ଶୀତ ସରିନି, ବାରିପଦାରେ ଆରମ୍ଭ ହେଲାଣି ଜଳକଷ୍ଟ: ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

ବିଧାୟକଙ୍କ ହସ୍ତକ୍ଷେପ ପରେ ୭ ଦିନ ମଧ୍ୟରେ ସ୍ଥାୟୀ ସମାଧାନର ପ୍ରତିଶ୍ରୁତି

ବାରିପଦା : ଶୀତ ସରିନି। ଗ୍ରୀଷ୍ମ ଋତୁ ଆସିବାକୁ ଆହୁରି ଢେର ଦିନ ବାକି ଅଛି। ମାତ୍ର ଏବେ‌ଠାରୁ ବାରିପଦାରେ ଆରମ୍ଭ ହେଲାଣି ଜଳକଷ୍ଟ। ଆଜି ବାରିପଦା ପୌରପରିଷଦର ୱାର୍ଡ ନଂ ୭ ତଳସାହି ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିଲା। ବିପିଏଲ ପରିବାରଗୁଡ଼ିକୁ ମାଗଣାରେ ପାଇପ ପାଣି ଯୋଗାଇ ଦେବା ଯୋଜନା ଏଠାରେ ପ୍ରାୟତଃ କାମରେ ଲାଗୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ସଂଯୋଗ କରାଯାଇଥିବା ଟ୍ୟାପ୍‌ରେ ପାଣି ଆସୁନଥିବା ଅଭିଯୋଗ ହୋଇଛି। ଫଳରେ ଜନସାଧାରଣ ପାନୀୟ ଜଳ ସଂଗ୍ରହ କରିବା, ଗାଧୋଇବା, ଲୁଗାପଟା ସଫା କରିବା ଆଦି ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏପରିକି ଗୋଟିଏ ଗୋଟିଏ ଟ୍ୟାପ୍‌ରୁ ଏକାଧିକ ଲୋକ ପାଣି ନେବାକୁ ଭିଡ଼ କରୁଛନ୍ତି। ଯାହା ଫଳରେ ନାନା ସମସ୍ୟା ଦେଖାଦେଉଛି। ଜନ ସ୍ୱାସ୍ଥ୍ୟ ବିଭାଗରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଏସମ୍ପର୍କରେ ଜଣାଇଥିଲେ ସ୍ଥାନୀୟ ବାସିନ୍ଦା। ଏନେଇ ବିଧାୟକ ଶ୍ରୀ ସୋରେନ ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଉକ୍ତ ସ୍ଥାନକୁ ଡାକିଥିଲେ। ମୁଖ୍ୟନିର୍ବାହୀ ଯନ୍ତ୍ରୀ ବିଘ୍ନେଶ୍ବର ପାଣିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ମୁଖ୍ୟନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେବାପରେ ଅସ‌ନ୍ତୋଷ ଥମିଥିଲା। ସମସ୍ୟା ହେଉଥିବା ସ୍ଥାନରେ ନୂତନ ପାଇପ ବିଛାଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଶ୍ରୀ ପାଣି କହିଥିଲେ। ଅମୃତ ଯୋଜନାରେ ଯଥେଷ୍ଟ ଅର୍ଥ କେନ୍ଦ୍ର ବାରିପଦା ପୌରପରିଷଦକୁ ଯୋଗାଇ ଦେଉଛି। ମାତ୍ର ଉପଯୁକ୍ତ ଏକ୍ସନ ପ୍ଲାନ ଓ ବୈଷୟିକ ଦିଗ ପ୍ରତି ଦୃଷ୍ଟି ଦିଆ ନଯାଇ କେବଳ ଅର୍ଥ ବ୍ୟୟ କରାଯାଉଛି । ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସଲାସୁତୁରା ହୋଇ କେବଳ ଲୁଟ୍‌ ଚାଲିଥିବା ବିଧାୟକ ଶ୍ରୀ ସୋରେନ୍‌ କହିଛନ୍ତି। ସେହିପରି ଜଣେ ଜଣେ ଲୋକ ଏକାଧିକ ଚୋରା ପାଣି ସଂଯୋଗ ନେବା, ମୋଟର ଲଗାଇ ପାଣି ଟାଣୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଣି କହିଛନ୍ତି ।

ସମ୍ବନ୍ଧିତ ଖବର