ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଛି।

ଲଖନପୁର ବ୍ଲକର କଲାର୍ଜୋରି, ଖଲିଆପାଲି, ଟିଙ୍ଗିସମାଲ, ଲେଛୁଆପଡ଼ା, କିରିଟମାଲ, ଲୁହୁରାପଡ଼ା, ଉବୁଡ଼ା, କୁଡ଼ାଲୋଇ, ସରଧା, ବିଛୁଆପଡ଼ା, ଗଙ୍ଗାପଡ଼ା, ଡ଼ହଲଡେ଼ରା, ଭୋଲାମାଲ, ଠକ୍‌ଠକିଆପଡ଼ା, ବଜାରପଡ଼ା, ଚୁରଛାପଡ଼ା, ଜୟବୁଡ଼ିଆ, ଛଙ୍ଗାପଡ଼ା, ଭେଜିବନ୍ଧ, ପିପିଲିକାନି, ସ˚ତଙ୍ଗ, ଭେଜିକୁଦ, ପଡ଼ାପାଲି, ଫଟା, ଖପରାବାହାଲ, ଧୁବେନଟିପି, ବରଗଡ଼, ଖଡ଼ମ, କିରାରମା, ଖୋଲଜାମକାନି, ଗୋପିପାଲି, ତଲିବାହାଲ, ଖଲିଆମୁଡ଼ା, ରେମଣ୍ତା, ଚିଖିଲି, ବାଦିମାଲ, ସ୍ନେହମାଲ, ଚେରକେଟା, କଟାଛରିଆ, ଅଇଁଲାପାଲି, କଟାପାଲି, ପକନାମୁଣ୍ତା, ବାଟଲଗା, ଡେ଼ନସରଗି, ବାଲିକୁଦଲି, ଜମୁନା, କେରୁଆଲବାହାଲ, ଖଣ୍ତସା, ଛଡ଼ାରମା, ସହରେଇପଡ଼ା, ଖମାରଡ଼ିହି, ଖପସିମୁଡ଼ା, ଗୁଠେଇପଡ଼ା, କୁଲତାପଡ଼ା, ଝରକଟା, ବାଦିମାଲ, କିଆକଁଟା, ତଲବେଣ୍ଣାର୍, ଡିହିପାଲି, ଭଗବାନପାଲି,ପୁ ଡ଼ିଆପାଲି, ତେରେଲକୁଡଲି, ତିଲିଆ ନୂଆପଡ଼ା, ବଡ଼ସୁରୁଆ, ଫଟାପାଲି, ଠୁରୁପାଲି, ସିଆନପାଲି, ଗଉରପଡ଼ା, କୋଲଟିକିରା, ବରକାନିପାଲି, ବୁଡ଼ାପାଲି, ସର୍ଗିପାଲି, ଭଟଲି, ସାନସରଟିକା, ଝାରମୁଣ୍ତା, ଚାରପାଲି, ବରପାଲି, ବିଶୁକଟା, ନୂଆଗଡ଼,ବାଲିଜଙ୍ଘା, କୁରମିମାଲ, ଚାରମାଲ, କୁମାରବନ୍ଧ, ମୁଣ୍ତାପଡ଼ା, କଣ୍ଢେଇକେଲା, ଝରଗାଁ, ବଇତଝରନ, ଚଉରିମହୁଲ, ଗାଧିକଟା, ପେଚାକଟା, କୁଡ଼ାବଗା, ସିଙ୍ଘାନିପାଲି, ଭଦ୍ରାପାଲି, ଡ଼ାଙ୍ଗପଡ଼ା ପ୍ରଭୃତି ଶତାଧିକ ଗ୍ରାମରେ ଲୋକେ ପାଣିପାଇଁ ଡହକବିକଳ ହେଉଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର