ଜଗତସିଂହପୁର ସଦର: ଜଗତସିଂହପୁର ଜିଲ୍ଲାର ଏରସମା, ନାଉଗାଁ ଓ ବାଲିକୁଦା ବ୍ଲକ୍ର ପାନୀୟ ଜଳ ସଂକଟ ଦୂର ପାଇଁ ଦେବୀଦୋଳ ଠାରେ ସରକାର ଏକ ବୃହତ୍ ଜଳଯୋଗାଣ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି। ଏଥିପାଇଁ ଦେବୀନଦୀ ପଠାରେ ଏକ ବୃହତ୍ ବୋରିଙ୍ଗ୍ କରାଯାଇଛି। ଏହାର ଗଭୀରତା ୧ ହଜାର ଫୁଟରୁ ଅଧିକ ବୋଲି କୁହାଯାଉଛି। ଏଠାରୁ ପାରାଦୀପ ଅଂଚଳକୁ ମଧ୍ୟ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହେବ। କିନ୍ତୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଂଚଳର ଭୂତଳ ଜଳସ୍ତର ବହୁ ତଳକୁ ଖସିଯିବ। ଫଳରେ ସଂଲଗ୍ନ ଅଂଚଳର ସରକାରୀ ଓ ବେସରକାରୀ ଜଳ ପ୍ରକଳ୍ପ ଗୁଡିକ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଉଠା ଜଳସେଚନ ପଏଣ୍ଟ୍ଗୁଡିକ ସମେତ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହୃତ ନଳକୂପ ଗୁଡିକରୁ ପାଣି ବାହାରିବ ନାହିଁ। ପ୍ରକଳ୍ପର ଉପରମୁଣ୍ଡରେ ଏକ ଚେକ୍ଡ୍ୟାମ୍ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କେବଳ ସେତିକି ନୁହଁ ଏହି ମେଗା ପ୍ରକଳ୍ପ ପୂର୍ବରୁ ଭୂତତ୍ବବିତ୍ ବିଶେଷଜ୍ଞଙ୍କ ଦ୍ବାରା ସର୍ଭେ କରାଯାଇ ନଥିବାରୁ ଭୂତଳ ଜଳସ୍ତର ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏଣେ ବିଭାଗୀୟ ଯନ୍ତ୍ରୀ ଏ ସମସ୍ତ ସର୍ଭେ ବିଷୟରେ କୌଣସି ତଥ୍ୟ ସ୍ପଷ୍ଟ କରିନାହାନ୍ତି। ପ୍ରାୟ ୩୬୦ କୋଟି ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପର ବିଭିନ୍ନ ସ୍ଥାନରେ ବୋରିଂ, ପାଇପ୍ ଜଳଯୋଗାଣ ପ୍ରସ୍ତୁତ ହେଉଛି। କିନ୍ତୁ ଭୂତଳ ଜଳ ସଂରକ୍ଷଣର ସଠିକ୍ ଆକଳନ ଓ ବର୍ଷାଜଳ ସଂଚୟ ସଂକ୍ରାନ୍ତରେ ସଠିକ୍ ତଥ୍ୟ ସଂଗ୍ରହ ହୋଇ ପାରିନଥିବାରୁ ଭବିଷ୍ୟତରେ ଏହି ପ୍ରକଳ୍ପ କାମରେ ଲାଗି ନପାରେ ବୋଲି କେତେକ ଆଶଙ୍କା ବ୍ୟକ୍ତ କରିଛନ୍ତି। ବିଗତ କିଛି ବର୍ଷ ହେବ ଦେବୀନଦୀ, ବିଲୁଆଖାଇ ଓ କନ୍ଦଳ ନଦୀ ଶଯ୍ୟାଗୁଡିକ ଶୁଖିଲା ପଡ଼ୁଛି। ବର୍ଷକୁ ନଦୀ ଗୁଡିକରେ ଏକ ମାସ ପାଣି ପ୍ରବାହିତ ହେଉଥିବା ବେଳେ ଅନ୍ୟ ଦିନ ଗୁଡିକ ଶୁଖିଲା ପଡୁଛି। କୂଅ,ପୋଖରୀ ଶୁଖି ଯାଉଛି।
ନଳକୂପରୁ ପାଣି ବାହାରୁ ନାହିଁ। ଖରାଦିବେ ୨୦୦ ଫୁଟ ଖନନ ପରେ ନଳକୂପରୁ ପାଣି ବାହାରୁଛି। ସ୍ଥାନୀୟ ଅଂଚଳର ଜନଜୀବନ ପାଣି ବିନା ଅସ୍ତବ୍ୟସ୍ତ ହୋଇପଡୁଛି। ତେବେ ଭବିଷ୍ୟତରେ ମଧୁର ଜଳ ସଙ୍କଟ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏହାକୁ ମୁକାବିଲା କରିବାକୁ ଦେବୀ ନଦୀର ଦେବୀଦୋଳ ଠାରେ ଉଚ୍ଚ କ୍ଷମତା ସଂପନ୍ନ ଜଳ ଭଣ୍ତାର, କନ୍ଦଳ ନଦୀର ବିଳାସୁଣୀ ଠାରେ ବିଲୁଆଖାଇ ନଦୀରେ ଚେକ୍ଡ୍ୟାମ୍ ନିର୍ମାଣ ଦାବି ହୋଇଆସୁଛି। ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ପୂର୍ବରୁ ବିଭିନ୍ନ ନଦୀରେ ଜଳଭଣ୍ତାର ଓ ଚେକ୍ଡ୍ୟାମ ନିର୍ମାଣ ପାଇଁ ଜଗତସିଂହପୁର ଓ କଟକ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ନିବେଦନ କରାଯାଇଛି। ୨୦୧୮ ମସିହାରୁ ଲଗାତାର ୧୦ ଥର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଫଳ ଶୂନ। ଫଳରେ ଆଳିପିଙ୍ଗଳ, ପଟସରା, ପାଟେଣୀଗାଁ, ଗଜରାଜପୁର, ଗଳଧାରୀ, କଟକ ଜିଲ୍ଲାର ପହଙ୍ଗା, ପୋକରୀଗାଁ, ବିଳାଶୁଣି, ସଠିଲୋ,ଏକବେରୁଆଁ, ଶଗଡାଇଲୋ, ରାଣିଓଳା, କସର୍ଦ୍ଦା, ଏରଂଚ ଗ୍ରାମ ପଂଚାୟତର ବରିଷ୍ଠ ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ ନଶୁଣିଲେ ଅଂଚଳବାସୀଙ୍କ ତରଫରୁ ବାଧ୍ୟ ହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ମାମଲା କରାଯିବ ବୋଲି ସେମାନେ କହିଛନ୍ତି। ଜଗତସିଂହପୁର ଜିଲ୍ଲାବାସୀ ବର୍ଷାଦିନରେ ଜଳବନ୍ଦୀରେ ଉବୁଟୁବୁ ହେଉଥିବା ବେଳେ ଗ୍ରୀଷ୍ମକାଳରେ ଜଳ ସଙ୍କଟରେ ଜର୍ଜରିତ ହେଉଛନ୍ତି। ଜିଲ୍ଲାପାଇଁ ଜଳବନ୍ଦି ସମସ୍ୟା ଓ ପାନୀୟ ଜଳ ସଂକଟ ଉଭୟ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ହେଉଛି।
ମତାମତ
ଏହା ଏକ ବୃହତ୍ ପ୍ରକଳ୍ପ। ଜଳ ସରକ୍ଷଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏହା ସାହାଯ୍ୟରେ ବାଲିକୁଦା ଏରସମା ଅଂଚଳକୁ ମଧୁର ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହେଉଛି। ପ୍ରକୃତରେ ଭୂତଳ ଜଳସ୍ତର ଗୁରୁତର ଭାବେ ହ୍ରାସ ପାଇବା ଆଶଙ୍କା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଅନୁସନ୍ଧାନ ସାପେକ୍ଷ। ଏଦିଗରେ ବିଶେଷଜ୍ଞମାନେ ଅଧିକ କହିପାରିବେ।
କିଶୋର କବି
ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ
ଉପକୂଳ ଓଡିଶାର ନଦୀ ମାନଙ୍କରେ ଜଳଭଣ୍ତାର ଓ ଚେକ୍ଡ୍ୟାମ ନିର୍ମାଣ କରାଗଲେ ସଂପୃକ୍ତ ଅଂଚଳର ବର୍ଷାଜଳ ଉପରମୁଣ୍ତର ବନ୍ୟା ଜଳକୁ ସଂରକ୍ଷଣ କରିହେବ। ଫଳରେ ସଂଚିତ ଜଳକୁ ଚାଷ କାର୍ଯ୍ୟ ଓ ପାନୀୟ ଜଳ ଭାବେ ବ୍ୟବହାର କରାଯାଇପାରିବ। ଜନସାଧାରଣ ଜଳକଷ୍ଟରୁ ମୁକ୍ତି ପାଇବେ।
ସରୋଜ ନାୟକ, ସମାଜସେବୀ
ଦେବୀନଦୀର ଦେବୀଦୋଳ ଠାରେ କନ୍ଦଳ ନଦୀର ବିଳାଶୁଣି ଠାରେ ବିଲୁଆଖାଇ ନଦୀରେ ପ୍ରାଥମିକତା ଭିତ୍ତିରେ ଜଳଭଣ୍ତାର ଓ ଚେକ୍ଡ୍ୟାମ ନିର୍ମାଣ କରିବାକୁ ୧୦ ଥର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛୁ। ନିର୍ମାଣ ପାଇଁ ବିଭାଗୀୟ ଅନୁସନ୍ଧାନ ଓ ସର୍ଭେ ସରିଛି। ହେଲେ ପରବର୍ତୀ କାର୍ଯ୍ୟକ୍ରମ କିଛି ତାହା କାର୍ଯ୍ୟକାରୀ ହୋଇନାହିଁ। ଆଗାମୀ ଦିନରେ ସରକାର ନଶୁଣିଲେ ଅଂଚଳବାସୀଙ୍କ ପକ୍ଷରୁ ମୁଁ ଓଡିଶା ଉଚ୍ଚ ନ୍ୟାୟଳୟରେ ଜନସ୍ବାର୍ଥ ମାମଲା ରୁଜୁ କରିବି।
ଧୂଳେଶ୍ବର ମଲ୍ଲିକ, ପୂର୍ବତନ ସରପଞ୍ଚ,
ଆଳିପିଙ୍ଗଳ ଗ୍ରାମପଞ୍ଚାୟତ