ଖୋର୍ଦ୍ଧା: ଦେଶରେ ସ୍ୱାଧୀନତାର ୭୫ ବର୍ଷ ପାଳନ ହେବାକୁ ଯାଉଛି, କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ୪୩ଟି ଏଭଳି ଗାଁ ରହିଛି ଯେଉଁଠାର ବାସିନ୍ଦା ପାନୀୟ ଜଳ ସୁବିଧାରୁ ଆଜି ଯାଏଁ ବଂଚିତ ହୋଇ ରହିଛନ୍ତି । ବର୍ତମାନ ଜଳବାୟରୁ ପରିବର୍ତନ, ଜଙ୍ଗଲର ହ୍ରାସ ଓ ବେଆଇନ ଖନନ ଯୋଗୁଁ ଆଗକୁ ଏହି ଜଳସଂକଟ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

Advertisment

ଜିଲ୍ଳା ଜଳ ଯୋଗାଣ ଓ ପରିମଳ ମିଶନ ପକ୍ଷରୁ ମିଳିଥିବା ସୂଚନାରେ ଜିଲ୍ଲାରେ ୧୩୫୮ଟି ଗାଁରେ ୨୦୨୧-୨୨ରେ ମୋଟ ୧୬୦୪୬ଟି ନଳକୂପ ରହିଥିଲା । ୨୦୨୨-୨୩ରେ ଏହା ୧୬୮୬୯କୁ ବୃଦ୍ଧି ପାଇଛି । ସେହିଭଳି କାର୍ଯ୍ୟକ୍ଷକ ପାଇପ ଜଳ ଯୋଗାଣ ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ୫୨୧ରୁ ୫୨୩କୁ ବୃଦ୍ଧି ପାଇଛି । କିନ୍ତୁ ଜିଲ୍ଲାର ଚିଲିକା, ଟାଙ୍ଗୀ, ବୋଲଗଡ଼ ବ୍ଲକର ୪୩ଟି ଏଭଳି ଗାଁ ରହିଛି ଯେଉଁଠି ଏଯାଏଁ ପିଇବା ପାଣି ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ହୋଇପାରିନାହିଁ । କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ସୂଚନାନୁସାରେ, ଜିଲ୍ଲାର ୨ଲକ୍ଷ ୭୭ହଜାର ୮୧୩ ପରିବାର ମଧ୍ୟରୁ ୧ଲକ୍ଷ ୮୩ହଜାର ୫୪୬ ପରିବାରକୁ ପାଇପ ଜଳ ଯୋଗାଣ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୯୪ ହଜାର ୨୬୭ ପରିବାରକୁ ପାଇପ ଜଳ ଯୋଗାଣରୁ ବଂଚିତ ହୋଇରହିଛନ୍ତି । ମଇ ୨୦୨୩ ସୁଦ୍ଧା ଏହି ସମସ୍ତ ପରିବାରଗୁଡ଼ିକୁ ପାଇପ ଜଳ ଯୋଗାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୩ ହଜାର ୧୨୫ଟି ଗାଁରେ ପାଇପ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇପାରିଛି ।

ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୬ଟି ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପରୁ ଲୋକଙ୍କୁ କେବେ ପାଣି ମିଳିବ ତାହା ଅସ୍ପଷ୍ଟ । ଯଦିବା ପାଣି ଯୋଗାଇ ଦିଆଯାଏ ତେବେ ପରିବେଶ ଅସନ୍ତୁଳନ ଯୋଗୁଁ ନଦୀଗୁଡ଼ିକ ଯେଉଁଭଳି ବର୍ଷକର ୫-୬ ମାସ ଶୁଖିଲା ପଡ଼ୁଛି ଆଉ ୪-୫ ବର୍ଷ ପରେ ଏହି ନଦୀ (ଭୂପୃଷ୍ଠଜଳ) ଉପରେ ନିର୍ଭରଶୀଳ ଜଳଯୋଗାଣ ପ୍ରକଳ୍ପରୁ ଆବଶ୍ୟକ ପାଣି ମିଳିବ କି ନାହିଁ ସନେ୍ଦହ । ଏଭଳି ପରିସ୍ଥିତିରେ ଗ୍ରାମାଂଚଳରେ ନଳକୂପ ଉପରେ ହିଁ ଭରସା କରାଯାଉଛି । ଏହି କଥା ପଂଚାୟତ ସମିତି ବୈଠକ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଉନ୍ନୟନ ବୈଠକରେ ନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ଉଠାଇ ଅଧିକ ନଳକୂପ ପାଇଁ ଦାବି କରୁଛନ୍ତି । କିନ୍ତୁ ବର୍ତମାନର ଆବଶ୍ୟକତା ପାଇଁ ଅବିଚାରିତ ନଳକୂପ ଖନନ ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ ବୋଲି ଖୋଦ୍ ସରକାରଙ୍କ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଭୂତଳ ଜଳ ସର୍ବେକ୍ଷଣର ୨୦୨୧ ରିପୋର୍ଟରେ ଖୋର୍ଦ୍ଧା ଜିଲ୍ଲାରେ ଭୂତଳ ଜଳ ସୃଷ୍ଟି ୨୧ହଜାର ୮୦୫ ହାମ (ହେକ୍ଟର ମିଟର) ହୋଇଥିବା ବେଳେ ୨୦୨୫କୁ ବେଳକୁ ଏହା ହ୍ର୍ରାସ ପାଇବା ଓ ବୋଲଗଡ଼ ବ୍ଲକରେ ଭୂତଳଜଳ ସର୍ବାଧିକ ବିପଦଜନକ ଅବସ୍ଥାରେ ରହିଥିବା ଜଣାଯାଇଛି । କେବଳ ଏହାନୁହେଁ ବର୍ଦ୍ଧିତ ଜନସଂଖ୍ୟାର ଜଳର ଆବଶ୍ୟକତା ଦୃଷ୍ଟିରୁ ଭୂତଳ ଜଳ ପର୍ଯ୍ୟାପ୍ତ ହୋଇପାରିବ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ବୋଲଗଡ଼ରେ ସଂରକ୍ଷିତ ଭୂତଳ ଜଳରୁ ୭୮.୯୪ ପ୍ରତିଶତ ବ୍ୟବହୃତ ହୋଇସାରିଥିବା ବେଳେ ଭୁବନେଶ୍ୱରରେ ଏହା ୬୪.୯୪ ପ୍ରତିଶତ, ବାଲିପାଟଣାରେ ୬୬.୩୪ ପ୍ରତିଶତ, ଓ ଖୋର୍ଦ୍ଧାରେ ୫୩.୨୭ ପ୍ରତିଶତ ବ୍ୟବହୃତ ହୋଇସାରିଛି । ଏଭଳି ପରିସ୍ଥିତିରେ ଏହି ଅଂଚଳରେ ଅଧିକ ନଳକୂପ କିମ୍ବା ଭୂତଳ ଜଳ ଉତ୍ତୋଳନ ଉପରେ ସତର୍କତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।