ଶୁଖିଲା ପଡିଛି ସାଳନ୍ଦୀ; କେନାଲରେ ନାହିଁ ପାଣି, ପଡିଆ ପଡିଛି ଜମି 

ଭଦ୍ରକ: ଜିଲ୍ଲାର ଜୀବନ ରେଖା ଚିରସ୍ରୋତା ସାଳନ୍ଦୀ ନଦୀ ଏବେ ଶୁଖିଲା ପଡିଛି। ଆଷାଢ ଓ ଶ୍ରାବଣର ଲଘୁଚାପ ବର୍ଷା ସତ୍ତ୍ବେ ନଦୀ ପଡିଛି ଶୁଖିଲା। ଅବାଶ୍ୟକ ପରିମାଣରେ ବର୍ଷା ନହେଉଥିବାରୁ ସାଳନ୍ଦୀ ନଦୀର ଜଳ ସ୍ରୋତ କମି ଯାଇଛି। ସାଳନ୍ଦୀର ଉପରମୁଣ୍ଡରେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ ଡ୍ୟାମର ଗେଟ୍ ଖୋଲାଯାଇ ନଥିବାରୁ ଜଳ ସ୍ରୋତ ମଧ୍ୟ କମ ରହୁଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। କେବଳ ବର୍ଷା ଜଳ ହେଲେ ନଦୀର ଜଳ ସ୍ରୋତ ବୃଦ୍ଧି ପାଇବ ତା ନହେଲେ ଚାଷ କାର୍ଯ୍ୟ ପାଇଁ ‌ଡ୍ୟାମ ଗେଟ୍ ଖୋଲା ଯାଇ ଚାଷ ଜମିକୁ ଜଳ ଯୋଗାଣ କରାଉ ନାହିଁ କାହିଁକି ବୋଲି ଜିଲ୍ଲାର ହଜାର ହଜାର ଚାଷୀ ଦାବି ଉଠାଇଛନ୍ତି।

ସାଳନ୍ଦୀ ନଦୀରୁ ବାହାରିଥିବା ଜିଲ୍ଲାର ୧୫ ଶହ କିଲୋମିଟରର କେନାଲ ସବୁ ଶୁଖି ଯାଇଛି। କଉେଁ କେନାଲରେ ପାଣି ନାହିଁ। ସବୁ କେନାଲ ଭିତରେ ଦଳ ଭର୍ତ୍ତି ହୋଇ ଯାଇଛି। ଆଉ କିଛି କେନାଲ ପାଣି ନ ଆସିବାରୁ ପୋତି ହୋଇ ପଡିଛି। ଆଷାଢ ପୂରି ଶ୍ରାବଣ ମାସ ହେଲା। ଜିଲ୍ଲାରେ କିନ୍ତୁ ଆବଶ୍ୟକତାଠାରୁ କମ୍ ବର୍ଷା ହୋଇଥିବାରୁ ଚାଷ ଜମି ସବୁ ଶୁଖିଲା ପଡିଛି । କୌଣସି ଜମିକୁ କେନାଲ ପାଣି ମାଡୁ ନାହିଁ। ଯେଉଁଥି ପାଇଁ ଚାଷୀମାନେ ତଳି ପକା କାର୍ଯ୍ୟ କରି ପାରୁ ନାହାନ୍ତି। ଯେଉଁ ଚାଷ ଜମିରେ ଧାନ ବୁଣା ଯାଇଥିଲା। ସେହିସବୁ ଜମିରେ ଉପଯୁକ୍ତ ଜଳ ଅଭାବରୁ ସେହି ସବୁ ବିଲରେ ଘାସ ଚରି ଗଲାଣି।

ବର୍ଷା ଆରମ୍ଭ ହେବା ପରେ କିଛି ଚାଷୀ ଖାଲୁଆ ଜମି ଦେଖି ତଳି ପକା କାର୍ଯ୍ୟ କରିଥିଲେ। ସେଇ ସବୁ ତଳି ଧାନ ଉଠି ଥିଲେ ମଧ୍ୟ ବର୍ଷା ଓ କେନାଲ ପାଣିର ଅଭାବ ଯୋଗୁଁ ତଳି ଧାନ ବଢି ପାରୁ ନାହିଁ। ଏବେ ଏଇ ସବୁ ଜମିକୁ ପ୍ରଚୁର ବର୍ଷା ଜଳ ନହେଲେ କେନାଲ ଏରିଆ ଜମିକୁ କେନାଲ ପାଣି ଯୋଗାଣ ପାଇଁ ଚାଷୀ ଦାବି କରିଛି। ଯେଉଁସବୁ ବିଲରେ ଚାଷୀ ଲିଫ୍ଟ ପଏଣ୍ଟ ବସାଇଛନ୍ତି। ସେହିସବୁ ପାର୍ଶ୍ବ ଜମିରେ ତଳି ଧାନ ଠିକ୍ ରହିଛି। ଯେଉଁଠି ଲିଫଟ୍ ପଏଣ୍ଟ ଅଚଳ ହୋଇଛି। ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ। ସେ ସବୁ ସ୍ଥାନରେ ତଳି ଦାନ ପାଚି ହଳଦିଆ ପଡି ଗଲାଣି।

ଏବେ ଲଘୁଚାପ ବର୍ଷା ପାଇଁ ତଳି ଧାନ ବଞ୍ଚି ରହିଥିବା ବେଳେ ବର୍ଷା ଛାଡି ଗଲେ ପୁଣି ଜମି ଫାଟି ଆଁ କରିବ। ‌ ସେତେବେଳେ କେନାଲ ପାଣି ଯୋଗାଣ କରାନଗଲେ ତଳି ଉଠାଯାଇ, ଏହାକୁ ରୁଆ ପୋତା କରିବା ପାଇଁ ଚାଷୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବେ। ଗୋଟିଏ ପଟରେ ଚାଷୀ କେନାଲ ପାଣିକୁ ଅପେକ୍ଷା କରିଥିବା ବେଳେ ଅନ୍ୟ ପଟରେ ଶ୍ରୀହୀନ ହୋଇ ପଡିଛି ସାଳନ୍ଦୀ ନଦୀ। ଜିଲ୍ଲାରେ ମୋଟ ୧ ଲକ୍ଷ ୬୪ ହଜାର ହେକ୍ଟର ଚାଷ ଜମିରେ ଏଥର ଧାନ ଚାଷ କରାଯିବାକୁ କୃଷି ବିଭାଗ ଲକ୍ଷ୍ୟ ରଖିଥିଲା। ଚାଷ କାର୍ଯ୍ୟ ଆଗକୁ ନେବା ପାଇଁ ଚାଷୀଙ୍କୁ ସମବାୟ ସମିତି ମାଧ୍ୟଷର ସରକାରୀ ବିହନ ଯୋଗାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସମବାୟ ସମିତିରୁ କିଛି କିଛି ଚାଷୀ ବିହନ ଉଠାଣ କରି ତଳି ପକା କାର୍ଯ୍ୟ କରିଥିଲେ। ଏବେ ସୁଦ୍ଧ‌ା‌ ଜିଲ୍ଲାର ତିହିଡି, ଭଦ୍ରକ, ଚାନ୍ଦବାଲି, ଧାମନଗର, ବନ୍ତ, ଭଣ୍ଡାରିପୋଖରୀ, ବାସୁଦେବପୁର ଆଦି ବ୍ଲକରେ ମ‌ୋଟ ୧୧ ହଜାର ହେଷ୍ଟର ଜମିରେ ତଳି ପକା କାର୍ଯ୍ୟ ଶେଷ ହୋଇଛି। ଏଇ ସବୁ ତଳି ଧାନ ଉଠାଇ ଏହାକୁ ଚାଷୀ ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସ ଆରମ୍ଭରୁ ରୁଆ ପୋତା ଆରମ୍ଭ କରିବେ। ଜିଲ୍ଲ‌ାରେ ପ୍ରାୟ ୬୫ ହଜାର ହେକ୍ଟର ଜମିରେ ଲୋକେ ଧାନ ବୁଣାବୁଣି କରିଛନ୍ତି। ଏଇସବୁ ବୁଣା ବିଲରେ ଧାନ ଗଛ ଉଠିଛି। କିନ୍ତୁ ବର୍ଷା ଜଳ ଓ କେନାଲ ଜଳ ନଥିବାରୁ ଲୋକେ ବୁଣା ବିଲରେ ବିହିଡା, ଜାଆଁଳ କିଛି କରି ପାରି ନାହାନ୍ତି। କେନାଲ ପାଣିର ଅଭାବ ପାଇଁ ଏଥର ଜିଲ୍ଲାରେ ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମି ଚାଷ କରା ନଯାଇ ପଡିଆ ପଡିବ ବୋଲି ଆଶଙ୍କା କରାଯାଉଛି। ଏସବୁ କିଛି ନିର୍ଭର କରୁଛି ସାଳନ୍ଦୀ ନଦୀର ଜଳ ଓ ବର୍ଷା ଜଳ ଉପରେ। ଏବେ କିନ୍ତୁ ଚାଷୀ ପ୍ରଚୁର ପରିମାଣରେ ବର୍ଷା ଜଳକୁ ଚାହିଁ ରହିଥିବା ବେଳେ ବର୍ଷା ଜଳ ଅଭାବକୁ ପୂରଣ କରିବା ପାଇଁ କେନାଲରେ ଜଳ ଛାଡିବାକୁ ଚାଷୀ ଦାବି କରିଛି। ଏ ଦିଗରେ ଉଭୟ କୃଷି ବିଭାଗ ଓ ଜଳ ସେଚନ ବିଭାଗ ଦୃଷ୍ଟି ଦେବା ଜରୁରୀ ମନେହେଉଛି।

ସମ୍ବନ୍ଧିତ ଖବର