ରାୟଗଡା: ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। କୂଅ,ନଦୀ,ନାଳ ଶୁଖିବାକୁ ବସିଲାଣି। ଏଣୁ ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ହାହାକାର ଦେଖା ଦେଇଛି ରାୟଗଡା ଜିଲ୍ଲାରେ। ଯାହାର ପ୍ରତିବାଦ ସ୍ୱରୂପ କଲ୍ୟାଣସିଂହପୁର -ରାୟଗଡା ମୁଖ୍ୟ ରାଜ୍ୟ ସଡ଼କ ପଥରେ ଗରା,ହାଣ୍ଡି, ଡେ଼କଚି ଧରି ରାସ୍ତା ଅବରୋଧ କରି ଗାଁକୁ ପାନୀୟ ଜଳ ଯୋଗାଇବାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ରାୟଗଡା ସଦର ବ୍ଲକ କର୍ଲାକଣା ଗ୍ରାମ ପଞ୍ଚାୟତର ଅଙ୍ଗୁରୁ ଗ୍ରାମର ଗ୍ରାମବାସୀ। ତେବେ ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପଟରେ ଶତାଧିକ ଯାନବାହାନ ଅଟକି ରହି ଥିବାବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ପ୍ରକାଶ ଥାଉକି ଅଙ୍ଗୁରୁ ଗ୍ରାମରେ ୧୧୦ ପରିବାର ବସବାସ କରୁଥିବା ବେଳେ ଏଠାରେ ୬୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି। ବ୍ଲକ ପ୍ରଶାସନ ପକ୍ଷରୁ ଅଙ୍ଗୁରୁ ଗ୍ରାମରେ ୨ଟି ନଳକୂପ ଯୋଗାଇ ଦିଆ ଯାଇଥିବାବେଳେ ସ୍ୱଜଳ ଧାରା ପ୍ରକଳ୍ପ ମଧ୍ୟ କାର୍ଯ୍ୟ କରୁଛି। ତେବେ ଗତ ସପ୍ତାହ ଧରି ଦୁଇଟି ଯାକ ନଳକୂପ ସହ ସ୍ୱଜଳ ଧାରା ପ୍ରକଳ୍ପ ମଧ୍ୟ ଅଚଳ ହୋଇ ପଡିଛି।
/sambad/media/post_attachments/wp-content/uploads/2023/05/Rgda-water-problemroad-blocked-2-1024x461.jpg)
ଫଳରେ ଗ୍ରାମବାସୀମାନେ ବିଶୁଦ୍ଧ ପାନୀୟ ଜଳ ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂର ଗାଦାଵାଗୁଡା ଗାଁକୁ ଯାଇ ଟାଣ ଖରାରେ ମହିଳାମାନଙ୍କୁ ପାଣି ଆଣିବାକୁ ପଡୁଛି। ରାସ୍ତାରେ ଚାଲି ଚାଲି ପାଣି ଆଣିବା ଯିବା ବେଳେ ସଡ଼କ ଦୁର୍ଘଟଣାର ଭୟ ରହୁଛି । ଯାହାକୁ ନେଇ ଅଙ୍ଗୁରୁ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓଙ୍କ ପର୍ଯ୍ୟନ୍ତ ଅଚଳ ନଳକୂପକୁ ମରାମତି ତଥା ସ୍ଥାୟୀ ବ୍ୟବସ୍ଥା ପାଇଁ ନିବେଦନ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନ ଥିବାରୁ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଘଟଣାସ୍ଥଳରେ ବିଡ଼ିଓ ଲକ୍ଷ୍ମୀ ନାରାୟଣ ସାବତ, ଚାନ୍ଦିଲି ଥାନା ପୁଲିସ,ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲକ,ସରପଞ୍ଚ ନୀଳାମ୍ବର ବିଡ଼ିକା ପ୍ରମୁଖ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲେ ଗ୍ରାମବାସୀ। ତେବେ ଗାଁର ପାଣି ସମସ୍ୟାକୁ ନେଇ ସରପଞ୍ଚ କୌଣସି ଅଭିଯୋଗ କରି ନ ଥିବା ବେଳେ ଗତକାଲି ଗାଁ ଲୋକେ ଅଭିଯୋଗ କରିବା ପରେ ଆଜି ନଳକୂପ ମରାମତି ଟିମ ପହଂଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ବିଡ଼ିଓ କହିବା ସହ ଗାଁ ଲୋକେ ରାସ୍ତା ଅବରୋଧ କରିବା ଭଳି ଘଟଣା ପାଇଁ ସରପଞ୍ଚ ହିଁ ଦାୟୀ ବୋଲି ବିଡ଼ିଓ ଲକ୍ଷ୍ମୀ ନାରାୟଣ ସାବତ କହିଥିଲେ। କେବଳ ଏହି ଗୋଟିଏ ଗ୍ରାମ ନୁହେଁ। ପାଣି ପାଇଁ ଏବେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି। ଜଳ ସମସ୍ୟା ଉତ୍କଟ ହେଲେ ହିଁ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Rgda-water-problemroad-blocked-1.jpg)