ଜଳ ସୋତ୍ର ହ୍ରାସ ପାଇଛି: ଶୁଖିଲା କୋଏଲ ନଦୀ, ରାଉରକେଲାରେ ଦେଖାଦେବ ଜଳ ସଙ୍କଟ !

ରାଉରକେଲା: ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ତତ୍ପର। ଏଭଳି ଦୁର୍ଦ୍ଦିନରେ ସହରବାସୀଙ୍କ ଜଳ ପ୍ରମୁଖ ଉତ୍ସ କୁହାଯାଉଥିବା କୋଏଲ ନଦୀ ଶୁଖିବାକୁ ବସିଲାଣି। ଗତ କିଛି ଦିନ ହେବ ପଡୋଶୀ ଝାଡ଼ଖଣ୍ଡରୁ ଆସୁଥିବା ଜଳ ସୋତ୍ର ହ୍ରାସ ପାଇଛି। ନଦୀର ଦୁଇ ପାର୍ଶ୍ବରେ କିଛି ଜାଗାରେ ଜଳ ଥିବାବେଳେ ଅନ୍ୟ ସବୁଆଡେ ଶୁଖିଲା ପଡିଛି। ନିକଟରେ ଇସ୍ପାତ ସହରାଞ୍ଚଳକୁ ଜଳ ଯୋଗାଣ ପାଇଁ ବୋହି ଯାଉଥିବା ଜଳକୁ ବାଲିବସ୍ତା ଦେଇ ଅଟକାଯାଇଛି। କିନ୍ତୁ ଏହା ଇସ୍ପାତ ସହରାଞ୍ଚଳବାସୀଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ସେପଟେ ଗ୍ରୀଷ୍ମଦିନେ ମହାନଗରବାସୀଙ୍କ ଜଳ ସଙ୍କଟ ଦୂର ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମିତି କିଛି ଆଗୁଆ ପଦକ୍ଷେପ ନିଆଯାଇ ନାହିଁ।

ସେପଟେ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଆର୍‌ଏସ୍‌ପି ବ୍ରାହ୍ମଣୀ ନଦୀରୁ ଜଳ ନେବାକୁ ଗତ ଦୁଇ ବର୍ଷ ପୂର୍ବରୁ ବ୍ୟବସ୍ଥା କରିଥିଲେ। ତେବେ ଏହି ବ୍ୟବସ୍ଥା ପାନୀୟ ଜଳ ସଙ୍କଟ ଦୂର କରିବାରେ‌ କେତେ ସହାୟକ ହେଉଛି, ତାକୁ ନେଇ ଇସ୍ପାତ ସହରାଞ୍ଚଳବାସୀ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି। କୋଏଲନଦୀରେ ଆର୍‌ଏସ୍‌ପି, ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର ଦୁଇଟି ପମ୍ପ ହାଉସ୍‌ ରହିଛି। ଖରାଦିନେ ଜଳସ୍ତର ହ୍ରାସ ଯୋଗୁଁ ଦୁଇଟି ପମ୍ପ ହାଉସ୍‌ ନଦୀରୁ ଜଳ ଠିକ୍‌ ଭାବେ ଉଠିପାରେ ନାହିଁ। ଏଥିପାଇଁ କର୍ମଚାରୀମାନେ ପ୍ରତିବର୍ଷ ପମ୍ପହାଉସ୍‌ ନିକଟରେ ଜଳ ସଂରକ୍ଷଣ କରିବାକୁ ଜେସିବି ସହାୟତାରେ ଖାତ ଖୋଳିଥାନ୍ତି।

ଲକ୍‌ଡାଉନ୍‌ ପାଇଁ ସମସ୍ତେ ଘରେ ଥିବାରୁ ଆବଶ୍ୟକତା ଠାରୁ ଢ଼େର ଅଧିକ ଜଳ ଦରକାର ପଡୁଛି। ଏଭଳି ଘଡିସନ୍ଧି ସମୟରେ ଉଭୟ ଆର୍‌ଏସ୍‌ପି, ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗ ଉପଯୁକ୍ତ ସମନ୍ବୟ ରଖି କାମ ନ କଲେ କରୋନା ଠାରୁ ଜଳ ସଙ୍କଟ ଦୁର୍ଦ୍ଦଶା ଆହୁରି ବଢ଼ିଯାଇପାରେ। ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡରୁ ପ୍ରବାହିତ କୋଏଲନଦୀର ଜଳର ସୋତ୍ର ଗତ ୧୯୯୨-୯୩ ପର୍ଯ୍ୟନ୍ତ ଠିକ୍‌ ରହିଥିଲା। ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଜଳ ସଙ୍କଟ ଦୂର ପାଇଁ ସ୍ଥାନୀୟ ବାସିନ୍ଦା ଛୋଟ ଛୋଟ ନଦୀ ବନ୍ଧ କରିବାରୁ ଗ୍ରୀଷ୍ମ ଋତୁରେ ସହରରେ ପାନୀୟ ଜଳର କୃତିମ ଅଭାବ ଦେଖାଦେଉଛି।

କରୋନାରେ ଜଳ ସଙ୍କଟ ଦୂର ପାଇଁ ଯଦି ଝାଡ଼ଖଣ୍ଡ ସରକାର ପ୍ରଭାବିତ ଜଳ ସ୍ରୋତ୍ରକୁ କିଛି ମାତ୍ରାରେ ବନ୍ଦ କରି ଦିଏ ସ୍ଥିତି ଆହୁରି ଭୟାବହ ହେବ। ସେପଟେ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ନଦୀ ବନ୍ଧ କୌଣସି ପଦକ୍ଷେପ ନିଆଯାଉ ନାର୍ହି। କେବେ ନିର୍ମାଣ ହେବ ସ୍ଥାନୀୟ ବିଧାୟକ କିମ୍ବା ଜିଲ୍ଲା ପ୍ରଶାସନ କାହା ପାଖରେ ସଠିକ୍‌ ଉତ୍ତର ନାହିଁ। ଶାସକ ଦଳର ଦୁଇ ଦୁଇଜଣ ବିଧାୟକ ଥିବା ସତ୍ବେ ଜଳ ସଙ୍କଟ ଦୂର ପାଇଁ ସ୍ଥାୟୀ ପ୍ରତିକାର କରା ନଯିବା ସହରବାସୀଙ୍କୁ ବ୍ୟଥିତ କରିଛି।

ଯଦି ଚଳିତ ଗୀଷ୍ମରେ ଝାଡ଼ଖଣ୍ଡରୁ ଆସୁଥିବା ନଦୀ ଜଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଏ ଗତ ୪ ବର୍ଷ ତଳ ଘଟଣା ପୁନରାବୃତ୍ତି ହୋଇ ପାରେ। ଏଥିପାଇଁ କେବଳ ଇସ୍ପାତ ସହରା୍ଞ୍ଚଳକୁ ନୁହେଁ ବରଂ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅନ୍ତର୍ଗତ କୋଏଲନର, ଶକ୍ତିନଗର ସମେତ ଅନ୍ୟ ଅଞ୍ଚଳର ପ୍ରାୟ ଲକ୍ଷାଧିକ ଲୋକ ପାଣି ଟୋପେ ପାଇଁ ଡହଳ ବିକଳ ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ।

ସମ୍ବନ୍ଧିତ ଖବର