ରାୟଗଡା: କାମରେ ଆସୁନାହିଁ ପାନୀୟ ଜଳ ପ୍ରକଳ୍ପ। ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି। ମାସ ମାସ ଧରି ଅଚଳ ହୋଇ ପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ। ଏହାକୁ ନେଇ ଅସନ୍ତୋଷ ଜାହିର କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ରାୟଗଡା ଜିଲ୍ଳା ସଦର ବ୍ଳକ କେ.ମାଲିଗାଁ ପଂଚାୟତର ଅଡପତିଗୁଡା ଓ ଗୁରୁମଗୁଡା ୨ଟି ଗାଁର ଗ୍ରାମବାସୀ। ଦୀର୍ଘ ୨ମାସ ଧରି କାମରେ ଆସୁନାହିଁ ସୋଲାର ପାନୀୟ ଜଳ ପ୍ରକଳ୍ପ। ରାୟଗଡା ପ୍ରଶାସନ ତରଫରୁ ଜିଲ୍ଳାର କେ.ମାଲିଗାଁ ପଂଚାୟତର ଅଡପତିଗୁଡା ଓ ଗୁରୁମଗୁଡା ଗ୍ରାମରେ ସୋଲାର ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା। ଅଡପତିଗୁଡାର ୫୦ ଘର ଏବଂ ଗୁରୁମଗୁଡା ଗ୍ରାମର ୪୦ଘର ପରିବାର ଲୋକେ ଏଥିରେ ଉପକୃତ ହେଉଥିଲେ। ତେବେ ଗତ ଦୁଇ ମାସ ଧରି ଉଭୟ ଗାଁର ଏହି ଦୁଇଟି ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡି ରହିଥିବାରୁ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇ ପଡିଛନ୍ତି ଗ୍ରାମବାସୀ। ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା।
/sambad/media/post_attachments/wp-content/uploads/2023/08/Rgda-water-problem-2-1024x461.jpg)
ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।ଅଡପତିଗୁଡାରେ ସୋଲାର ପ୍ରକଳ୍ପକୁ ବାଦ ଦେଇ ଆହୁରି ଦୁଇଟି ନଳକୂପ ରହିଥିବା ବେଳେ ଗୋଟିଏର ପାଣି ବ୍ୟବହାର ଉପଯୋଗୀ ନ ଥିବା ବେଳେ ଅନ୍ୟଟିରେ ନିର୍ଗତ ହେଉଥିବା ପାଣିକୁ ନ ଛାଣିଲେ ତାହାକୁ ପିଇବା ସମ୍ଭବପର ହେଉନାହିଁ। ପାଣି ପାଇଁ ଭୋର ୪ଟାରୁ ମହିଳାମାନେ ଅପେକ୍ଷା କରୁଥିବା କହୁଥିବା ବେଳେ ଅଚଳ ସୋଲାର ପ୍ରକଳ୍ପକୁ ମରାମତି ପାଇଁ ସରପଂଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ଠାରେ ତିନି ତିନି ଥର ସମାଧାନ ପାଇଁ ଦାବି କରାଯାଉଥିଲେ ମଧ୍ୟ କୈାଣସି ସୁଫଳ ମିଳୁ ନ ଥିବା କହିଛନ୍ତି ଗାଁର ମହିଳା କଲକା ଅରୁଣା ଓ ଜି.ସୁଜାତା। ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ କରାଯାଉଛି ହେଲେ ଏହା ଅଚଳ ପରେ ଗ୍ରାମବାସୀଙ୍କ କାମରେ ଆସୁନାହିଁ। ଆଉ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ଗ୍ରାମବାସୀଙ୍କୁ ଦେଉଛି ଅନେକ ଯନ୍ତ୍ରଣା। ଗୁରୁମଗୁଡା ଗ୍ରାମରେ ଘର ଘର ଦାଣ୍ଡରେ ପାଣି ପାଇଁ ଟେପ୍ ଦିଆଯାଇଛି ହେଲେ ଆଜି ବି ପାଣି ଟୋପାଏ ବାହାରୁ ନାହିଁ। ଦିନକୁ ଦିନ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଉଥିବା ନେଇ ଗ୍ରାମର ମହିଳା ଜୟଲକ୍ଷ୍ମୀ କଣ୍ଡାଗରୀ ପ୍ରକାଶ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ ନେଇ ସ୍ଥାନୀୟ ବିଡିଓ ଲକ୍ଷ୍ମୀ ନାରାୟଣ ସାବତଙ୍କୁ ପଚାରିବାରୁ ଉଭୟ ଗ୍ରାମର ପାନୀୟ ଜଳ ସମସ୍ୟା ବିଷୟରେ ଅବଗତ ଅଛୁ ଏବଂ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rgda-water-problem-1-1.jpg)