ମାଲକାନଗିରି ଜିଲ୍ଲାରେ ସୁଧୁରିନି ପାନୀୟ ଜଳ ସମସ୍ୟା, ବିଭାଗର ତଥ୍ୟ ଓ ପ୍ରକୃତ ସ୍ଥିତିରେ ତାଳମେଳ ନାହିଁ

ଆଜି ଜିଲ୍ଲାର ବହୁ ଗ୍ରାମରେ ଲୋକେ ଚୁଆ ପାଣି ଉପରେ ହିଁ ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପାନୀୟ ଜଳର ଉତ୍କଟ ସମସ୍ୟା ଆଜି ବି ରହିଛି। ଜିଲ୍ଲାର ସାତୋଟି ବ୍ଲକର ୧୧୧ଟି ପଞ୍ଚାୟତରେ ରହିଥିବା ପାଣିର ଉତ୍ସ କେତେ କାର୍ଯ୍ୟ କରୁଛି ତାହା ଜିଲ୍ଲା ବିଭାଗ ନିକଟରେ ନାହିଁ। କାରଣ ଏହା ବ୍ଲକ ଏବଂ ପଞ୍ଚାୟତସ୍ତରରେ ଦେଖରେଖ ହେଉଥିବାରୁ ଜିଲ୍ଲା ଜଳ ଓ ପରିମଳ ବିଭାଗ ନିକଟରେ କେବଳ ଜିଲ୍ଲାରେ କେତେ ପାନୀୟ ଜଳର ଉତ୍ସ ଏବଂ କି କି ପ୍ରକାର ପାନୀୟ ଜଳର ଉତ୍ସ ରହିଛି ତାହାର ହିସାବ ରହିଛି। ଏପରିକି ଆଜି ବି ଏମିତି ଗ୍ରାମ ରହିଛି ଯେଉଁଠି ପିଇବା ପାଣିର ଘୋର ଅସୁବିଧା ରହିଛି। ବିଶେଷକରି ଜିଲ୍ଲାର ବଣ୍ଡାଘାଟିର ଦୁଇଟି ପଞ୍ଚାୟତରେ ଏବଂ ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତରେ। ଏଥିସହ ଅନ୍ୟ ବ୍ଲକର ଦୁର୍ଗମ ଅଂଚଳଗୁଡିକରେ ଆଜି ବି ନଳକୂପ କିମ୍ବା ଅନ୍ୟ ପିଇବା ପାଣିର ଉତ୍ସ ନାହିଁ।ଯାହାଫଳରେ ଲୋକେ ଆଜି ବି ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି।

ଜିଲ୍ଲା ଜଳ ଓ ପରିମଳ ବିଭାଗର ରିପୋର୍ଟ ଅନୁଯାୟୀ ମାଲକାନଗିରି ବ୍ଲକରେ ୨୨୪୪ଟି ନଳକୂପ ରହିଥିବା ବେଳେ ୧୫ଟି କୂପକୁ ନଳକୂପ କରାଯାଇଛି।ସେହିପରି ମୋଟ ୫୪ଟି କୂପ ଏବଂ ଝରଣା ପାଣିକୁ ପାଇପ ଯୋଗେ ଗାଁରେ ପାଣି ପହଞ୍ଚାଯାଉଛି। ଯାହାଫଳରେ ମାଲକାନଗିରି ବ୍ଲକର ୮୦ ଗାଁର ୪୫୩୩୪୩ ଜଣ ଲୋକ ପାଣିର ସୁବିଧା ପାଉଥିବା କୁହାଯାଇଛି। ସେହିପରି ସୋଲାର ପମ୍ପ ଯୋଗେ ୪ଟି ପିଇବା ପାଣିର ସୁବିଧା ରହିଥିବା ବେଳେ ୫୭୫ଟି ଷ୍ଟାଣ୍ଡପୋଷ୍ଟ ସାହାଯ୍ୟରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି।ମାଲକାନଗିରି ବ୍ଲକରେ ୪୧ଟି ପାଣି ଟାଙ୍କି ରହିଥିବା କୁହାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ମୋଟ ୧୪୨୩ଟି ନଳକୂପ ଓ କୂପ ସହ ନଳକୂପର ବ୍ୟବସ୍ଥା ରହିଥିବା କୁହାଯାଇଛି। ୫୨ଟି କୂପ ଓ ଝରଣା ପାଣିକୁ ପାଇପ ଯୋଗେ ଯୋଗାଇ ଦିଆଯାଉଛି, ଯେଉଁଥିରେ ୬୧ଟି ଗାଁର ୧୪୯୪୧ ଜଣ ପରିବାର ଏହାର ଫାଇଦା ଉଠାଉଛନ୍ତି।

ଚିତ୍ରକୋଣ୍ଡାରେ ୨୮୮ଟି ଷ୍ଟାଣ୍ଡ ପୋଷ୍ଟ ଜରିଆରେ ପାଣି ଦିଆଯାଉଥିବା ବେଳେ ୯ଟି ପାଣି ଟାଙ୍କି ରହିଛି।କାଲିମେଳା ବ୍ଲକରେ ମୋଟ ୨୬୯୨ଟି ନଳକୂପ ଓ କୂପକୁ ନଳକୂପରେ ପରିଣତ କରି ପାଣି ଦିଆଯାଉଛି। ୭୪ଟି କୂପ ଓ ଝରଣାକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି।ଏଥିସହ ୫୦ଟି ପାଣି ଟାଙ୍କି ରହିଥିବା ବେଳେ ୬୫୦ଟି ଷ୍ଟାଣ୍ଡ ପୋଷ୍ଟରେ ପାଣି ଯୋଗାଯାଉଛି। ମୋଟ ୯୫ଟି ଗାଁର ୬୧୪୮୨ ଜଣ ଲୋକ ଉପକୃତ ହେଉଥିବ କୁହାଯାଇଛି।ଖଇରପୁଟ ବ୍ଲକରେ ମୋଟ ୧୩୦୬ଟି ନଳକୂପ ଓ କୂପକୁ ନଳକୂପରେ ପରିଣତ କରି ପାଣି ଯୋଗାଇ ଦିଆଯଉଥିବା ବେଳେ ୭୮ଟି କୂପ ଓ ଝରଣା ପାଣିକୁ ପାଇପ ଯୋଗେ ଯୋଗାଇ ଦିଆଯାଉଛି।

ତେବେ ୨୮ଟି ପାଣି ଟାଙ୍କି ରହିଥିବା ବଳେ ୫୮୧ଟି ଷ୍ଟାଣ୍ଡ ପୋଷ୍ଟରେ ପାଣି ଯୋଗାଯାଉଛି। ୧୪୫ଟି ଗାଁର ୩୫,୪୩୫ ଜଣ ଲୋକ ଉପକୃତ ହେଉଛନ୍ତି।କୋରକୋଣ୍ଡା ବ୍ଲକରେ ମୋଟ ୧୪୧୮ଟି ନଳକୂପ ଓ କୂପ ସହ ନଳକୂପ ଯୋଗେ ପିଇବା ପାଣିର ସୁବିଧା କରାଯାଇଥିବା ବେଳେ ୪୨ଟି କୂପ ଓ ଝରଣା ପାଣିକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି। ବ୍ଲକରେ ୨୭ଟି ପାଣି ଟାଙ୍କି ରହିଥିବା ବେଳେ ୩୭୫ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇଛି।୫୦ଟି ଗାଁର ୨୭୬୨୬ ଜଣ ଲୋକ ଉପକୃତ ହେଉଛନ୍ତି।ମାଥିଲି ବ୍ଲକର ମୋଟ ୨୧୬୮ଟି ନଳକୂପ ଓ କୂପ ସହ ନଳକୂପ ଦ୍ବାରା ପାଣି ଯୋଗା ଯାଉଥିବା ବେଳେ ୧୧୦ଟି କୂପ ଓ ଝରଣା ପାଣିକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି। ୨୭ଟି ପାଣି ଟାଙ୍କି ରହିଥିବା ବେଳେ ୩୯୦ଟି ଷ୍ଟାଣ୍ଡପୋଷ୍ଟ ରହିଛି।୧୧୦ଟି ଗାଁର ୩୭୫୬୪ ଜଣ ଲୋକ ଉପକୃତ ହେଉଥିବା କୁହାଯାଇଛି।

ସେହିପରି ପଡିଆ ବ୍ଲକରେ ମୋଟ ୧୦୪୦ଟି ନଳକୂପ ଓ କୂପ ସହ ନଳକୂପ ରହିଥିବା ବେଳେ ୧୮ଟି କୂପ ଓ ଝରଣା ପାଣିକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି।ବ୍ଲକରେ ୧୮ଟି ପାଣି ଟାଙ୍କି ରହିଥିବା ବେଳେ ୧୦୪ଟି ଷ୍ଟାଣ୍ଡ ପୋଷ୍ଟ ସାହାଯ୍ୟରେ ପାଣି ଯୋଗାଇ ଦିଆଯାଉଛି।ଉକ୍ତ ରିପୋର୍ଟ କେବଳ କାଗଜ କଲମରେ ସୀମିତ ହୋଇ ରହିଛି।କିନ୍ତୁ ବାସ୍ତବରେ ବହୁ ନଳକୂପ ଏବେ ବି ଖରାପ ହୋଇ ପଡି ରହିଥିବା ବେଳେ ଏହାର କୌଣସି ତଧ୍ୟ ଜିଲ୍ଲା ଜଳ ଓ ପରିମଳ ବିଭାଗ ନିକଟରେ ନାହିଁ। ବ୍ଲକମାନେ ଏହି ରିପୋର୍ଟ ପ୍ରଦାନ କରୁନଥିବା ବିଭାଗ କହିଛି।ତେବେ ଜିଲ୍ଲାରେ ଚାଲିଥିବା ୬ଟି ମେଗା ଵାଟେର ଲିଫ୍ଟ ପ୍ରୋଜେକ୍ଟ କେବେ ସରିବ ତାହା ସଠିକ କାହା ପାଖରେ ଉତ୍ତର ନାହିଁ।କିନ୍ତୁ ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଏନେଇ ପଚାରିବାରୁ କାଲିମେଳା ଏବଂ ମାଲକାନଗିରିର ମେଗା ଵାଟେର ଲିଫ୍ଟ ପ୍ରୋଜେକ୍ଟ ଆସନ୍ତା ୯ ମାସରେ ସରିବ ବୋଲି ଅନୁମାନ କରି କହିଥିଲେ।ତେବେ ଜିଲ୍ଲାର ଅନ୍ୟ ବ୍ଲକରେ ରହିଥିବା ଏହି ପ୍ରୋଜେକ୍ଟ କାମ ଏବେ ଆରମ୍ଭ ହୋଇଥିବା ବେଳେ କେବେ ସରିବ ସଠିକ କେହି ଉତ୍ତର ଦେଇପାରୁ ନାହାନ୍ତି।ଗ୍ରୀଷ୍ଣ ଋତୁ ବେଳକୁ ଯଦି ସବୁ ଠିକ ନରୂହେ ତେବେ ସ୍ଥିତି ସଂଗୀନ ହେବ ବୋଲି କୁହାଯାଇଛି। ଏପରିକି ଜିଲ୍ଲାର ଅଧାରୁ ଉର୍ଦ୍ଧ୍ବ ନଳକୂପରୁ ଆଇରନ ପାଣି ବାହାରୁଥିବାରୁ ପିଇବା ଉପଯୋଗୀ ନୁହେଁ।ଯାହାଫଳରେ ଲୋକେ କିଡନୀ ରୋଗର ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଦୁର୍ଗମ ଅଂଚଳରେ ପିଇବା ପାଣିର ଉତ୍ସ ନଥିବାରୁ ତୁରନ୍ତ ସେହି ଗ୍ରାମଗୁଡିକକୁ ସର୍ଭେ କରାଯାଇ ନଳକୂପ ଏବଂ ଯେଉଁଠି ନଳକୂପଗୁଡିକ ଖରାପ ହୋଇ ପଡି ରହିଛି ସେଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ଦାବି କରିବା ସହ ଆଗାମୀ ଦିନରେ ଏନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର