ବର୍ଷାଦିନେ ପାନୀୟ ଜଳ ସମସ୍ୟା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

କୋରାପୁଟ: ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପୁଲବେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓଡପୁର ଗ୍ରାମର ବାସିନ୍ଧା। ଗ୍ରାମର ବାସନ୍ତି ବାଘ, ଦଇମତି କନ୍ଦପାନ, ରମେଶ ଡଙ୍ଗରି, ପ୍ରହଲ୍ଲାଦ ମୁଦୁଲି ଓ ଶ୍ରୀପତି ବାଘ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ଗାଁରେ ହରିଜନ ସାହି ଓ ପାକନା ସାହିରେ ୧୧୦ ପରିବାର ବସବାସ କରୁଥିବାବେଳେ ଗାଁରେ ପାନୀୟ ଜଳର ବ୍ୟବସ୍ଥା ନାହିଁ । ସମସ୍ତ ପରିବାର ବିପିଏଲ ଶ୍ରେଣୀୟ ହୋଇଥିବା ବେଳେ ଉକ୍ତ ଗ୍ରାମର ପାଖାପାଖି ୫ କିଲୋମିଟର ଭିତରେ କୌଣସି ପାନୀୟ ଜଳର ବ୍ୟବସ୍ଥା ନାହିଁ । ଗ୍ରାମରେ ଗୋଟିଏ ନଳକୂପ ଖୋଳା ହୋଇଛି ସତ ମାତ୍ର ତାହା ଖରାଦିନ ଠାରୁ ଖରାପ ହୋଇ ପଡୁଛି । ତେଣୁ ଗ୍ରାମର ଲୋକ ମାନେ ନାଳ ପାଣି ପିଉଛନ୍ତି । କିନ୍ତୁ ବର୍ତ୍ତମାନ ବର୍ଷା ଦିନ ଚାଲିଥିବାରୁ ନାଳ ପାଣି ଗୋଳିଆ ଆସୁଛି ଯାହା ପିଇବା ଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଗ୍ରାମର ଦୁଇ ଜଣ ମହିଳା ମଧ୍ୟ ସେହି ନାଳର ଗୋଳିଆ ପାଣି ଜିଲ୍ଲାପାଳଙ୍କୁ ଦେଖାଇଥିଲେ। ଯଥାଶୀଘ୍ର ଏକ ନଳକୂପର ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି କରିଛନ୍ତି । ପୂର୍ବରୁ ଦଶମନ୍ତପୁର ବିଡିଓଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିବା ବେଳେ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର