ରାୟଗଡା: ରାୟଗଡା ସଦର ମହକୁମାଠାରୁ ମାତ୍ର ଚାରି କିଲୋମିଟର ଦୁରରେ ରହିଛି ଆଡପାଟିଗୁଡା ଗ୍ରାମ। ଏହି ଗ୍ରାମରେ ୭୦ ପରିବାର ବସବାସ କରନ୍ତି। ସମସ୍ତେ ଆଦିବାସୀ କନ୍ଧ ସଂପ୍ରଦାୟର ଲୋକେ। ଏବେ ରାୟଗଡାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ପାଣି ପାଇଁ ଲୋକେ ଆହୁରି ହନ୍ତସନ୍ତ ହେଉଛନ୍ତି। ଏହି ଗ୍ରାମରେ ମାତ୍ର ଗୋଟିଏ ନଳକୂପ ରହିଛି।ତେବେ ଲୋକଙ୍କ ପାଣି ସମସ୍ୟା ଦେଖି ପ୍ରଶାସନ ତରଫରୁ ଏକ ସୋଲାର ପାଇପ ଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି।ତେବେ ଏହି ସୋଲାର ପାଇପ ଲାଇନ ରହିକି ବି ଲୋକଙ୍କ ଶୋଷ ମେଣ୍ଟାଇ ପାରୁ ନାହିଁ। ଏହି ସୋଲାର ପାଇପ ଲାଇନରେ କେବେ ପାଣି ଆସିଲେ ଅତି କମ୍ ମାତ୍ରାରେ ଆସୁଛି ନହେଲେ ଦିନ ଦିନ ଧରି ଆସୁ ନାହିଁ। ଲୋକେ ମାତ୍ର ଗୋଟିଏ ନଳକୂପ ଉପରେ ହିଁ ଭରସା କରନ୍ତି। ତେବେ ଭୋର ସକାଳୁ ପାଣି ପାଇଁ ନଳକୂପ ନିକଟରେ ଭିଡ ଲାଗିଯାଏ। ପାଣି ପାଇଁ ଏକ ପ୍ରକାର ପ୍ରତିଯୋଗିତା ଲାଗୁଥିବା ଦେଖିବାକୁ ମିଳେ। ଗ୍ରାମର ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ଥିବାରୁ ଲୋକେ ପାଣି ପାଇଁ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଯଦି ଏହି ନଳକୂପ ଖରାପ ହୋଇଯାଏ ତେବେ ସ୍ଥିତି ଆହୁରି ଜଟିଳ ହୋଇଯିବ। ପ୍ରବଳ ଗରମ ହେଉଥିବାରୁ ଲୋକେ ଭୋର ସକାଳୁ ପାଣି ପାଇଁ ନଳକୂପ ନିକଟରେ ଭିଡ ଜମାନ୍ତି।
ତେବେ ପାଣି ନେବା ପାଇଁ ଛୋଟ ବଡ ଗଣ୍ଡଗୋଳ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ବାରମ୍ବାର ନଳକୂପ ପାଇଁ ବିଭାଗୀୟ ଅଧିକାରୀ ସମେତ ବ୍ଲକ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କୁହାଯାଇଛି। ରାୟଗଡା ସହର ଠାରୁ ମାତ୍ର କିଛି କିଲୋମିଟର ଦୁରରେ ପାଣିର ଏଭଳି ଅଭାବ ଦେଖିବାକୁ ମିଳୁଥିବା ବେଳେ ଦୁର୍ଗମ ଅଂଚଳରେ ଲୋକେ କିପରି ପାଣି ପାଇଁ କିଭଳି ସମସ୍ୟାରେ ପଡୁଥିବେ ସହଜରେ ଅନୁମେୟ। ଗ୍ରାମର ମହିଳାମାନେ ଘର କାମ ଛାଡି ଘଣ୍ଟା ଘଣ୍ଟା ଧରି ନଳକୂପ ନିକଟରେ ପାଣି ପାଇଁ ଛିଡା ହେଉଥିବା ଦେଖିବାକୁ ମିଳିଛି।ଲୋକେ ପିଇବା ପାଇଁ ପାଣି ସଂଗ୍ରହ କରିପାରୁନଥିବା ବେଳେ ଗାଧୋଇବା ଏବଂ ଅନ୍ୟ କାମ ପାଇଁ ପାଣି ସଂଗ୍ରହ କରିବା କେତେ କଷ୍ଟ ଏଠାରେ ଦେଖିଲେ ଜଣାପଡୁଛି। ତୁରନ୍ତ ପ୍ରଶାସନ ତରଫରୁ ଏହି ଗ୍ରାମରେ ଆହୁରି ଦୁଇ ତିନୋଟି ନଳକୂପ ଖନନ କଲେ ଲୋକେ ଆଶ୍ବସ୍ତି ଲାଭ କରିବେ ବୋଲି କୁହାଯାଇଛି।