ଗାଁରେ ଜଳକଷ୍ଟ, ହୋଇପାରୁନି ପୁରୁଣା କୂଅର ମରାମତି

ଫୁଲବାଣୀ: ଗ୍ରୀଷ୍ମଦିନ ଆରମ୍ଭ ନ ହେଉଣୁ କନ୍ଧମାଳ ଜିଲ୍ଲାରେ ଜଳ ସମସ୍ୟା ଉତ୍କଟ ହେବା ଆରମ୍ଭ କଲାଣି। ନଦୀ, ପୋଖରୀ, ଚୁଆ ଶୁଖିଯିବା ସହ ପାନୀୟ ଜଳ ସମସ୍ୟା ବୃଦ୍ଧି ପାଇଲାଣି। ଆଦିବାସୀ ଗ୍ରାମଗୁଡ଼ିକରେ ପାନୀୟ ଜଳ ପାଇଁ ଲୋକେ ବିଶେଷ କରି ପୁରୁଣା କୂଅମାନଙ୍କ ଉପରେ ନିର୍ଭର କରିଥାନ୍ତି। ସେହିଭଳି ସ୍ନାନ, ଶୌଚ ପାଇଁ ନଦୀ, ଝରଣା ଉପରେ ନିର୍ଭର କରିଥାନ୍ତି।  କିନ୍ତୁ ନଦୀ, ଝରଣାଗୁଡ଼ିକ ଶୁଖିଯିବାରୁ ପାଣିପାଇଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେଣି।

ଫୁଲବାଣୀ ସଦର ବ୍ଲକ୍‌ ଅନ୍ତର୍ଗତ ବେନୁଡ଼ି ଗ୍ରାମରେ ଏବେ ଜଳକଷ୍ଟ ବଡ଼ ସମସ୍ୟା ସୃଷ୍ଟି କରିଛି। ଫୁଲବାଣୀ ସଦର ବ୍ଲକ ଦଡ଼କି ପଞ୍ଚାୟତ ଅନ୍ତର୍ଗତ ବେନୁଡ଼ି ଗ୍ରାମରେ ୨୫ ଘର କନ୍ଧ ସମ୍ପ୍ରଦାୟର ଆଦିବାସୀ ପରିବାର ରହିଛି। ଏହି ଗାଁର ଲୋକସଂଖ୍ୟା ପାଖାପାଖି ଶହେ ହେବ। ଗ୍ରାମରେ ପୁରୁଣା କାଳର ଏକ କୂଅଟିଏ ରହିଛି। ଏହି କୂଅର ପାଣିକୁ ଗାଁର ଆଦିବାସୀମାନେ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି। ମାତ୍ର, ଖରାଦିନେ କୂଅଟି ଶୁଖିଯାଇଥାଏ। ଦୁର୍ଭାଗ୍ୟର ବିଷୟ ହେଉଛି, ଏହି କୂଅଟିର ନନ୍ଦ ନାହିଁ। କୂଅ ଚାରିକଡ଼େ କିଛି ପଥରଖଣ୍ଡ ଘୋଡ଼େଇ ଗାଁଲୋକେ ଏଠାରୁ ପାଣି କାଢିଥାନ୍ତି। କୂଅର ନନ୍ଦ ନଥିବାରୁ ଅନେକ ସମୟରେ ଗାଈଗୋରୁ, ଛେଳିମେଣ୍ଢା ଏହା ମଧ୍ୟକୁ ଖସିପଡ଼ନ୍ତି। ବିଲ ମଝିରେ ଏହି କୂଅଟି ଥିବାରୁ ଝିଅବୋହୂମାନେ ପାଣି ଉତ୍ତୋଳନ କରିବାକୁ ଭୟ କରନ୍ତି। ଦୀର୍ଘଦିନ ଧରି ଗାଁଲୋକେ ଏହି କୂଅ ଚାରିପାଖରେ ଏକ ଚାନ୍ଦିନୀ ନିର୍ମାଣ କରିବାକୁ ଫୁଲବାଣୀ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଆଜିଯାଏ କୂଅର ଚାନ୍ଦିନୀ ନିର୍ମାଣ ସମ୍ଭବ ହୋଇପାରିଲାନି। ସେହିଭଳି ଖରାଦିନେ ଏହି କୂଅ ପାଣିକୁ ଲୋକେ ସ୍ନାନ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିଥାନ୍ତି।

ଗାଁରେ ଏକ ପୋଖରୀ ଥିଲା। ମାତ୍ର ଗତବର୍ଷ ପ୍ରବଳ ବର୍ଷାଜଳରେ ପୋଖରୀର ବନ୍ଧ ଭାଙ୍ଗିଯାଇଥିଲା। ଫଳରେ ଏଠାରେ ପାଣି ଗଚ୍ଛିତ ହୋଇ ରହିପାରୁନି। ଖରାଦିନ ତ ଦୂରର କଥା, ଏମିତିକି ବର୍ଷାଦିନେ ମଧ୍ୟ ଏ ପୋଖରୀରେ ପାଣି ରହୁନାହିଁ। ପ୍ରଶାସନ ଯଦି ମୋ’ପୋଖରୀ ଯୋଜନାରେ ଏହି ପୋଖରୀର ପୁନରୁଦ୍ଧାର କରିପାରନ୍ତି ତେବେ ଗ୍ରାମର ଜଳସମସ୍ୟା ଅନେକ ମାତ୍ରାରେ ଦୂର ହୋଇପାରନ୍ତା ବୋଲି ଗାଁର ବରିଷ୍ଠ କନ୍ଧମୁଖିଆ ଯୁଗ୍ନ କହଁର କହିଛନ୍ତି। ଗାଁର ପାଣି ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନର ପନ୍ଥା ବାହାରି ପାରୁନାହିଁ। ତୁରନ୍ତ ଗାଁର କୂଅର ଏକ ଚାନ୍ଦିନୀ ନିର୍ମାଣ କରିବା ସହିତ ପୋଖରୀର ପୁନରୁଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର