ମାଲକାନଗିରି: ଗ୍ରୀଷ୍ମର ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି। ମାଲକାନଗିରି ଜିଲ୍ଲାରେ ଲୋକେ ଏବେ ଠାରୁ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ପାଣି ପାଇଁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବେଡା ପଞ୍ଚାୟତର ଆରଏସି-୧୫ ଗ୍ରାମରେ। ଏହି ଗ୍ରାମରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି। ଗ୍ରାମରେ ଦୁଇଟି ନଳକୂପ ରହିଥିଲେ ମଧ୍ୟ ଗୋଟିଏ ଖରାପ ହୋଇ ପଡି ରହିଥିବା ବେଳେ ଅନ୍ୟଟିରେ କମ୍ ପାଣି ବାହାରୁଛି। ଯାହାକି ସଂପୂର୍ଣ୍ଣ ପିଇବା ଯୁକ୍ତ ନୁହେଁ। ତେଣୁ ଗ୍ରାମର ମହିଳାମାନେ ଦୁଇ କିଲୋମିଟର ପାହାଡ ତଳେ ରହିଥିବା ଏକ ଚୁଆରୁ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଯେଉଁ ପାଣିକୁ ଗାଈଗୋରୁ ମଧ୍ୟ ପିଇବା ମୁସକିଲ ସେହି ପାଣିକୁ ଗ୍ରାମବାସୀ ବାଧ୍ୟ ହୋଇ ପିଉଥିବା ଦେଖିବାକୁ ମିଳିଛି।

Advertisment

ଏହି ଗ୍ରାମରେ ପ୍ରାୟ ୯୫ଟି ପରିବାର ବସବାସ କରୁଛନ୍ତି। ଏତେ ଲୋକଙ୍କ ପାଇଁ ପାଣି ଯୋଗାଡ କରିବା ମୁସକିଲ ହୋଇପଡୁଛି। ପାହାନ୍ତାରୁ ଲାଇନ ଲଗାଇବାକୁ ପଡୁଥିବା ଗ୍ରାମବାସୀ କହନ୍ତି। ସେହି ଚୁଆ ପାଣିରୁ ହିଁ ଗ୍ରାମବାସୀ ନିଜେ ବ୍ୟବହାର କରିବା ସହ ଗାଈଗୋରୁମାନଙ୍କ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି।

କେବଳ ଆରଏସି-୧୫ ଗ୍ରାମ ନୁହେଁ, ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ଶତାଧିକ ଗ୍ରାମର ଲୋକେ ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଜିଲ୍ଲାରେ ପାନୀୟ ଜଳର ସମସ୍ୟା ନଥିବା ବିଭାଗ କହୁଥିବା ବେଳେ ଏହି ଗ୍ରାମର ଦୃଶ୍ୟ ଦର୍ଶାଇ ଦେଉଛି ଯେ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କ ପାଇଁ ପିଇବା ପାଣିର କେତେ ସୁବନ୍ଦବସ୍ତ କରାଯାଇଛି। ପାନୀୟ ଜଳ ଯୋଜନା ଏକ ପ୍ରକାର ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

publive-image

ମୁଣ୍ଡରେ ଗରା ଧରି ଦୁଇ କିଲୋମିଟର ବାଟ ଚାଲି ଚାଲି ଯିବା ଏବଂ ଘଣ୍ଟା ଘଣ୍ଟା ଧରି ପାଣି ପାଇଁ ଲାଇନରେ ଛିଡା ହେବା କେତେ ଯେ କଷ୍ଟ ତାହା ସେମାନେ ହିଁ କହିପାରିବେ। ଗ୍ରାମର ମହିଳାମାନଙ୍କ କହିବା ଅନୁସାରେ ରାସ୍ତା ନଥିଲେ ନାହିଁ କିନ୍ତୁ ପିଇବା ପାଣିର ବ୍ୟବସ୍ଥା ତୁରନ୍ତ କରାଯାଉ। ନଚେତ ଆଉ ଦୁଇ ଚାରି ମାସ ନାହିଁ ନଥିବା କଷ୍ଟ ଭୋଗିବାକୁ ପଡିବ। ଗ୍ରାମରେ ରହିଥିବା ଦୁଇଟି ନଳକୂପକୁ ମରାମତି କରିବା ସହ ଏଠାରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଗଲେ ହୁଏତ ଲୋକେ ଉପକୃତ ହୋଇପାରନ୍ତେ। ଚିତ୍ରକୋଣ୍ଡାରେ କେହି ସ୍ଥାୟୀ ବିଡିଓ ନଥିବାରୁ ଏଭଳି ସମସ୍ୟା ସଂପର୍କରେ ବ୍ଲକ ପ୍ରଶାସନ ଅଜ୍ଞ ରହିଥିବା ଜଣାପଡିଛି। ତେବେ ପଞ୍ଚାୟତ ତରଫରୁ ଏନେଇ ତଦାରଖ କରାଯିବା ସହ ସମସ୍ତ ନଳକୂପ ମରାମତି କରିବା କଥା କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟର ପିଇଓଙ୍କ ଦେଖା ମିଳୁନଥିବାରୁ ଲୋକଙ୍କର ଅବସ୍ଥା ବଢୁଥିବା କୁହାଯାଇଛି। ତୁରନ୍ତ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ଅଧିକାରୀ ଏଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।