ଜିଲ୍ଲାରେ ଉତ୍କଟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଶ୍ରମଜୀବି ସଂଗଠନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୭ଟି ବ୍ଲକର ୫୫ଟି ପଞ୍ଚାୟତର ୧୧୫ଟି ଗ୍ରାମରେ ଏବେ ଉତ୍କଟ ଜଳ ସମସ୍ୟା ଲାଗି ରହିଛି।ମାଲକାନଗିରି ଜିଲ୍ଲା ଶ୍ରମଜୀବି ସଂଗଠନ ଏବଂ ମହିଳା ଶ୍ରମଜୀବି ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାର ୧୧୫ଟି ଗ୍ରାମରେ ଏବେ ଉତ୍କଟ ଜଳ ସମସ୍ୟା ଲାଗି ରହିଥିବା ଅବଗତ କରାଯାଇଥିଲା। ଦୀର୍ଘ ବର୍ଷ ଧରି ଶ୍ରମଜୀବି ସଂଗଠନ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସଚେତନତା କରାଉଛି।

ତେବେ ଜିଲ୍ଲାରେ ଜଳ ସମସ୍ୟା ନେଇ ପ୍ରଶାସନ ତରଫରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହାକୁ ନେଇ ଶ୍ରମଜୀବି ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଲୋକେ ଚୁଆ ଏବଂ ଖୋଲା କୂପର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସେହି ପାଣି ପିଇ ଲୋକେ ସଂକ୍ରାମକ ରୋଗରେ ପଡୁଛନ୍ତି। ତେଣୁ ତୁରନ୍ତ ଅଚଳ ନଳକୂପକୁ ମରାମତି କରିବା ସହ ନୂତନ ନଳକୂପ ନିର୍ମାଣ ପାଇଁ ଦାବି କରାଯାଇଛି।

ଏହି ଗ୍ରାମଗୁଡିକରେ ଜଳର ଉତ୍ସ ନଥିବା ବେଳେ ମେଗା ଜଳ ପ୍ରକଳ୍ପର ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ଦାବି ହୋଇଛି।ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ଣର ପ୍ରକୋପ ଜାରି ରହିଛି।ଲୋକେ ଗରମରେ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ପାଣି ଚିନ୍ତା ଆହୁରି କଲବଲ କରୁଛି।ତେଣୁ ଜିଲ୍ଲାପାଳ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର