ରବି ଚାଷ ପାଇଁ ଉପରକୋଲାବରୁ ଡିସେମ୍ବର ୧୬ରୁ ଛଡାଯିବ ପାଣି

ଜୟପୁର: ଖରିଫ ଚାଷ ସରିଥିବା ବେଳେ ରବି ପାଇଁ ଚାଷୀ ପଗଡି ଭିଡ଼ିବା ଆରମ୍ଭ କରିଛି। ଚାଷୀର ଚାଷ କରିବା ପାଇଁ ମୁଖ୍ୟ ଆବଶ୍ୟକତା ଜଳସେଚନ। ଏହାକୁ ଲକ୍ଷ୍ୟରେ ରଖି ଆଜି ସ୍ଥାନୀୟ ଉପରକୋଲାବ ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତର କର୍ମକର୍ତ୍ତା , ଜୟପୁର ଓ ବୋରିଗୁମ୍ମା ଡିଭିଜନର ଏସଡିଓ, ଜେଇ ଆଦିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସରିଛି।

ଏହି ବର୍ଷ ୨୩ହଜାର ୬୦୦ହେକ୍ଟର ଜମିରେ ପାଣି ଯୋଗାଇବା ଲକ୍ଷ୍ୟ ରହିଛି। ପ୍ରାରମ୍ଭିକ ଭାବେ ବୋରିଗୁମ୍ମା ଏବଂ ଜୟପୁର ବ୍ଲକରେ ପାଣି ଯୋଗାଇବା ପରେ ଧିରେ ଧିରେ କୋଟପାଡ ବ୍ଲକରେ ଥିବା ଶେଷ ମୁଣ୍ଡରେ ପାଣି ପହଚାଂଇବାକୁ ନିଷ୍ପତି ହୋଇଥିଲା। ଗତ ବର୍ଷ ତୁଳନାରେ ଏହି ବର୍ଷ ପ୍ରାୟ ୩ହଜାର ହେକ୍ଟର ଜମିରେ ପାଣି ଯୋଗାଣ ହୋଇ ପାରିବନି। ଆବଶ୍ୟକ ପରିମାଣର ବର୍ଷା ହୋଇନଥିବାରୁ ଏବେ ଉପରକୋଲାବ ଜଳଭଣ୍ଡାରରେ ୮୫୨ମିଟର ପାଣିଥିବା ଆଲୋଚନା କରାଯାଇଥିଲା। ଗତ ବର୍ଷ ଠାରୁ ଏବଂ ଧାର୍ଯ୍ୟ ଠାରୁ ୧୬ଫୁଟ ପାଣି କମ୍ ରହିଛି। ଏହା ସହ ଜୟପୁର ସହରରେ ପାଣି ଯୋଗାଣ ଓ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ବି ପାଣି ଛଡାଯାଉଛି। ତେଣୁ ଜଳଭଣ୍ଡାରର ପାଣି କମିବାରେ ଲାଗିଛି।

ଅନ୍ୟ ପକ୍ଷରେ ଆସନ୍ତା ଡିସେମ୍ବର ୧୬ତାରିଖ ଦିନ ପାଣି ଛାଡିବାକୁ ଆପତତଃ ନିଷ୍ପତି ହୋଇଛି। ଏହାରି ମଧ୍ୟରେ କେନାଲ ,ସବକେନାଲ ଆଦିର ମରାମତି,ରକ୍ଷଣାବେକ୍ଷଣ କରାଯିବ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ଅକ୍ଷୟ କୁମାର ମହାନ୍ତି ଏହି ବୈଠକର ସଭାପତିତ୍ବ କରିଥିବା ବେଳେ ଏଥିରେ ଡ୍ୟାମ ଡିଭିଜନର ଏସଡିଓ ସରୋଜ କୁମାର ସାହୁ ଓ ଉଭୟ ଡିଭିଜନର ଏସଡିଓ, ଜେଇ ଓ ପାଣିପଂଚାୟତର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ। କେନାଲ ,ସବକେନାଲ ଆଦିର ମରାମତି,ରକ୍ଷଣାବେକ୍ଷଣ କରାନଯିବା, କେନାଲାରୁ ପଟୁ ମାଟି, ବାଲି ଆଦି ନ କାଡିବା; ଘାଇ ଗୁଡିକର ମରାମତି ନ କରିବା ଫଳରେ ପାଣି ଠିକ ଭାବେ ପହଚୁଂ ନଥିବା ଏବଂ ଏପରିକି ତଳମୁଣ୍ଡ ପର୍ଯ୍ୟନ୍ତ ପହଚିଂବାକୁ ମାସାଧିକ ସମୟ ଲାଗୁଥିବା

ପାଣିପଂଚାୟତ କର୍ମକର୍ତ୍ତା ମାନେ ଅଭିଯୋଗ କରିଥିଲେ। ଚାଷୀ ମାନେ ଅପରକୋଲାବ ଜଳଭଣ୍ଡାର , ସତୀଗୁଡା ଜଳଭଣ୍ଡାରରୁ ଜୟପୁର ବ୍ଲକ, କୋଟପାଡ ବ୍ଲକ, ବୋରିଗୁମ୍ମା ବ୍ଲକ ଓକୁନ୍ଦ୍ରା ବ୍ଲକର ଚାଷୀ ମାନଙ୍କ ପାଇଁ କେନାଲରେ ପାଣି ଛଡାଯାଏ ଏବଂ ଏହାକୁ ନିଜ ଜମିରେ ମଡାଇ ଚାଷ କରିଥାନ୍ତି। ଏକରକମର ଚାଷୀ ମାନେ ସଂପୁର୍ଣ୍ଣ ରୁପେ କୋଲାବ ଜଳଭଣ୍ଡାରର ପାଣି ଉପରେ ପୁରା ନିର୍ଭର। ଜଳଭଣ୍ଡାରରୁ ପାଣି ବାହାରିବା ପରେ ମୁଖ୍ୟକେନାଲ ୧୭.୮୫ କିଲୋମିଟର, ଶାଖା କେନାଲ ୫.୧୩୬ କିଲୋମିଟର, ଡିଷ୍ଟ୍ରିବ୍ୟୁଟରୀ କେନାଲ ୬୪.୧୮୮ କିଲୋମିଟର, କ୍ଷୁଦ୍ର ଜଳସେଚନ କେନାଲ ୭୧.୮୨୯କିଲୋମିଟର, ଅତିରିକ୍ତ କ୍ଷୁଦ୍ର ଜଳସେଚନ କେନାଲ ୮୬.୫୦କିଲୋମିଟର ଏଭଳି ସର୍ବମୋଟ ୨୪୫.୫୦୩କିଲୋ ମିଟରର କେନାଲ ମାଧ୍ୟମରେ ଚାଷୀଙ୍କ ଜମିକୁ ପାଣି ପହଚିଂବ। ୧୦କ୍ୟୁମେକ୍ ହିସାବରେ ପାଣି ଛାଡିବା ସହ କେନାଲରେ ୫୦କ୍ୟୁମେକ୍ ଜମା ହୋଇ ରହିବ ଏବଂ ଏହା ପ୍ରାୟ ୫୦୦କିଲୋମିଟର ପର୍ଯ୍ୟନ୍ତ ପାଣି ମାଡିବା ପାଇଁ ଯୋଜନା କରି ପାଣି ଛଡାଯିବ।

ଅନ୍ୟପକ୍ଷରେ ପାଣି ପଂଚାୟତର ଚାଷୀ ମାନେ କହୁଛନ୍ତି ଯେ କେନାଲ, ସବକେନାଲକୁ ନଭେମ୍ବର ମାସ ସୁଦ୍ଦା ସଫା କରି ରବି ଚାଷ ପାଇଁ ପ୍ରସ୍ତୁତ କରି ରଖିବା ଆବଶ୍ୟକ। ତେବେ ମାସକର ତୃତୀୟ ସପ୍ତାହ ହୋଇଥିଲେ ସୁଦ୍ଧା ଏହା ହୋଇ ପାରିନି ବୋଲି ଏମାନେ ଅଭିଯୋଗ କରିଛନ୍ତି। ତେବେ କୋଭିଡ୍ ପାଇଁ ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷା ମରାମତି ଓ ସଫେଇ ବାବଦରେ କରାଯାଇଥିବା ବ୍ୟୟବରାଦରୁ ୬୦ପ୍ରତିଶତ ଟଙ୍କା କାଟି ଦିଆଯାଇଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ତେବେ ତୁରନ୍ତ ମୁଖ୍ୟକେନାଲ ,ଶାଖା କେନାଲ, ଡିଷ୍ଟ୍ରିବ୍ୟୁଟରୀ କେନାଲରେ ହୋଇଥିବା ବଡ ବଡ ଘାଇର ଏବଂ ଛୋଟ ବଡ ମରାମତି କରାଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ପାଣି ପଂଚାୟତ କର୍ମକର୍ତ୍ତାଙ୍କୁ ବୁଝାଇଥିଲେ।

 

ସମ୍ବନ୍ଧିତ ଖବର