ପଟ୍ଟାମୁଣ୍ତାଇ: ମେ’ ମାସ ସୁଦ୍ଧା ପଟ୍ଟାମୁଣ୍ଡାଇରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଇପ୍‌ ବିଛା କାମ ସରିବ। ଚଳିତ ବର୍ଷ ୩୧ ପଞ୍ଚାୟତର ସବୁ ଘରକୁ ପାଇପ୍‌ ପାଣି ସଂଯୋଗ କରାଯିବ।’ ସରକାରଙ୍କ ଏଭଳି ପ୍ରତିଶ୍ରୁତିରେ ପାନୀୟ ଜଳ ସମସ୍ୟାର ପ୍ରତିକାର ହୋଇଯିବ ବୋଲି ପଟ୍ଟାମୁଣ୍ଡାଇବାସୀ ଆଶାବାନ୍ଧି ବସିଥିଲେ। ହେଲେ, ୨ଟି ପ୍ରକଳ୍ପର କାମ ନେଇଥିବା ମୁମ୍ବାଇର ଠିକାଦାର ସଂସ୍ଥା ଅଦ୍ୟାବଧି ପାଇପ୍‌ ବିଛାଇବା କାମ ଆରମ୍ଭ କରିନାହିଁ। ଏ ଦିଗରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ମଧ୍ୟ ତତ୍ପରତା ପ୍ରକାଶ କରୁ ନାହାନ୍ତି। ଫଳରେ ଏହି ପ୍ରକଳ୍ପର କାମ କେବେ ଆରମ୍ଭ ହେବ ତା’କୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୩୧ ପଞ୍ଚାୟତ ମଧ୍ୟରୁ ୩ ପଞ୍ଚାୟତକୁ ଆଳି ମେଗା ପାନୀୟ ଜଳ ପ୍ରକଳ୍ପ ସହିତ ଓ ୯ ପଞ୍ଚାୟତକୁ ରାଜନଗର ମେଗା ପାନୀୟ ଜଳପ୍ରକଳ୍ପ ସହିତ ଯୋଡ଼ି ଦିଆଯାଇଛି। ରାଜନଗର ପାଇଁ ଯେଉଁ ମେଗା ପାନୀୟ ଜଳ ପ୍ରକଳ୍ପ କରାଯାଇଛି ଏହାର ୱାଟର୍‌ ଟ୍ରିଟମେଣ୍ଟ ପ୍ଳାଣ୍ଟ ପଟ୍ଟାମୁଣ୍ଡାଇ ବ୍ଳକ୍‌ ସଂସାରଫଳଠାରେ କରାଯିବା ସହ ପଟ୍ଟାମୁଣ୍ଡାଇର ଶ୍ରୀରାମପୁରଠାରେ ଏହାର ବୋର୍‌ୱେଲ କରାଯାଇ ବ୍ରାହ୍ମଣୀରୁ ପାଣି ଯାଇ  ରାଜନଗର ବ୍ଳକ୍‌ର ୨୯ ପଞ୍ଚାୟତବାସୀଙ୍କୁ ଯୋଗାଣ କରାଯିବ। କାମ ନେଇଥିବା ଠିକାଦାର ରାଜନଗରରେ ପାଇପ୍‌ ବିଛାଉଛନ୍ତି, ମାତ୍ର ପଟ୍ଟାମୁଣ୍ଡାଇରେ କେବେ କାମ ହେବ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇର ଯେଉଁ  ୧୯ ପଞ୍ଚାୟତ ରହିଲା ସେଥିପାଇଁ ବାଛରାଠାରେ ୧୨୧ କୋଟି ଟଙ୍କାରେ ଅନ୍ୟ ଏକ ପ୍ରକଳ୍ପ କରାଯାଇଛି। ଅଦ୍ୟାବଧି ମେଗା ପାନୀୟ ଜଳ ପ୍ରକଳ୍ପ କାମ ପଟ୍ଟାମୁଣ୍ଡାଇ ଅଂଚଳ ପାଇଁ ଅପହଞ୍ଚ ହୋଇ ରହିଛି। ମାତ୍ର ଜନ ଅସନ୍ତୋଷକୁ ଦୃ‌ଷ୍ଟିରେ ରଖି  ଦ୍ବିତୀୟ ପର୍ଯ୍ୟାୟରେ ବାଛରାଠାରେ ୧୯ ପଞ୍ଚାୟତ ପାଇଁ  ଆଉ ଏକ ପ୍ରକଳ୍ପ କରାଗଲା ତା’ର କାମ ଆରମ୍ଭ କରାଯାଉନାହିଁ।

Advertisment

ଅନ୍ୟପଟେ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ପଟ୍ଟାମୁଣ୍ଡାଇ ଗ୍ରାମ‌ାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଶତାଧିକ ନଳକୂପ ଅଚଳ ହୋଇ ପଡିଛି। ଗୋଟିଏ ପଟେ ନଳକୂପ ମରାମତି ନ ହେବା ଓ ଅନ୍ୟ ପଟେ  ପଞ୍ଚାୟତରେ ୨  ମେଗା ପାନୀୟ ଜଳ ପ୍ରକଳ୍ପର କାମ ଆରମ୍ଭ ନ ହେବା  ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଉଲ୍ଲେଖ ଥାଉ କି, ୨୬୮ କୋଟି ଟଙ୍କାରେ ଆଳି-କନିକା ପାଇଁ ଯେଉଁ ମେଗା ପାନୀୟ ଜଳ ପ୍ରକଳ୍ପ କାମ ହେବାକୁ ଯାଉଛି ସେଥିରେ ପଟ୍ଟାମୁଣ୍ତାଇ ବ୍ଲକ୍‌ର ପେଣ୍ଠପାଳ, ଅଣ୍ତରା ଓ ବଲୁରିଆ ପଂଚାୟତ ରହିଛି। ସେହିପରି ୨୯୮ କୋଟି ଟଙ୍କାରେ ରାଜନଗର ପାଇଁ ଯେଉଁ ଯେଉଁ ମେଗା ପାନୀୟ ଜଳ ପ୍ରକଳ୍ପ କରାଯାଇଛି ସେଥିରେ ପଟ୍ଟାମୁଣ୍ତାଇ ବ୍ଲକ୍‌ର ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଚନ୍ଦନଗର, ଦୋଷିଆ, ବିଲିକଣା, ଖଣତା, ଓଉପଦା ଓ ସଂସାରଫଳ ପଞ୍ଚାୟତକୁ ସାମିଲ କରାଯାଇଛି। ପଟ୍ଟାମୁଣ୍ତାଇ ବ୍ଲକ୍‌ର ୩୧ଟି ପଂଚାୟତ ମଧ୍ୟରୁ ଆଉ ୧୯ଟି ପଂଚାୟତ ପାଇଁ ୧୨୧ କୋଟି ଟଙ୍କାରେ ବାଛରାଠାରେ ଏହି ପ୍ରକଳ୍ପରୁ କରାଯିବ।  ଏହି ୧୯ଟି ପଂଚାୟତର ୮୬ଟି ଗାଁର ୧ ଲକ୍ଷ ଲୋକ ମେଗା ପାନୀୟ ଜଳ ପ୍ରକଳ୍ପରୁ ସୁବିଧା ପାଇବେ। ପ୍ରକଳ୍ପ ଅଗ୍ରଗତିକୁ ନେଇ  ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।